ନିର୍ଭୟା ମାମଲାରେ ହାଇକୋର୍ଟ ରାୟ : ୪ ଦୋଷୀଙ୍କୁ ଏକସଙ୍ଗେ ଫାଶୀ

ସବୁ ବିକଳ୍ପ ନେବା ପାଇଁ ଦୋଷୀଙ୍କୁ ୭ଦିନ ସମୟ

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୁଲିସ କରିଥିବା ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ସମସ୍ତ ଦୋଷୀଙ୍କୁ ଏକ ସଂଗରେ ଫାଶୀ ମିଳିବ ବୋଲି ହାଇକୋର୍ଟ ରାୟ ଶୁଣାଇଛନ୍ତି। ଏହା ସହିତ ନିର୍ଭୟା ମାମଲାର ୪ ଦୋଷୀ ୭ ଦିନ ମଧ୍ୟରେ ସମସ୍ତ ନ୍ୟାୟିକ ବିକଳ୍ପ ନେବାପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି। ନିର୍ଭୟା ଦୋଷୀଙ୍କ ଡେଥ୍‌ ୱାରେଣ୍ଟ ଦୁଇ ଥର ଟଳି ଯାଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଦୋଷୀମାନେ ଫାଶୀକୁ ଟାଳିବା ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଆଇନଗତ ବିକଳ୍ପ ବ୍ୟବହାର କରିବାରୁ ଏଭଳି ସ୍ଥିତି ଉପୁଜିଥିଲା। ତେଣୁ ଯେଉଁ ଦୋଷୀଙ୍କ ପାଖରେ ଆଉ କୌଣସି ଆଇନଗତ ବିକଳ୍ପର ସୁଯୋଗ ନାହିଁ ସେମାନଙ୍କୁ ଫାଶୀ ଦେବାପାଇଁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୁଲିସ ହାଇକୋର୍ଟରେ ଆବେଦନ କରିଥିଲେ।

ଆଜି ହାଇକୋର୍ଟ ଡେଥ୍‌ ୱାରେଣ୍ଟ୍‌ ଠିକ୍‌ ସମୟରେ କାର୍ଯ୍ୟକାରୀ ହୋଇପାରି ନଥିବାରୁ ଏଥିପାଇଁ କର୍ତ୍ତୃପକ୍ଷମାନଙ୍କ ଅବହେଳା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଦୋଷୀମାନେ ୧ ସପ୍ତାହ ମଧ୍ୟରେ ସମସ୍ତ ଆଇନଗତ ବିକଳ୍ପ ନେବା ପାଇଁ ହାଇକୋର୍ଟ ସମୟସୀମା ସ୍ଥିର କରିବା ସହ ଏହା ପରେ ହିଁ ଡେଥ୍‌ ୱାରେଣ୍ଟ୍‌ ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି। ଆଜି ଅଦାଲତରେ ବିଚାରପତି ସୁରେଶ କୈତ ଜେଲ୍‌ ମାନୁଆଲ୍‌ର ନିୟମଗୁଡ଼ିକ ମଧ୍ୟ ପଡ଼ିଥିଲେ। କେତେକ ନିୟମ‌ ଆଦୌ ସ୍ପଷ୍ଟ ନଥିବା ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏହି ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟରେ କହିଥିଲେ ଯେ ଦୋଷୀମାନେ ଫାଶୀକୁ ଟାଳିବା ପାଇଁ ଯେଭଳି ଚାଲ୍‌ ଖେଳୁଛନ୍ତି ସେଥିରେ ଅଙ୍କୁଶ ଲଗାଇବା ଜରୁରୀ ହୋଇପଡ଼ିଛି। ସେମାନେ ଦେଶର ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି ବୋଲି ସେ କହିଥିଲେ। ଆଜି ହାଇକୋର୍ଟଙ୍କ ରାୟକୁ ନିର୍ଭୟାଙ୍କ ମା’ ଆଶାଦେବୀ ସ୍ବାଗତ କରିଛନ୍ତି। ଆଇନଗତ ବିକଳ୍ପ ବ୍ୟବହାର ପାଇଁ ଦୋଷୀଙ୍କ ନିମନ୍ତେ ସମୟସୀମା ଧାର୍ଯ୍ୟ ହେବା ଏକ ବଡ଼ ନିଷ୍ପତ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର