କେରଳରେ ‘ନିପା’ ନେଲାଣି ୧୧ ଜୀବନ; କ’ଣ ଏହି ‘ନିପା’, କ’ଣ ଏହାର ଲକ୍ଷଣ…

ନୂଆଦିଲ୍ଲୀ: ନୂତନ ଭାବେ ଠାବ ହୋଇଥିବା ‘ନିପା’ ଭୂତାଣୁ (ଭାଇରସ୍‌)ରେ ଆକ୍ରାନ୍ତ ହୋଇ କେରଳରେ ୧୧ ଜଣ ପ୍ରାଣ ହରାଇବା ପରେ ଏବେ ଘାତକ ‘ନିପା’କୁ କେନ୍ଦ୍ରକରି କେରଳ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି।

‘ନିପା’ ଭୂତାଣୁ ବା ଭାଇରସ୍‌ କ’ଣ?

‘ନିପା’ ଭୂତାଣୁ ବା ଭାଇରସ୍‌ କ’ଣ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍‌ଲ୍ୟୁଏଚ୍‌ଓ) ଅନୁଯାୟୀ ନୂତନ ରୂପେ ଠାବ ହୋଇଥିବା ‘ନିପା’ ଏମିତି ଏକ ଭୂତାଣୁ ଯାହା ଉଭୟ ପ୍ରାଣୀ ଓ ମନୁଷ୍ୟକୁ ଆକ୍ରାନ୍ତ କରିଥାଏ। ସର୍ବପ୍ରଥମେ ୧୯୯୮ରେ ମାଲେସିୟା ନିପା ଗ୍ରାମରେ ଏହି ଘାତକ ଭୂତାଣୁକୁ ଠାବ କରାଯାଇଥିଲା। ସେଥିପାଇଁ ଏହି ଭୂତାଣୁର ନାମକରଣ ‘ନିପା’ ହୋଇଛି। ପ୍ରଥମେ ମାଲେସିୟାର ଘୁଷୁରୀମାନଙ୍କ ଠାରେ ‘ନିପା’କୁ ଠାବ କରାଯାଇଥିଲା। ତେବେ, ପରବର୍ତ୍ତୀ ସମୟରେ ସେଠାର ଗୃହପାଳିତ ପଶୁ ଯେପରିକି କୁକୁର, ବିଲେଇ, ଛେଳି, ମେଣ୍ଡା, ଘୋଡ଼ା ଆଦିଙ୍କ ଠାରେ ଦେଖିବାକୁ ମିଳିଥିଲା। ତେବେ, ଏହି ଭୂତାଣୁର ମୁଖ୍ୟ ବାହକ ହେଉଛି ଘୁଷୁରୀ। ଆଉ ‘ନିପା’ ଆକ୍ରାନ୍ତ ଘୁଷୁରୀ ସଂସ୍ପର୍ଶରେ ଆସିଲେ ଏହା ସଂକ୍ରମିତ ହେବା ସହ ଘାତକ ସାବ୍ୟସ୍ତ ହୋଇଥାଏ। ଏହାପରେ ବାଂଲାଦେଶରେ କିଛି ବ୍ୟକ୍ତି ‘ନିପା’ ଦ୍ୱାରା ଆକ୍ରାନ୍ତ ହୋଇ ମୁତ୍ୟୁମୁଖରେ ପଡ଼ିଥିଲେ।
ତେବେ, ଭାରତରେ ସର୍ବପ୍ରଥମ ଥର ପାଇଁ ୨୦୦୧ରେ ସିଲିଗୁଡ଼ି ଠାରେ ‘ନିପା’ ଭୂତାଣୁର ପ୍ରାଦୁର୍ଭାବ ଦେଖିବାକୁ ମିଳିଥିଲା। ସେ ସମୟରେ ସିଲିଗୁଡ଼ିରେ ଚିହ୍ନଟ ହୋଇଥିବା ‘ନିପା’ ଆକ୍ରାନ୍ତ ୬୬ ଜଣଙ୍କ ମଧ୍ୟରୁ ୪୫ ଜଣଙ୍କ ପ୍ରାଣ ନେଇ ଯାଇଥିଲା ଏହି ଭୂତାଣୁ। ଏଥି ସହ ଏହି ସମୟରେ ‘ନିପା’ ଭୂତାଣୁ ବାବଦରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜଣା ପଡ଼ିଥିଲା। ସେଇଟି ହେଉଛି, ଏହି ଭୂତାଣୁ ‘ନିପା’ ମନୁଷ୍ୟଙ୍କ ଠାରୁ ମନୁଷ୍ୟଙ୍କ ମଧ୍ୟରେ ଖୁବ୍‌ ଦ୍ରୁତ ବେଗରେ ବ୍ୟାପୁଥିଲା। କାରଣ, ସିଲିଗୁଡ଼ିରେ ‘ନିପା’ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩୩ ଜଣ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ରୋଗୀଙ୍କ ସଂପର୍କୀୟ ଏଥିରେ ଆକ୍ରାନ୍ତ ହୋଇଥିଲେ। କେରଳରେ ‘ନିପା’ରେ ଆକ୍ରାନ୍ତ ହୋଇ ୧୧ ଜଣ ମୁତ୍ୟୁମୁଖରେ ପଡ଼ିବା ପୂର୍ବରୁ ସମଗ୍ର ବିଶ୍ୱରେ ଏଯାବତ୍‌ ୪୭୭ ଜଣ ‘ନିପା’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବା ସହ ୨୫୨ ଜଣ ଏଥିରେ ପ୍ରାଣ ହରାଇଛନ୍ତି।

‘ନିପା’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବାର ଲକ୍ଷଣ

‘ନିପା’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ରୋଗୀ ଶରୀରରେ ଯେଉଁସବୁ ଲକ୍ଷଣ ଦେଖା ଯାଇଥାଏ ସେଗୁଡ଼ିକ ମଧ୍ୟରେ ପ୍ରଧାନ ହେଲା ଜ୍ୱର, ମୁଣ୍ଡବିନ୍ଧା, ନିଦୁଆ ଲାଗିବା, ରୋଗୀ ମାନସିକ ସ୍ତରରେ ଅପ୍ରତିଭ ହେବା, ପାର୍ଥକ୍ୟ ବାରି ନପାରିବା ଏବଂ କୋମାକୁ ଚାଲିଯିବା ଇତ୍ୟାଦି। ଏହି ରୋଗରେ ଆକ୍ରାନ୍ତ ହେଲେ ଆରୋଗ୍ୟ ଲାଭର ସମ୍ଭାବନା ଥିଲେ ସୁଦ୍ଧା ଏହି ରୋଗରେ ମୁତ୍ୟୁହାର ୭୦ ପ୍ରତିଶତ ରହିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍‌ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର