ନିର୍ଭୟା ମାମଲାରେ କେନ୍ଦ୍ରର ଆବେଦନ : ୧୧କୁ ଘୁଞ୍ଚିଲା ଶୁଣାଣି

ନୂଆ ଡେଥ୍‌ ୱାରେଣ୍ଟ ପାଇଁ ଆବେଦନ ଖାରଜ

ନୂଆଦିଲ୍ଲୀ : ନିର୍ଭୟା ମାମଲାର ୪ ଦୋଷୀଙ୍କ ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶ ବିରୋଧରେ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି ଆସନ୍ତା ମଂଗଳବାର ହେବ ବୋଲି ଆଜି ସୁପ୍ରିମ୍‌ କୋର୍ଟ ଧାର୍ଯ୍ୟ କରିଛନ୍ତି। ଦୋଷୀ ଅକ୍ଷୟ ସିଂହ ଠାକୁର, ମୁକେଶ ସିଂହ, ବିନୟ କୁମାର ଶର୍ମା ଏବଂ ପବନ ଗୁପ୍ତାକୁ ଫାଶୀ ଦେବା ମାମଲାରେ ଦିଲ୍ଲୀ ହାଇକୋର୍ଟ ରାୟ ବିରୋଧରେ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର ସୁପ୍ରିମୋ କୋର୍ଟରେ ତୁରନ୍ତ ଶୁଣାଣି ପାଇଁ ଆବେଦନ କରିଥିଲେ। ତେବେ ଏହି ଆବେଦନ ଉପରେ ଶୁଣାଣି ଆସନ୍ତା ୧୧ ତାରିଖ ଦିନ ହେବ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି। ‌ତଳ କୋର୍ଟ ଦ୍ବାରା ଦୋଷୀଙ୍କ ବିରୋଧରେ ଦ୍ବିତୀୟ ବାର୍‌ ଡେଥ୍‌ ୱାରେଣ୍ଟ ଜାରି ହୋଇଥିଲା, କିନ୍ତୁ ଦୋଷୀଙ୍କ ଯୋଜନାବଦ୍ଧ ଚାଲ୍‌ ଯୋଗୁଁ ଏହା କାର୍ଯ୍ୟକାରୀ ହେଉନାହିଁ ବୋଲି ସରକାର ଯୁକ୍ତି ରଖିଛନ୍ତି। ଯେଉଁ ଦୋଷୀମାନଙ୍କର ସମସ୍ତ ନ୍ୟାୟିକ ବିକଳ୍ପ ଶେଷ ହୋଇଛି ସେମାନଙ୍କୁ ତୁରନ୍ତ ଫାଶୀ ଦେବା ବ୍ୟବସ୍ଥା ହେଉ ବୋଲି କେନ୍ଦ୍ର ସରକାର କହିଛନ୍ତି । ତେବେ ଦିଲ୍ଲୀ ହାଇକୋର୍ଟ ଦୋଷୀମାନଙ୍କୁ ଏକସଂଗରେ ହିଁ ଫାଶୀ ଦିଆଯିବ ବୋଲି ରାୟ ଦେବା ପରେ ଏହାକୁ ବିରୋଧ କରି କେନ୍ଦ୍ର ଏବଂ ଦିଲ୍ଲୀ ସରକାର ସୁପ୍ରିମ୍‌ କୋର୍ଟ ଯାଇଛନ୍ତି।

ନୂଆ ଡେଥ୍‌ ୱାରେଣ୍ଟ ପାଇଁ ଆବେଦନ ଖାରଜ
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ବିରୋଧରେ ନୂଆ ଡେଥ୍‌ ୱାରେଣ୍ଟ ଜାରି ପାଇଁ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ଦ୍ବାରା କରାଯାଇଥିବା ଆବେଦନକୁ ପଟିଆଲା ହାଉସ୍‌ କୋର୍ଟ ଆଜି ଖାରଜ କରିଦେଇଛନ୍ତି। ଦୋଷୀଙ୍କ ପାଖରେ ଏବେ ବି ଆଇନଗତ ବିକଳ୍ପ ରହିଥିବାରୁ ତୁରନ୍ତ ଫାଶୀ ଦେବାପାଇଁ ଆଦେଶ ଜାରି ହୋଇପାରିବ ନାହିଁ ବୋଲି ଅଦାଲତ କହିଛନ୍ତି। କୋର୍ଟଙ୍କ ଏହି ରାୟରେ ନିର୍ଭୟାଙ୍କ ମା’ ଆଶାଦେବୀ କହିଛନ୍ତି ଯେ ଦୋଷୀମାନଙ୍କର କୌଣସି ଆବେଦନ ଏବେ କୋର୍ଟ କିମ୍ବା ରାଷ୍ଟ୍ରପତି ପାଖରେ ନଥିଲେ ମଧ୍ୟ ସେମାନଙ୍କ ବିରୋଧରେ ଡେଥ୍‌ ୱାରେଣ୍ଟ ଜାରି ନହେବା ଦୁର୍ଭାଗ୍ୟଜନକ । ଏହା ଆମ ପ୍ରତି ଅନ୍ୟାୟ ବୋଲି ସେ କହିଛନ୍ତି।

ଆଜି ନୂତନ ଡେଥ୍‌ ୱାରେଣ୍ଟ ଜାରି ଆବେଦନକୁ ଖାରଜ କରି ବିଚାରପତି ଧର୍ମେନ୍ଦ୍ର ରାଣା କହିଥିଲେ ଯେ ଏଭଳି ୱାରେଣ୍ଟ ଅନୁମାନ ଆଧାରରେ ଜାରି କରାଯାଇପାରିବ ନାହିଁ। ଅଦଲତ ଦୋଷୀଙ୍କ ନ୍ୟାୟିକ ବିକଳ୍ପ ସଂପର୍କରେ ସମସ୍ତ ତଥ୍ୟ ହାସଲ କରିବା ପରେ ହିଁ ୱାରେଣ୍ଟ ଜାରି କରିବେ। ଆଇନ ଏବେ ବି ଦୋଷୀମାନଙ୍କୁ ଜୀବିତ ରହିବାକୁ ଅନୁମତି ଦେଉଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର