ଲଣ୍ଡନରେ ନିରବ ଗିରଫ : ଜାମିନ ଖାରଜ, ୨୯ ଯାଏ ଜେଲ୍‌ରେ ରହିବେ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରେ ୧୪ ହଜାର କୋଟି ଟଙ୍କାର ଠକେଇ କରିଥିବା ହୀରା ବ୍ୟବସାୟୀ ନିରବ ମୋଦୀଙ୍କୁ ଲଣ୍ଡନ ପୁଲିସ ଗିରଫ କରିଛି। ଗତକାଲି ଗିରଫ ହୋଇଥିବା ନିରବଙ୍କୁ ଆଜି ଲଣ୍ଡନର ୱେଷ୍ଟମିନିଷ୍ଟର୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲାର ପରବର୍ତୀ ଶୁଣାଣି ମାର୍ଚ ୨୯ରେ ହେବ। ସେତେଦିନ ପର୍ଯ୍ୟନ୍ତ ନିରବ ବିଚାର ବିଭାଗୀୟ ହାଜତ (ଜେଲ)ରେ ରହିବେ।

ନିରବଙ୍କ ଗିରଫଦାରୀକୁ ଭାରତର କୂଟନୈତିକ ବିଜୟ ବୋଲି କୁହାଯାଉଛି। ପୂର୍ବରୁ ଅନ୍ୟତମ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲଣ୍ଡନରେ ଗିରଫ କରାଇବାରେ ଭାରତ ସଫଳ ହୋଇଥିଲା। ଏବେ ନିରବ ମୋଦୀଙ୍କୁ ଗିରଫ କରାଯାଇଛି। ତାଙ୍କୁ ଭାରତ ଆଣିବା ଲାଗି ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ସିବିଆଇ ପକ୍ଷରୁ ଆଜି କୁହାଯାଉଛି।

ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ମନି ଲଣ୍ଡରିଂ ନିୟମ ଅଧୀନରେ କରାଯାଇଥିବା ଆବେଦନ ଆଧାରରେ ଲଣ୍ଡନର ଏକ ଅଦାଲତ ନିରବଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ନିରବଙ୍କୁ କିଛି ଦିନ ତଳେ ଲଣ୍ଡନରେ ଠାବ କରାଯାଇଥିଲା। ତାଙ୍କ ନିଶଦାଢ଼ି ଥିବା ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ମୁମ୍ବାଇ ଠାରେ ଥିବା ବ୍ରାଡି ହାଉସ୍‌ ଶାଖାରେ ଲେଟର ଅଫ୍ ଅଣ୍ଡରଟେକିଂ (ଏଲ୍‌ଓୟୁ)ର ଅପବ୍ୟବହାର କରି ନିରବ ଓ ତାଙ୍କ ମାମୁଁ ମେହୁଲ ଚୋକ୍‌ସି ୧୪ ହଜାର କୋଟି ଟଙ୍କାର ଠକେଇ କରିଥିଲେ। ଏହି ଠକେଇ ବିଷୟରେ ଜଣାପଡ଼ିବା ପୂର୍ବରୁ ଉଭୟ ମାମୁଁ ଭଣଜା ଗତବର୍ଷ ଜାନୁଆରିରେ ଭାରତ ଛାଡ଼ି ଚାଲିଥିଲେ। ସେହିଦିନ ଠାରୁ ସେମାନେ କେଉଁ ଦେଶରେ ଲୁଚିଛନ୍ତି ତାହା ଜାଣିବାକୁ ଉଦ୍ୟମ କରାଯାଉଥିଲା। ପ୍ରଥମେ କୁହାଯାଉଥିଲା ଯେ ନିରବ ହଂକଂରେ ଲୁଚିଛନ୍ତି। କିନ୍ତୁ ସେ ଦୀର୍ଘଦିନ ଧରି ଲଣ୍ଡନରେ ଥିବା ଜଣାପଡ଼ିଛି। ପୁଞ୍ଜିନିବେଶ କରିବା ପ୍ରତିଶ୍ରୁତି ଦେଇ ନିବେଶକଙ୍କୁ ପ୍ରଦାନ କରାଯାଉଥିବା ଗୋଲ୍‌ଡେନ୍ ଭିସା ବ୍ୟବହାର କରି ସେ ଲଣ୍ଡନରେ ପ୍ରବେଶ କରିଥିଲେ ଏବଂ ସେହିଦିନ ଠାରୁ ସେଠାରେ ରହିଛନ୍ତି। ତାଙ୍କ ମାମୁଁ ମେହୁଲ ଚୋକ୍‌ସି ଆଣ୍ଟିଗୁଆରେ ରହୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର