ସବୁ ପଳାତକ ଲଣ୍ଡନ ମୁହାଁ, ବ୍ରିଟେନରେ ରାଜନୈତିକ ଆଶ୍ରୟ ମାଗିଲା ନିରବ ମୋଦି

ନୂଆଦିଲ୍ଲୀ : ବୋଧହୁଏ ବ୍ରିଟେନ ହିଁ ସବୁ ପଳାତକ ଅପରାଧୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ପ୍ରଥମେ ଲଲିତ ମୋଦି, ବିଜୟ ମାଲ୍ୟା ପରେ ଏବେ ନିରବ ମୋଦି ମଧ୍ୟ ଏଠାରେ ରହିବାକୁ ଉଦ୍ୟମ କରୁଛି । ବହୁଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁଖ୍ୟ ଅଭିଯୁକ୍ତ ନିରବ ଇତି ମଧ୍ୟରେ ଲଣ୍ଡନ ପଳାଇଯାଇଥିବା ସଂଦେହ କରାଯାଉଛି । ଏପରିକି ସେ ବ୍ରିଟେନରେ ରାଜନୈତିକ ଆଶ୍ରୟ ପାଇଁ ଆବେଦନ କରିଥିବା ଜଣାଯାଇଛି । ତେବେ ବ୍ରିଟେନର ଗୃହ ବିଭାଗ ପକ୍ଷରୁ କୌଣସି ବ୍ୟକ୍ତିଗତ ମାମଲା ଉପରେ ସୂଚନା ଦେବାକୁ ମନାକରିଦେଇଛନ୍ତି ।

ଏହା ପୂର୍ବରୁ ନିରବ ହଂକଂ ଓ ଆମେରିକାର ନ୍ୟୁୟର୍କକୁ ପଳାଇଯାଇଥିଲା । ତେବେ ଏବେ ସେ ଲଣ୍ଡନରେ ଥିବା କୋହଳ ଆନର ସୁଯୋଗ ନେବା ପାଇଁ ସେଠାକୁ ଚାଲିଯାଇଛି । ସୂଚନାଯୋଗ୍ୟ ଯେ ପ୍ରାୟ ୧୩ ହଜାର କୋଟି ଟଙ୍କାର ପିଏନବି ମହାଦୁର୍ନୀତିର ମୁଖ୍ୟ ନାୟକ କୁହାଯାଉଥିବା ନିରବ ମୋଦି ହଂକଂରେ ଥିବା ଗତ ମାର୍ଚ୍ଚ ମାସରେ ହିଁ ଜଣାପଡିଥିଲା । ନିରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସୀ ମିଳିତଭାବେ ଷଡ଼ଯନ୍ତ୍ର କରି ଜାଲ ଏଲଓୟୁ ମାଧ୍ୟମରେ ଏହି ଠକେଇ କରିଥିବା ଜଣାପଡିଛି । ପିଏନବି ଠକେଇ ମାମଲାର ସିବିଆଇ ତଦନ୍ତ କରୁଛି । କିନ୍ତୁ ଏହା ସହିତ ଇଡି ମଧ୍ୟ ଏକ ମନି ଲଣ୍ଡରିଂ ମାମଲା ରଜ୍ଜୁ କରିଥିଲା । କିଛିଦିନ ତଳେ ଇଡି ନିରବ ମୋଦି ବିରୋଧରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ପ୍ରାୟ ୨ ହଜାର ପୃଷ୍ଠାର ଏକ ଚାର୍ଜସିଟ ଦାଖଲ କରିଥିଲା । ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆଇନ ଅନୁସାରେ ଏହି ଚାର୍ଜସିଟ ପ୍ରସ୍ତୁତ କରାଯାଇଛି ।

ସମ୍ବନ୍ଧିତ ଖବର