ଭୟଙ୍କର ରୂପ ନେଉଛି ନିପା:୭୫୩ ଚିକିତ୍ସାଧୀନ: ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ମାଲେସିଆରୁ ଆସିଲା ପ୍ରତିଷେଧକ:ସଂକ୍ରମଣ ଭୟରେ ସ୍କୁଲ, କଲେଜ ବନ୍ଦ

ନୂଆଦିଲ୍ଲୀ: କେରଳରେ ଦେଖାଦେଇଥିବା ନିପା ଭୂତାଣୁ ଏବେ ମହାମାରୀର ରୁପ ନେବାକୁ ବସିଲାଣି। ମିଳିଥିବା ସଦ୍ୟ ରିପୋର୍ଟ ମୁତାବକ, ଏ ପର୍ଯ୍ୟନ୍ତ କେବଳ କେରଳରେ ମୃତ୍ୟୁସଂଖ୍ୟା ୧୭ ଛୁଇଁଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଏହି ଭୂତାଣୁ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ମଧ୍ୟ ଏହି ଘଟଣାରେ ଚିନ୍ତାପ୍ରକଟ କରିଥିବା ବେଳେ ନିପା ଭାରତ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଗଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ମୁତାବକ, ଏବେ ବି ୭୫୩ ଜଣ ନିପା ଆକ୍ରାନ୍ତ ଆଶଙ୍କାରେ ଚିକିତ୍ସାଧୀନ ଅଛନ୍ତି। ଜେନିଭାରେ ଆୟାଜିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୭୧ ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା କହିଛନ୍ତି ଯେ,କେରଳରେ ଯଥା ସମ୍ଭବ ଏହି ଭୂତାଣୁ ସଂକ୍ରମଣ ରୋକିବାକୁ ଚେଷ୍ଟା କରାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଯଥେଷ୍ଟ ପଦକ୍ଷେପ ନିଆଯାଉଛି।

ଦୁଇ ଦିନ ତଳେ ମାଲେସିଆରୁ ମଧ୍ୟ ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରତିଷେଧକ ଭାରତ ଆସିଛି। ଏହି ପ୍ରତିଷେଧକର ନାମ ହେଉଛି ‘ରିବାଭିରିନ୍‌’। ରାଜ୍ୟର ୧୯୨ ଜଣଙ୍କ ରକ୍ତ ନମୂନା ମଧ୍ୟରୁ ୧୮ଟିରେ ନିପା ସଂକ୍ରମଣ ପରିଲକ୍ଷିତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ସେହିପରି ୭୫୩ ଜଣଙ୍କ ରକ୍ତ ନମୂନା ପରୀକ୍ଷଣ ପାଇଁ ପୁନେସ୍ଥିତ ଭାରତୀୟ ଭୂତାଣୁ ଅଧ୍ୟୟନ କେନ୍ଦ୍ର ଓ ମଣିପାଲ ଭୂତାଣୁ ଗବେଷଣା କେନ୍ଦ୍ରକୁ ପଠାଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛନ୍ତି। ଭୂତାଣୁ ସଂକ୍ରମଣ ଭୟରେ ରାଜ୍ୟରେ ସ୍କୁଲ୍‌, କଲେଜ ବନ୍ଦ ରହିଛି।

ସମ୍ବନ୍ଧିତ ଖବର