ସିବିଆଇ କଳିରେ ନୂଆ ମୋଡ଼

ବର୍ମାଙ୍କ ଛୁଟିକୁ ବିରୋଧ କରି ସୁପ୍ରିମ୍‌ କୋର୍ଟ ଗଲା କଂଗ୍ରେସ, ପ୍ରଶାନ୍ତ ଭୂଷଣ ମଧ୍ୟ ବିରୋଧ କରିବେ

ନୂଆଦିଲ୍ଲୀ: ସିବିଆଇରେ ଦେଖାଦେଇଥିବା ଅନ୍ତଃ କନ୍ଦଳକୁ ନେଇ ଶନିବାର ଏକ ନୂଆ ମୋଡ଼ ଦେଖାଦେଇଛି। ପ୍ରସଙ୍ଗକୁ ନେଇ ବିରୋଧୀ ଦଳ କଂଗ୍ରେସ ମୋଦୀ ସରକାରଙ୍କୁ ବାହାରୁ ସମାଲୋଚନା କରିଆସୁଥିବା ବେଳେ ଆଜି ପ୍ରତ୍ୟକ୍ଷ ଭାବେ ମାମଲାରେ ହସ୍ତକ୍ଷେପ କରି ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ସିଭିସି (କେନ୍ଦ୍ରୀୟ ଭିଜିଲାନ୍ସ କମିସନ) ବେଆଇନ ଭାବେ ତାଙ୍କ ପଦରୁ ହଟାଇଛି। ତାଙ୍କୁ ଜବରଦସ୍ତ ଏଭଳି ଛୁଟିରେ ପଠାଇବା ବେଆଇନ ‌ବୋଲି କଂଗ୍ରେସ ଏହାର ଆବେଦନରେ ଦର୍ଶାଇଛି। ଏହାଦ୍ବାରା ସରକାର ସିବିଆଇ ଆଇନକୁ ଉଲ୍ଲଂଘନ କରିଥିବା ଦଳ ପକ୍ଷରୁ କୁହାଯାଇଛି। କଂଗ୍ରେସର ଏହି ଆବେଦନର ଶୁଣାଣି ଶୁକ୍ରବାର ହେବ। ଲୋକସଭାରେ କଂ‌ଗ୍ରେସ ନେତା ମଲ୍ଲିକାର୍ଜୁନ୍‌ ଖଡ଼‌ଗେ ସୁପ୍ରିମ୍‌ କୋର୍ଟରେ ଆବେଦନ କରି କହିଛନ୍ତି, ସିବିଆଇ ନିର୍ଦ୍ଦେଶକଙ୍କୁ ପଦରୁ ହଟାଇବା କିମ୍ବା ତାଙ୍କୁ ଛୁଟି‌ରେ ପଠାଯିବା ପୂର୍ବରୁ ୩ ଜଣିଆ କମିଟିର ମଞ୍ଜୁରି ହାସଲ କରିବା ଅପରିହାର୍ଯ୍ୟ। ନିଯୁକ୍ତି ଭଳି ବହିଷ୍କାର କ୍ଷେତ୍ରରେ ମଧ୍ୟ କମିଟିର ଅନୁମତି ଆଣିବା ଆବଶ୍ୟକ। କିନ୍ତୁ ଆଲୋକ ବର୍ମାଙ୍କ କ୍ଷେତ୍ରରେ ତାହା କରାଯାଇ ନାହିଁ। ସିଭିସି ମନମୁଖି ଭାବେ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ତେଣୁ ତାଙ୍କ ବିରୋଧରେ ହୋଇଥିବା ଏଭଳି କାର୍ଯ୍ୟାନୁଷ୍ଠାନକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଉଚିତ ବୋଲି ଖଡ଼ଗେ ଯୁକ୍ତି ବାଢ଼ିଛନ୍ତି। ୩ ଜଣିଆ କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ସୁପ୍ରିମ୍‌ କୋର୍ଟ ପ୍ରଧାନ ବିଚାରପତି ସଦସ୍ୟ ରହିଛନ୍ତି ଏବଂ ସେମାନେ ହିଁ ସିବିଆଇରେ ହେଉଥିବା ନିଯୁକ୍ତି ବାବଦରେ ନିଷ୍ପତ୍ତି ନେଇଥାନ୍ତି। ଖଡ଼ଗେଙ୍କ କହିବାନୁସାରେ ସିଭିସିର ଏହି କ୍ଷମତା ନାହିଁ।
ଉଲ୍ଲେଖଯୋଗ୍ୟ, ଲାଞ୍ଚ ମାମଲାରେ ସିବିଆଇ ନିର୍ଦ୍ଦେଶକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ମଧ୍ୟରେ ବିବାଦ ଉପୁଜିବା ପରେ ସରକାର ଏଥିରେ ହସ୍ତକ୍ଷେପ କରି ଦୁଇଜଣଙ୍କୁ ଛୁଟିରେ ପଠାଇ ଦେଇଥିଲେ। ନିରପେକ୍ଷ ତଦନ୍ତ ନିମନ୍ତେ ଏଭଳି କାର୍ଯ୍ୟାନୁଷ୍ଠାନ ଜରୁରୀ ଥିଲା ବୋଲି ସରକାର କହିଥିଲେ। ଏହାକୁ ‌ ନେଇ କଂଗ୍ରେସ ପ୍ରଶ୍ନ ଉଠାଇବା ସହିତ ସରକାର ଜାଣିଶୁଣି ବର୍ମାଙ୍କୁ ହଟାଇଥିବା ଅଭିଯୋଗ କରିଥିଲା। ରାଫେଲ୍ ଚୁକ୍ତି ଏବଂ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ବର୍ମା ମୁଣ୍ଡ ପୂରାଉଥିବାରୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିବା ଦଳ ପକ୍ଷରୁ କୁହାଯାଇଥିଲା।

ସୁପ୍ରିମ୍‌ କୋର୍ଟରେ କଂଗ୍ରେସ ଆଜି ଆବେଦନ କରିବା ପରେ ସିବିଆଇ ଅନ୍ତଃ କନ୍ଦଳକୁ ନେଇ ରାଜନୈତିକ ମହଲ ସରଗରମ ହେବାରେ ଲାଗିଛି। କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି, ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଅତିକମ୍‌ରେ ଦୁଇବର୍ଷ ହେବା ଜରୁରୀ। କିନ୍ତୁ ବର୍ମାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ସରକାର ତାଙ୍କୁ ତାଙ୍କ ପଦରୁ ହଟାଇଛନ୍ତି। ଏହା ପୂର୍ବରୁ ୩ ଜଣିଆ କ୍ଷମତାସମ୍ପନ୍ନ କମିଟିର ମଧ୍ୟ ଅନୁମତି ଲୋଡ଼ାଯାଇ ନାହିଁ। ସରକାର ଏଭଳି କରି ଲୋକପାଳ ଆଇନର ଉଲ୍ଲଂଘନ କରିଛନ୍ତି। କଂଗ୍ରେସ ନେତା ରଣଦୀପ ସୁର୍ଯେୱାଲା ମଧ୍ୟ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରିଛନ୍ତି। ସିବିଆଇ ମୁଖ୍ୟଙ୍କୁ ଏଭଳି ମନମୁଖି ଭାବେ ହଟାଯିବା ନିହାତି ପରିତାପର ବିଷୟ। ଏଭଳି କରି ମୋଦୀ ସରକାର ସିବିଆଇର ନିରପେକ୍ଷତା ଓ ବିଶ୍ବସନୀୟତା ପ୍ରତି ଆଘାତ ପହଞ୍ଚାଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସିବିଆଇରେ ଅନ୍ତଃକନ୍ଦଳ ପରେ ବର୍ମା ଓ ଅସ୍ଥାନାଙ୍କୁ ଛୁଟିରେ ପଠାଇବା ଜରୁରୀ ହୋଇପଡ଼ିଥିଲା। ସିବିଆଇରେ ଚାଲିଥିବା ବିବାଦର ନିରପେକ୍ଷ ତଦନ୍ତ ପାଇଁ ଏହା କରାଯାଇଥିଲା। ତେବେ ଆଇନର କ୍ଷେତ୍ରାଧିକ‌ାରରେ ରହି ଏଭଳି ପଦକ୍ଷେପ ନିଆଯାଇଛି। ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଯାଇଛି। ଏହାପରେ ମୋଦୀ ସବୁଜ ସଂକେତ ଦେବା ପରେ ହିଁ ଉଭୟ ଅଧିକାରୀଙ୍କୁ ଛୁଟିରେ ପଠାଯାଇଥିଲା। ସେପଟେ ଆଲୋକ ବର୍ମାଙ୍କ ଛୁଟି ଉପରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ମଧ୍ୟ ପ୍ରଶ୍ନ ଉଠାଇବା ସହିତ ଏ ବାବଦରେ ସେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ସଂକେତ ଦେଇଛନ୍ତି।

ସମ୍ବନ୍ଧିତ ଖବର