ଶାହ-ଅୱେସି କଥା କଟାକଟି, ଲୋକସଭାରେ ଏନଆଇଏ ବିଲ୍ ଗୃହୀତ

ନୂଆଦିଲ୍ଲୀ,: ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ ଓ ହାଇଦ୍ରାବାଦର ସାଂସଦ ଅସଉଦ୍ଦିନ ଅୱେସିଙ୍କ ମଧ୍ୟରେ କଥା କଟାକଟି ହୋଇଛି। ଜାତୀୟ ତଦନ୍ତ ଏଜେନ୍ସି (ସଂଶୋଧନ) ବିଲ୍ ଉପରେ ଆଲୋଚନା ସମୟରେ ଗୃହରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ବିଜେପି ସାଂସଦ ସତ୍ୟପାଲ ସିଂହ ବକ୍ତବ୍ୟ ରଖିବା ବେଳେ ଅୱେସିଙ୍କ ସମେତ ବିରୋଧୀ ସଦସ୍ୟମାନେ ପାଟିତୁଣ୍ଡ କରିଥିଲେ। ଏକ ନିର୍ଦ୍ଦିଷ୍ଟ ମାମଲାର ତଦନ୍ତ ବେଳେ ରାଜ୍ୟର ଜଣେ ନେତା ହାଇଦ୍ରାବାଦ ପୁଲିସ କମିସନରଙ୍କୁ ଧମକ ଦେଇଥିଲେ। ତଦନ୍ତର ଦିଗ ନବଦଳାଇଲେ ତାଙ୍କୁ କମିସନର ପଦରୁ ବଦଳି କରି ଦିଆଯିବ ବୋଲି କୁହାଯାଇଥିଲା। ସେହି ସମୟରେ ସେ ମୁମ୍ବାଇ ପୁଲିସ କମିସନର ଥିବାରୁ ଏ ବିଷୟ ଜାଣିବାକୁ ପାଇଥିଲେ ବୋଲି ସତ୍ୟପାଲ କହିଥିଲେ। ସତ୍ୟପାଲଙ୍କ ଏହି ବିବୃତିକୁ ଅୱେସି ଦୃଢ଼ ବିରୋଧ କରିବା ସହିତ ଏହାର ପ୍ରମାଣ ଦାବି କରିଥିଲେ। ଏହି ସମୟରେ ହଠାତ୍ ଗୃହମନ୍ତ୍ରୀ ଶାହ ତାଙ୍କ ଆସନରେ ଠିଆ ହୋଇ ଅୱେସିଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ କହିଥିଲେ ବିରୋଧୀ ସଦସ୍ୟମାନେ ଶାସକ ଦଳର ସଦସ୍ୟଙ୍କ କଥା ଶୁଣିବା ନେଇ ଧୈର୍ଯ୍ୟ ରଖିବା ଉଚିତ। ଶାହଙ୍କ ଏହି କଥାରେ ଅୱେସି ରାଗିଯାଇ ତାଙ୍କ ଆଡ଼କୁ ଆଙ୍ଗୁଠି ‌ନଦେଖାଇବାକୁ କହିଥିଲେ। ତାଙ୍କୁ ଭୟଭୀତ କରାଯାଇ ପାରିବ ନାହିଁ ବୋଲି ସେ କହିଥିଲେ। ଏହାର ଜବାବରେ ଗୃହମନ୍ତ୍ରୀ ଶାହ ତତ୍‌କ୍ଷଣାତ ରଖିଥିଲେ। ଶାହ କହିଥିଲେ ସେ କାହାକୁ ଭୟଭୀତ କରିବାକୁ ଚାହୁନାହାନ୍ତି। ତେବେ ଜଣଙ୍କ ମନରେ ଯଦି ଭୟ ରହିଛି ତାହେଲେ ସେ ସେଥିପାଇଁ କିଛି କରିପାରିବେ ନାହିଁ। ଲୋକସଭାରେ ଆଜି ଏହି ବିଲ୍ ଗୃହୀତ ହୋଇଛି।

ସମ୍ବନ୍ଧିତ ଖବର