ଦ୍ବିତୀୟ ବଶ୍ବଯୁଦ୍ଧ ମେଡାଲଧାରୀ ବିଧବା ପତ୍ନୀଙ୍କ ମାନବାଧିକାର ସୁରକ୍ଷା ପ୍ରସଙ୍ଗ : ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନଏଚଆରସି ନୋଟିସ୍

ନୂଆଦିଲ୍ଲୀ : ଦ୍ବିତୀୟ ବିଶ୍ବଯୁଦ୍ଧରେ ମେଡାଲଧାରୀ ସ୍ବର୍ଗତ ବୀରେନ୍ଦ୍ର ନାଥ ମହାନ୍ତିଙ୍କ ବିଧବା ପତ୍ନୀ ସୁକାନ୍ତୀ ଲତା ମହାନ୍ତିଙ୍କ ମାନବାଧିକାର ସୁରକ୍ଷା ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର କମିସନ୍‌ (ଏନଏଚଆରସି) ନୋଟିସ୍ ଜାରି କରି ରିପୋର୍ଟ ତଲବ କରିଛନ୍ତି । ୪ ସପ୍ତାହ ପରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନର ଶୁଣାଣି କରି ଏନଏଚଆରସି ନୋଟିସ ଜାରି କରିଛି । ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଧାମନଗର ଏନ୍ଏସି କର୍ତ୍ତୃପକ୍ଷ ଦ୍ବିତୀୟ ବିଶ୍ବଯୁଦ୍ଧର ଯୋଦ୍ଧାଙ୍କ ବିଧବା ପତ୍ନୀ ସ୍ବାମୀଙ୍କ ଦ୍ବାରା କିଣାଯାଇଥିବା ଜମିକୁ ନିଜ ଦଖଲରେ ନେଇଥିବା ନେଇ ତ୍ରିପାଠୀ ପିଟିସନରେ ଉଲ୍ଲେଖ କରିଥିଲେ । ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ବାରା ମହିଳାଙ୍କ ସମ୍ପତ୍ତିର ମାଲିକାନାକୁ ନେଇ ଅଯଥା‌ରେ ବିବାଦ ସୃଷ୍ଟି କରାଯାଥିଲା ଏବଂ ୨୦ ବର୍ଷ ଧରି ବରିଷ୍ଠ ବିଧବା ମହିଳାଙ୍କ ଦ୍ବାରା ପ୍ରଶାସନଙ୍କ ନିକଟରେ ଗୁହାରି କରାଯାଇଥିବା ବେଳେ କୌଣସି ନ୍ୟାୟ ନମିଳିଥିବା ତ୍ରିପାଠୀ ପିଟିସନରେ ଦର୍ଶାଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ଯଦି ଚାରି ସପ୍ତାହରେ ନମିଳେ ତାହାହେଲେ ଏନଏଚଆରସି ଦ୍ବାରା ମାନବାଧିକାରସୁରକ୍ଷା ଆଇନ ୧୯୯୩ର ଧାରା ୧୩ ଅନ୍ତର୍ଗତ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର