ନିର୍ଭୟା ମାମଲା: ଫାଶୀ ଅଟକିଲା, ନୂଆ ତାରିଖକୁ ଅପେକ୍ଷା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଦୋଷୀଙ୍କୁ ଜାନୁଆରି ୨୨ ତାରିଖରେ ଫାଶୀ ମିଳିବ ନାହିଁ। ଆଜି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର ଆବେଦନ ଉପରେ ଶୁଣାଣି କରି ତା’ର କ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଫାଶୀ ଉପରେ ରହିତାଦେଶ ଲଗାଇଛନ୍ତି। ପୂର୍ବରୁ ୩ ଦୋଷୀଙ୍କୁ ୨୨ ତାରିଖରେ ଫାଶୀ ଦେବା ପାଇଁ ଡେଥ୍‌ ୱାରେଣ୍ଟ ଜାରି ହୋଇଥିଲା। କୋର୍ଟ ତିହାର ଜେଲ୍‌ ପ୍ରଶାସନକୁ ଆସନ୍ତାକାଲି ସୁଦ୍ଧା ଫାଶୀ ସଂକ୍ରାନ୍ତ ସବିଶେଷ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି। କୋର୍ଟଙ୍କ ରାୟ ପରେ ଆଜି ତିହାର ଜେଲ୍‌ କର୍ତ୍ତୃପକ୍ଷ ଦିଲ୍ଲୀ ସରକାରଙ୍କୁ ପତ୍ର ଲେଖି ଫାଶୀ ପାଇଁ ନୂଆ ତାରିଖ ମାଗିଛନ୍ତି। କ୍ଷମା ଆବେଦନ ଉପରେ ଫଏସଲା ନହେବା ପର୍ଯ୍ୟନ୍ତ ଫାଶୀ ହୋଇପାରିବ ନାହିଁ ବୋଲି ଦର୍ଶାଇ ଦୋଷୀ ମୁକେଶ ସିଂହ ପକ୍ଷରୁ ତଳ କୋର୍ଟରେ ମାମଲା ରୁଜୁ ହୋଇଥିଲା। ରାଷ୍ଟ୍ରପତି ଦିନେ ଦୁଇ ଦିନ ମଧ୍ୟରେ କ୍ଷମା ଆବେଦନ ଖାରଜ କରିବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଦୋଷୀମାନେ କ୍ଷମା ଆବେଦନ ଖାରଜ ହେବା ପରେ ଆଉ ୧୪ ଦିନ ସମୟ ଦାବି କରିବେ। ଏହାପରେ ପୁଣି ନୂଆ ତାରିଖ ଧାର୍ଯ୍ୟ ହେବ। ନୂଆ ତାରିଖ ଧାର୍ଯ୍ୟ କରିବା ପାଇଁ ଏବେ ତିହାର ଜେଲ୍‌ କର୍ତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି। ଗତକାଲି ଦିଲ୍ଲୀ ସରକାର ହାଇକୋର୍ଟଙ୍କୁ ଜଣାଇଥିଲେ ଯେ ଜଣେ ଦୋଷୀ କ୍ଷମା ଆବେଦନ ଦାଖଲ କରିଥିବାରୁ ୨୨ ତାରିଖରେ ଫାଶୀ ଆଦେଶ କାର୍ଯ୍ୟକାରୀ ହୋଇପାରିବ ନାହିଁ। ତେବେ ଏବେ ସୁଦ୍ଧା ଜଣେ ଦୋଷୀ କ୍ଷମା ଆବେଦନ ଦାଖଲ କରିଥିବା ବେଳେ ଅନ୍ୟମାନେ ଆବେଦନ କରିନାହାନ୍ତି। ସେମାନେ କ୍ଷମା ଆବେଦନ କରିବେ ନାହିଁ ବୋଲି ଅନୁମାନ କରାଯାଉଛି।
ନିର୍ଭୟାଙ୍କ ମାତା-ପିତାଙ୍କ ଓକିଲ ମୁକେଶର ଆବେଦନକୁ ଦୃଢ଼ ବିରୋଧ କରିଥିଲେ। ସେ କହିଥିଲେ ଯେ ମୁକେଶର ଆବେଦନ ଶୁଣାଣି ପାଇଁ ଯୋଗ୍ୟ ନୁହେଁ। ତେବେ ମୁକେଶର ଓକିଲ କହିଥିଲେ ଯେ ଦୋଷୀଙ୍କ ଅଧିକାର ଏବେ ବି କାଏମ ରହିଛି ଏବଂ ଏଥିରୁ କାହାକୁ ବଞ୍ଚିତ କରାଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର