ଫାଶୀ ପୂର୍ବରୁ ଅଧଘଣ୍ଟା ପାଇଁ ମାଆଙ୍କୁ ଭେଟିଲା ନିର୍ଭୟା ଦୋଷୀ ମୁକେଶ !

ନୂଆଦିଲ୍ଳୀ: ସାରା ଦେଶକୁ ଜାନୁଆରି ୨୨ ତାରିଖର ଅପେକ୍ଷା। ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଦୋଷୀ ଫାଶୀ ପାଇବେ। ଫାଶୀ ପାଇଁ ଦଉଡ଼ି ପ୍ରସ୍ତୁତ କରିବାକୁ ଦୋଷୀମାନଙ୍କ ବେକର ମାପ ନିଆଯାଇ ସାରିଛି । କିପରି ଫାଶୀ ଦିଆଯିବ ସେଥିପାଇଁ ପୂର୍ବରୁ ‘ମକ୍‌ ହ୍ୟାଙ୍ଗିଂ’ ବି ସରିଛି। ପୂରା ଦେଶକୁ ୨୨ ତାରିଖ ସକାଳ ୭ଟାର ଅପେକ୍ଷା ରହିଛି। ଦୀର୍ଘ ବର୍ଷ ପରେ ଶେଷରେ ଜଣେ ନିରୀହ ଝିଅର ଆତ୍ମାକୁ ଶାନ୍ତି ମିଳିବ !

ତେବେ ୨୨ ତାରିଖ ସକାଳୁ ଫାଶୀ ହେବ ବୋଲି ଶୁଣିବା ପରେ କିପରି ଅଛି ଅପରାଧୀମାନଙ୍କ ଅବସ୍ଥା ? ସେମାନେ ଏବେ ହିଂସ୍ର ନା ଆଇନ୍‌ ସମ୍ମୁଖରେ ଆତ୍ମସମର୍ପଣ କରିଥିବା ମଣିଷ? ଆଉ ମାତ୍ର ୮ ଦିନ ପରେ ଫାଶୀ ପାଇବାକୁ ଯାଉଥିବା ୪ ଅପରାଧୀଙ୍କ  ମୁକେଶ ଅନ୍ୟତମ। ଜାଣିବାକୁ ମିଳିଛି ଯେ ଫାଶୀ ନିର୍ଦ୍ଦେଶ ହେବା ପରେ ପୂରାପୂରି ଭାଙ୍ଗି ପଡ଼ିଛି ମୁକେଶ। ସେ କୁଆଡ଼େ ଶେଷ ଥର ପାଇଁ ନିଜ ମାଆକୁ ଭେଟିବାକୁ ଇଚ୍ଛା କରିବା ପରେ ଜେଲ୍‌ କର୍ତ୍ତୃପକ୍ଷ ତା’ ମାଆଙ୍କୁ ମୁକେଶ ନିକଟକୁ ଡକାଇଥିଲେ। ଜେଲ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଅଧଘଣ୍ଟା ଧରି ନିଜ ମାଆ ସହ ସମୟ ବିତାଇଥିଲା ମୁକେଶ। ମାଆକୁ ଦେଖିବା ପରେ ଭୋ ଭୋ ହୋଇ କାନ୍ଦି ଉଠିଥିଲା ସେ। ନିଜକୁ ସମ୍ଭଳି ପାରି ନଥିଲା। ଶେଷରେ ଅଧଘଣ୍ଟା ପରେ ମୁକେଶକୁ ଭିତରକୁ ନିଆଯାଇଥିଲା। ନିଜ କଲା କର୍ମ ପାଇଁ ମୁକେଶ ପଶ୍ଚାତାପ କରୁଥିବାର ବି ସୂଚନା ରହିଛି।

ମାତ୍ର ଜେଲ୍‌ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଛି। ତିହାର ଜେଲ୍‌ର ଅଧିକାରୀଙ୍କ କହିବାନୁସାରେ, ମୁକେଶ ସହ ତା’ ମାଆଙ୍କର କୌଣସି ପ୍ରକାର ସାକ୍ଷାତ୍‌ ହୋଇନାହିଁ। ଏବେ ନିର୍ଭୟା ଦୋଷୀମାନଙ୍କୁ ଦୁଇ ନମ୍ବର ଜେଲ୍‌ର କସ୍ତୁରୀ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି। ସେମାନେ ଏବେ ଅନ୍ୟ କଏଦୀମାନଙ୍କଠାରୁ ଅଲଗା ହୋଇ ଏକା ରହୁଛନ୍ତି।ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦିଆଯିବା ପାଇଁ ମାପ ପ୍ରକ୍ରିୟା ଚାଲିଥିବାବେଳେ ଚାରି ଜଣ ଦୋଷୀ ଭୋ ଭୋ ହୋଇ କାନ୍ଦିଥିବାର ଚର୍ଚ୍ଚା ହେଉଛି |

https://www.patrika.com/

ଉଲ୍ଲେଖଯୋଗ୍ୟ, ୨୦୧୨ରେ ରାଜଧାନୀ ଦିଲ୍ଲୀର ଏକ ଚଳନ୍ତା ବସ୍‌ ମଧ୍ୟରେ ପାରାମୋଡିକାଲ ଛାତ୍ରୀ ନିର୍ଭୟାଙ୍କୁ ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ଠାକୁର, ମୁକେଶ ସିଂହ ଓ ରାମ ସିଂହ ନିର୍ମମ ଭାବେ ଗଣଦୁଷ୍କର୍ମ କରି ରାଜଧାନୀର ରାଜରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ଏକ ଫାଷ୍ଟଟ୍ରାକ୍‌ କୋର୍ଟରେ ଏହି ମାମଲାର ବିଚାର ହେବା ପରେ ବିଚାରପତି ଏହି ୫ ଜଣଙ୍କୁ ଅପରାଧୀ ଘୋଷିତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ, ଯାହା ପରେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ରାୟ କାଏମ୍ ରଖିଥିଲେ। ତେବେ, ତିହାର ଜେଲରେ ଥିବା ଏହି ୫ ଜଣ ଅପରାଧୀଙ୍କ ମଧ୍ୟରୁ ରାମ ସିଂହ ଗତ ୨୦୧୩ ମାର୍ଚ୍ଚ ମାସରେ ଆତ୍ମହତ୍ୟା କରିଦେବା ପରେ ଏବେ ଅନ୍ୟ ୪ ଅପରାଧୀ ଏବେ ତିହାର ଜେଲରେ ରହିଛନ୍ତି।

ଏହି ୪ ଜଣଙ୍କ ମଧ୍ୟରୁ ୨ ଜଣ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଥିବାରୁ ସୁପ୍ରିମକୋର୍ଟ ଆସନ୍ତା ୧୪ ତାରିଖରେ ଏହି କ୍ୟୁରେଟିଭ୍‌ ପିଟିସନ୍‌ ଉପରେ ଶୁଣାଣି କରିବେ। ଜଷ୍ଟିସ୍‌ ଏନ୍‌ ଭି ରମଣା, ଅରୁଣ ମିଶ୍ର, ଆରଏଫ୍‌ ନରିମାନ୍‌, ଆର ଭାନୁମତୀ, ଏବଂ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ନିର୍ଭୟା ମାମଲାରେ କ୍ୟୁରେଟିଭ୍‌ ପିଟିସନ୍‌ର ଶୁଣାଣି କରିବେ। ଦୋଷୀ ବିନୟ ଶର୍ମା ଏବଂ ମୁକେଶ ଦ୍ବାରା ଗତ ୯ ତାରିଖରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରାଯାଇଛି।

ସମ୍ବନ୍ଧିତ ଖବର