ନ୍ୟୁୟର୍କ କୋଠାରେ ଅଗ୍ନକାଣ୍ଡ: ୧୨ ମୃତ; ୪ ଆହତ

ନ୍ୟୁୟର୍କ: ଗୁରୁବାର ସନ୍ଧ୍ୟାରେ ନ୍ୟୁୟର୍କ ଅନ୍ତର୍ଗତ ବୋରା ଅଫ୍‌ ଦି ବ୍ରୋଙ୍କ୍‌ସ୍‌ ଠାରେ ଗୋଟିଏ ୫ ତାଲା ବିଶିଷ୍ଟ ଅଟ୍ଟାଳିକାରେ ନିଅାଁ ଲାଗି ଯାଇଛି। ଏଥିଯୋଗୁଁ ଅନ୍ୟୂନ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୪ ଜଣ ସାଙ୍ଘାତିକ ଆହତ ହୋଇଛନ୍ତି ବୋଲି ସେଠାକାର ମେୟର କହିଛନ୍ତି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛି ଗୋଟିଏ ବର୍ଷିକିଆ ଶିଶୁ।

୨୩୬୩ ପ୍ରୋସ୍‌ପେକ୍ଟ୍‌ ଆଭେନ୍ୟୁ ଅଞ୍ଚଳରେ ଘଟିଥିବା ଏହି ଅଗ୍ନି କାଣ୍ଡର କାରଣ ତୁରନ୍ତ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ, ପ୍ରଥମ ତାଲାରୁ ନିଅାଁ ଲାଗି ସହସା ତୃତୀୟ ତାଲାକୁ ଚରି ଯାଇଥିବା କଥା ଅଧିକାରୀମାନଙ୍କ ସୂତ୍ରରୁ ପ୍ରକାଶ।

୧୫ ଡିଗ୍ରିର ହାଡ଼ଭଙ୍ଗା ଶୀତରେ ପ୍ରାୟ ୧୭୦ ଜଣ ଅଗ୍ନିଶମ କର୍ମଚାରୀ ଲାଗିପାତି ସେ କୋଠାରୁ ଲୋକମାନଙ୍କୁ ଉଦ୍ଧାର କରିଥିଲେ। ଦମକଳ ପାଇପ୍‌ରୁ ପକା ଯାଉଥିବା ପାଣି ରାସ୍ତାରେ ପଡ଼ିଲା ମାତ୍ରେ ବରଫ ପାଲଟି ଯାଉଥିଲା।

ନିଅାଁ ଲିଭିଯିବା ପରେ ମେୟର୍‌ ବିଲ୍‌ ଡି ବ୍ଲେସିଓ ଘଟନାସ୍ଥଳରେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମୁଁ ଦୁଃଖର ସହ କହୁଛି କି, ଜଣେ ବର୍ଷିକିଆ ପିଲା ସମେତ ୧୨ ଜଣ ନ୍ୟୁୟର୍କ ବାସିନ୍ଦାଙ୍କର ମୃତ୍ୟୁ ଘଟିଛି।

ସାଙ୍ଘାତିକ ଆହତ ହୋଇଥିବା ଅନ୍ୟ ଚାରି ଜଣ ଲୋକ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ମେୟର୍‌ କହିଛନ୍ତି: ଆମେ ସେମାନଙ୍କୁ ମଧ୍ୟ ହରାଇ ପାରୁ।

Image Courtesy of Al Arabiya

ଅଗ୍ନିକାଣ୍ଡ ଯୋଗୁଁ ସେ ଅଟ୍ଟାଳିକାର ଉପର ତାଲାଗୁଡ଼ିକର ଝରକା ସବୁ ଭାଙ୍ଗିରୁଜି ଯିବା ସହ କଳା ପଡ଼ି ଯାଇଛି।
ମୃତ ବ୍ୟକ୍ତିମାନଙ୍କର ବୟସ ବର୍ଷକରୁ ୫୦ ବର୍ଷ ମଧ୍ୟରେ ହେବ। ଅଟ୍ଟାଳିକାରୁ ବାହାର କରାଯାଇଥିବା ଲୋକମାନଙ୍କୁ ଆଶ୍ରୟ ଦେବା ପାଇଁ ନିକଟବର୍ତ୍ତୀ ସ୍କୁଲ୍‌ରେ ବ୍ୟବସ୍ଥା କରା ଯାଇଛି।

ସନ୍ଧ୍ୟା ସାତଟା ବେଳେ ଅଟ୍ଟାଳିକାରେ ନିଅାଁ ଲାଗିବା ପରେ ସେଥିରେ ଲାଗି ଥିବା ପାଞ୍ଚଟିଯାକ ଫାୟାର ଆଲାର୍ମ ବାଜି ଉଠିଥିଲା।

ସିଟି ରେକର୍ଡ ଅନୁସାରେ, ସେ ଅଟ୍ଟାଳିକାରେ ଲିଫ୍‌ଟ୍‌ ନ ଥିଲା।

ସମ୍ବନ୍ଧିତ ଖବର