ସିରିୟା ସଙ୍କଟର ନୂଆ ମୋଡ଼, ଯୁଦ୍ଧର ବାଦଲ

ରୁଷ୍‌ରଧମକ

ଡାମାସ୍‌କସ: ଆମେରିକା ଓ ତା’ର ସହଯୋଗୀ ମିତ୍ରରାଷ୍ଟ୍ର ବ୍ରିଟେନ୍‌ ଏବଂ ଫ୍ରାନ୍‌୍‌ସ ଆଜି ସିରିୟାରେ ପ୍ରଚଣ୍ଡ ଆକ୍ରମଣ କରିଥିବାରୁ ଏହାକୁ ନେଇ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ସିରିୟା ଉପରେ ଶତାଧିକ କ୍ଷେପଣାସ୍ତ୍ର ମାଡ଼ ଏବଂ ଯୁଦ୍ଧ ବିମାନରୁ ବୋମା ବର୍ଷା କରି ଆମେରିକା, ବ୍ରିଟେନ୍‌ ଏବଂ ଫ୍ରାନ୍‌୍‌ସ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଂଘନ କରିଥିବାରୁ ଏହା ବିରୋଧରେ ଜାତିସଂଘ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରୁଷ୍‌ ଦାବି କରିଛି। ରୁଷ୍‌ ଓ ଚୀନ୍‌ର କଡ଼ା ପ୍ରତିକ୍ରିୟାକୁ ଦେଖି ଆଜି ଜାତିସଂଘ ନିରାପତ୍ତା ପରିଷଦର ଜରୁରୀ ବୈଠକରେ ଏ ବାବଦ ଆଲୋଚନା ହୋଇଛି। ବିଶ୍ୱ ପାଇଁ ବିପଦ ସୃଷ୍ଟି କଲାଭଳି ପଦକ୍ଷେପରୁ ନିବୃତ୍ତ ରହିବାକୁ ଜାତିସଂଘ ସଦସ୍ୟ ରାଷ୍ଟ୍ରମାନଙ୍କୁ ଚେତାଇ ଦେଇଛି। ସିରିୟା ବିରୋଧରେ କାର୍ଯ୍ୟାନୁଷ୍ଠାନରେ ସାମିଲ ହୋଇଥିବା ସବୁ ଆକ୍ରମଣକାରୀ ରାଷ୍ଟ୍ରଙ୍କୁ ଏହାର ଜବାବ ମିଳିବ ବୋଲି ରୁଷ୍‌ ଘୋଷଣା କରିଛି। ଏହାକୁ ନେଇ ଯୁଦ୍ଧର ବାଦଲ ସୃଷ୍ଟି ହୋଇଛି ଏବଂ ଜାତିସଂଘ ଚିନ୍ତା ପ୍ରକଟ କରିଛି। ସିରିୟାକୁ ଅଧିକ ଶକ୍ତିଶାଳୀ କରି ପଶ୍ଚିମ ରାଷ୍ଟ୍ର ବିରୋଧରେ ଲଢ଼େଇ ପାଇଁ ତୟାର କରିବାକୁ ରୁଷ୍‌ ସଙ୍କେତ ଦେଇଥିବା ବେଳେ ଚୀନ୍‌ ମଧ୍ୟ ଆମେରିକାକୁ ଘେରିବାକୁ ଯୋଜନା କରିଛି।

ଆଜି ସିରିୟାରେ ତିନି ରାଷ୍ଟ୍ରଙ୍କ ଆକ୍ରମଣକୁ ବିଭିନ୍ନ ୟୁରୋପୀୟ ରାଷ୍ଟ୍ର ସମର୍ଥନ କରିଥିବାରୁ ବିବାଦ ଆହୁରି ଜଟିଳ ହୋଇଛି। ସିରିୟା ଉପରେ ଆକ୍ରମଣ ଜରୁରୀ ଥିଲା ବୋଲି ନାଟୋ କହିଛି। ତେବେ ଏହି ଆକ୍ରମଣ ସୀମିତ ଥିଲା ଏବଂ ଏହି ପର୍ଯ୍ୟୟ ଶେଷ ହୋଇଛି ବୋଲି ଆମେରିକା ପ୍ରତିରକ୍ଷା ସଚିବ ଜେମ୍‌ସ ମାଟିସ୍‌ ଘୋଷଣା କରିଥିଲେ ମଧ୍ୟ ଏହି ପ୍ରସଙ୍ଗରେ ଦୁଇ ମହାଶକ୍ତି ଆମେରିକା ଓ ରୁଷିଆ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଆମେରିକା, ବ୍ରିଟେନ୍‌ ଏବଂ ଫ୍ରାନ୍‌୍‌ସ ବିରୋଧରେ ସବୁ ମୂଲ୍ୟ ଦେଇ ଲଢ଼ିବାକୁ ସିରିୟା ସରକାରୀ ସେନା ଆଜି ଘୋଷଣା କରିଛି। ସିରିୟାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପୂର୍ବାପେକ୍ଷା ସୁଦୃଢ଼ ହୋଇଥିବା ବେଳେ ଖୁବ୍‌୍‌ଶୀଘ୍ର ରୁଷ୍‌ର ମହଶାକ୍ତିଶାଳୀ କ୍ଷେପଣାସ୍ତ୍ର ବ୍ୟବସ୍ଥା ଏସ୍‌-୪୦୦ ମଧ୍ୟ ମୁତୟନ ହେବ ବୋଲି ଜଣାପଡ଼ିଛି । ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକରେ ରୁଷ୍‌ ଏବଂ ଚୀନ୍‌ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଥିବା ବେଳେ ଆମେରିକା ତା’ର ସିରିୟା ନୀତିରେ କୌଣସି ପରିବର୍ତ୍ତନ ଆଣିବ ନାହିଁ ବୋଲି କହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏଭଳି ଆକ୍ରମଣ ଅନ୍ତର୍ଜତୀୟ ଶାନ୍ତି ଓ ସୁରକ୍ଷା କ୍ଷେତ୍ରରେ ଏକ ଗମ୍ଭୀର ସମସ୍ୟା ବୋଲି ଜାତିସଂଘ ମହାସଚିବ ଏଣ୍ଟୋନିଓ ଗ୍ୟୁଟେରେସ୍‌ କହିଛନ୍ତି। ଗତ ୭ ତାରିଖରେ ପୂର୍ବାଞ୍ଚଳର ଡୁମା ସହରରେ ହେଲିକପ୍ଟର ଯୋଗେ ମାରାତ୍ମକ ସାରିନ୍‌ ଗ୍ୟାସ୍‌ ବୋମା ମାଡ଼ କରାଯିବା ପରେ ଘଟଣାସ୍ଥଳରେ ହିଁ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିିତ୍ସାଧୀନ ଅବସ୍ଥାରେ ୧୫୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଆକ୍ରମଣ ସିରିୟା ସରକାର ହିଁ କରିଥିବା ଆମେରିକା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ସିରିୟା ସରକାର ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି। ଇସ୍ରାଏଲ ଏଭଳି ଆକ୍ରମଣ କରିଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ସିରିୟା ଏବଂ ରୁଷ୍‌ ସରକାରଙ୍କ ଦାବିକୁ ଆମେରିକା ପ୍ରତ୍ୟାଖ୍ୟାନ କରିଥିଲା। ଆଜି ଆକ୍ରମଣ ପରେ ଆମେରିକା ପ୍ରତିରକ୍ଷା ସଚିବ ମାଟିସ୍‌ କହିଛନ୍ତି ଯେ ବସର-ଅଲ୍‌-ଅସଦ ସରକାରଙ୍କ ବିରୋଧରେ ନିଆଯାଇଥିବା ଏହି କାର୍ଯ୍ୟାନୁଷ୍ଠାନ ବଡ଼ ଧରଣର ଆକ୍ରମଣର ଏକ ପୂର୍ବାଭାସ ମାତ୍ର। ରାସାୟନିକ ଅସ୍ତ୍ର ବ୍ୟବହାର କଲେ ପୁଣି ଏଭଳି ଆକ୍ରମଣ ପାଇଁ ଆମେରିକା ପଛାଇବ ନାହିଁ ବୋଲି ସେ କହିଛନ୍ତି।

ଆକ୍ରମଣ ହିଁ ଦଣ୍ଡ: ଟ୍ରମ୍ପ
ଓ୍ଵାସିଂଟନ: ସିରିୟା ଉପରେ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଆଜି ଆମେରିକାବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଉଦ୍ଧତ ରାକ୍ଷସରୂପୀ ବସର-ଅଲ-ଅସଦ ସରକାରଙ୍କ ଅପରାଧ ପାଇଁ ଏହା ହିଁ ହେଉଛି ଦଣ୍ଡ। ରାସାୟନିକ ଅସ୍ତ୍ରଶସ୍ତ୍ରର ଉତ୍ପାଦନ, ପ୍ରସାର ଓ ବ୍ୟବହାର କରୁଥିବା ସିରିୟା ଏବେ ନିଜର ଜନତାଙ୍କୁ ଏହାଦ୍ୱାରା ହତ୍ୟା କରୁଥିବାରୁ ଏଥିରେ ଅଙ୍କୁଶ ଲାଗିବା ଜରୁରୀ ଥିଲା ବୋଲି ଟ୍ରମ୍ପ୍‌ କହିଛନ୍ତି। ଆଗକୁ ମଧ୍ୟ ନିରୀହ ଜନତାଙ୍କ ଉପରେ ବର୍ବରତାକୁ ବରଦାସ୍ତ କରାଯିବ ନାହିଁ ଏବଂ ସିରିୟା ସରକାରକୁ ଏହା ଏକ ଚେତାବନୀ ବୋଲି ସେ କହିଛନ୍ତି। ସିରିୟା ସରକାର ରାସାୟନିକ ଅସ୍ତ୍ରରେ ଆକ୍ରମଣ କରି ଶତାଧିକ ନିରୀହ ଜନତା ଓ ଶିଶୁଙ୍କ ମୃତ୍ୟୁର କାରଣ ହେବାକୁ କୌଣସି ସଭ୍ୟ ରାଷ୍ଟ୍ର ବରଦାସ୍ତ କରିପାରିବେ ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି। ସିରିୟାର ସମସ୍ତ କ୍ଷତି ଏବଂ ସାଂପ୍ରତିକ ପରିସ୍ଥିତି ପାଇଁ କେବଳ ରୁଷିଆ ଓ ଇରାନ୍‌ ଭଳି ରାଷ୍ଟ୍ର ଦାୟୀ ବୋଲି ଟ୍ରମ୍ପ୍‌ କହିଛନ୍ତି। ସୂଚନାଯୋଗ୍ୟ ସିରିୟାରେ ରାସାୟନିକ ଆକ୍ରମଣକୁ ବିରୋଧ କରି ଆମେରିକା ଏଭଳି କାର୍ଯ୍ୟାନୁଷ୍ଠାନ ନେବା ଦ୍ୱିତୀୟ ଘଟଣା। ୨୦୧୭ ଏପ୍ରିଲରେ ଆମେରିକାର କ୍ରୁଜ୍‌ କ୍ଷେପଣାସ୍ତ୍ର ଆକ୍ରମଣରେ ସିରିଆ ବାୟୁସେନାର ୨୦ ପ୍ରତିଶତ ବିମାନ ଧ୍ୱଂସ ହୋଇଯାଇଥିଲା।

ସମ୍ବନ୍ଧିତ ଖବର