ନ୍ୟୁଜିଲାଣ୍ଡ୍‌ ଗଣହତ୍ୟା ପଛରେ ଘୃଣାଭାବ

ହତ୍ୟାକାରୀ ଶିଶୁ, ମହିଳା ଓ ଆହତଙ୍କୁ ବି ଛାଡ଼ିନଥିଲା, ‘ହେଲୋ ବ୍ରଦର୍‌’ କହିବା ପରେ ଗୁଳିବର୍ଷା କରିଥିଲା

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୂଜିଲାଣ୍ଡର୍‌ ଖ୍ରୀଷ୍ଟ୍‌ଚର୍ଚ୍ଚ ସହରରେ ଶୁକ୍ରବାର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଭୟାନକ ଗଣହତ୍ୟା ଆଧୁନିକ ଇତିହାସରେ ଆଉ ଏକ ବୀଭତ୍ସ ଅଧ୍ୟାୟ ଯୋଡ଼ିଦେଇଛି। ଚରମ ଘୃଣାଭାବରେ ପରିଚାଳିତ ହୋଇ ଆକ୍ରମଣକାରୀ ଅତି ନିଷ୍ଠୁର ଭାବେ ଶିଶୁ, ମହିଳା ଏବଂ ଆହତଙ୍କ ଉପରେ ବି ଗୁଳିମାଡ଼ କରିଥିଲା। ପ୍ରାୟ ୫୦ ଜଣଙ୍କୁ ହତ୍ୟା କରିଥିବା ଏହି ଆତଙ୍କବାଦୀ ଏପରି ଗଣହତ୍ୟାର ଉଦ୍ଦେଶ୍ୟ, ଲାଇଭ୍‌ ଭିଡିଓ ପ୍ରଚାର କରିବା ପାଇଁ ସୋସିଆଲ ମିଡିଆକୁ ଯେଭଳି ଭାବେ ବ୍ୟବହାର କରିଥିଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି। ହତ୍ୟାର ସମସ୍ତ ଦୃଶ୍ୟ ଏବେ ଭାଇରାଲ ହୋଇଯାଇଛି। ଆହତମାନେ ଗୁରୁଣ୍ଡୁଥିବା ଅବସ୍ଥାରେ ସେମାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା ଏବଂ ମୃତକଙ୍କ ମଧ୍ୟରେ ଛପି ଯାଇ ଜୀବନ ବଞ୍ଚାଇବାକୁ ପ୍ରୟାସ କରୁଥିବା ଲୋକଙ୍କୁ ମଧ୍ୟ ଖୋଜି ଖୋଜି ଗୁଳି ମାରିଥିଲା ଆତଙ୍କବାଦୀ। ଦୌଡ଼ି ପଳାଉଥିବା ମହିଳା ଏବଂ ଝିଅମାନଙ୍କୁ ମଧ୍ୟ ନିଶାଣ କରି ଗୁଳି ବର୍ଷା କରିଥିଲା ଏହି ନର ପିଶାଚ। ଏହି ଗଣହତ୍ୟା ବିଶ୍ବବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି ହତ୍ୟାକାରୀ ବେଣ୍ଟନ୍‌ ହାରିସନ ଟେରାଣ୍ଟ୍‌ (୨୮)କୁ ଅଦାଲତରେ ହାଜର କରାଯାଇଛି। ଏହି ଅଷ୍ଟ୍ରେଲୀୟ ନାଗରିକ ବିରୋଧରେ ପୁଲିସ ଗଣହତ୍ୟାର ସମସ୍ତ ପ୍ରମାଣ ଅଦାଲତରେ ଉପସ୍ଥାପନ କରିଛି।

ପୁଲିସ ଗତକାଲିଠାରୁ ଅଟକ ରଖିଥିବା ୩ ଜଣଙ୍କ ମଧ୍ୟରେ ରହିଥିବା ଜଣେ ୧୮ ବର୍ଷର ଯୁବକକୁ ପ୍ରମାଣ ଅଭାବରୁ ଛାଡ଼ି ଦିଆଯାଇଛି। ବର୍ଣ୍ଣବାଦ ଏବଂ ଘୃଣାହିଂସାର ପ୍ରଚାର ପ୍ରସାର ପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର କରିଥିବା ବ୍ରେଣ୍ଟୋ ଫେସ୍‌ବୁକ୍‌ରେ ଗୁଳିକାଣ୍ଡର ପୂରା ଭିଡିଓ ଲାଇଭ୍‌ ଛାଡ଼ିଥିଲା ଏବଂ ଏହାକୁ ଭାଇରାଲ କରିବା ତା’ର ଉଦ୍ଦେଶ୍ୟ ଥିଲା। ବ୍ରେଣ୍ଟୋର ଏହି ଉଦ୍ଦେଶ୍ୟ ସଫଳ ହୋଇଥିବାରୁ ନ୍ୟୁଜିଲାଣ୍ଡ ସରକାର ବିଭିନ୍ନ ସହରରେ ହାଇଆଲର୍ଟ ଜାରି କରିଛନ୍ତି। ଆକ୍ରମଣକାରୀ ପ୍ରଥମେ ଅଲ୍‌ନୁର ମସ୍‌ଜିଦ୍‌ରେ ଆକ୍ରମଣ ପାଇଁ ପହଞ୍ଚିବା ପରେ ମୁଖ୍ୟ ଫାଟକରେ ଥିବା ଲୋକଙ୍କୁ ‘ହେଲୋ ବ୍ରଦର୍’ କହି ସମ୍ବୋଧନ କରିବା ସହ ଗୁଳିମାଡ଼ ଆରମ୍ଭ କରିଦେଇଥିଲା। ଗେଟ୍‌ ନିକଟରୁ ଆତଙ୍କବାଦୀ ଗୁଳିବର୍ଷା କରି ଭିତରେ ପଶିଥିଲା ଏବଂ କେତେକ ଆହତଙ୍କୁ ଅତି ନିକଟରୁ ଗୁଳି ମାରିଥିଲା। କେତେକ ବ୍ୟକ୍ତି ମସ୍‌ଜିଦ୍‌ର କାନ୍ଥ ଡେଇଁ ପଳାଇବାକୁ ପ୍ରୟାସ କରୁଥିବା ବେଳେ ମଧ୍ୟ ଆତଙ୍କବାଦୀ ସେମାନଙ୍କ ଉପରେ ଗୁଳିବର୍ଷା କରିଥିଲା।

ନିଖୋଜ ୯ ଭାରତୀୟଙ୍କ ମଧ୍ୟରୁ ୫ ମୃତ
ନ୍ୟୁଜିଲାଣ୍ଡ୍‌ର ଖ୍ରୀଷ୍ଟଚର୍ଚ୍ଚ ସହରରେ ଗତକାଲି ୨ଟି ମସ୍‌ଜିଦ୍‌ରେ ଆତଙ୍କବାଦୀ ଆକ୍ରମଣପରେ ନିଖୋଜ ଥିବା ୯ ଜମ ଭାରତୀୟଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଅନ୍ୟମାନଙ୍କୁ ଠାବ କରିବା ପାଇଁ ଭାରତୀୟ ହାଇକମିସନର ସ୍ଥାନୀୟ ପୁଲିସ ପ୍ରଶାସନ ସହାୟତାରେ ପ୍ରୟାସ ଜାରି ରଖିଛନ୍ତି। ମୃତ ଭାରତୀୟଙ୍କ ମଧ୍ୟରେ ହାଇଦ୍ରାବାଦର ଫର୍‌ହାଜ ଏହସାନ ନାମକ ଜଣେ କଂପ୍ୟୁଟର ଇଂଜିନିୟର, ଜଣେ ଅହମଦାହବାଦ ନିବାସୀ ଏବଂ ଗୁଜରାଟର ଅନ୍ୟ ତିନି ଜଣ ବୋଲି ଜଣାଯାଇଛି। ସେମାନଙ୍କ ପରିବାର ସହ ଆମେ ଲଗାତାର ସଂପର୍କରେ ରହିଛୁ ଏବଂ ବିଦେଶ ମନ୍ତ୍ରାଳୟ ଏ ଦିଗରେ ଅହରହ କାମ କରୁଛି ବୋଲି ହାଇକମିସନର କହିଛନ୍ତି।

ସମ୍ବନ୍ଧିତ ଖବର