ନିର୍ଭୟା ପାଣ୍ଠି ଖର୍ଚ୍ଚ ପାଇଁ ତତ୍‌ପରତା ଏମିତି! ମଞ୍ଜୁର ୯୦୯.୯୩ ଲକ୍ଷ, ଖର୍ଚ୍ଚ ୪୪.୧୮ ଲକ୍ଷ

ନୂଆଦିଲ୍ଲୀ : ନିର୍ଭୟା ପାଣ୍ଠି ଅନ୍ତର୍ଗତ ରାଜ୍ୟ ସରକାର ୨୦୧୬ରୁ ୨୦୧୯ ମସିହା ମଧ୍ୟରେ କେନ୍ଦ୍ର ଦ୍ବାରା ମଞ୍ଜୁର କରାଯାଇଥିବା ୯୦୯.୯୩ ଲକ୍ଷ ଟଙ୍କାରୁ ୪୪.୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

ସୂଚନା ଅନୁସାରେ, ‘ ଵାନ ଷ୍ଟପ୍ ସେଣ୍ଟର ଯୋଜନା’ରେ ୨୦୧୬-୧୭ରେ ୧୫ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଥିଲା। ଏବଂ, ସମୁଦାୟ ଅର୍ଥ ଖର୍ଚ୍ଚ କରାଯାଇଛି। ୨୦୧୭-୧୮ରେ ଆବଣ୍ଟନ କରାଯାଇଥିବା ୧୨୦.୩୩ ଲକ୍ଷ ଟଙ୍କାରୁ ସରକାର ମାତ୍ର ୨୯.୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ, ୨୦୧୮-୧୯ରେ ଆବଣ୍ଟନ କରାଯାଇଥିବା ୭୭୪.୬୦ ଲକ୍ଷ ଟଙ୍କାରୁ କିଛି ଖର୍ଚ୍ଚ ହୋଇନାହିଁ। କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ନିର୍ଭୟା ପାଣ୍ଠି ଅନ୍ତର୍ଗତ ରାଜ୍ୟମାନଙ୍କୁ ଆବଣ୍ଟନ କରାଯାଇଥିବା ଅର୍ଥରାଶି ଓ ଏହାର ଖର୍ଚ୍ଚ ସମ୍ପର୍କିତ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ ଅଛି। ଅପରପକ୍ଷେ ନିର୍ଭୟା ପାଣ୍ଠିର ୟୁନିଭର୍ସାଲ ଓମ୍ୟାନ୍‌ ହେଲ୍‌ପ ଲାଇନ୍ ସ୍କିମ୍ ଅନ୍ତର୍ଗତ ୨୦୧୬-୧୭ରେ ଏହି ଯୋଜନା ପାଇଁ ଓଡ଼ିଶାକୁ ଅର୍ଥ ଆବଣ୍ଟନ କରାଯାଇନଥିବା ବେଳେ ୨୦୧୭-୧୮ରେ ଆବଣ୍ଟନ କରାଯାଇଥିବା ୩୦.୧୭ ଲକ୍ଷ ଟଙ୍କାକୁ ରାଜ୍ୟ ସରକାର ପୂର୍ଣ୍ଣ ରୂପେ ଖର୍ଚ୍ଚ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୮-୧୯ରେ ଆବଣ୍ଟନ କରାଯାଇଥିବା ୯୮.୬୫ ଲକ୍ଷ ଟଙ୍କାରୁ ରାଜ୍ୟ ୮୧.୬୧ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିଛି। ମହିଳା ପୁଲିସ ଯୋଜନା ଅନ୍ତର୍ଗତ ରାଜ୍ୟକୁ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ କୌଣସି ଅର୍ଥ ଆବଣ୍ଟନ କରାଯାଇନଥିବା ରିପୋର୍ଟରେ ଉଲ୍ଲେଖ ଅଛି। ରିପୋର୍ଟରେ ନିର୍ଭୟା ପାଣ୍ଠି ଅନ୍ତର୍ଗତ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ୨୦୧୬-୧୭ରୁ ୨୦୧୯-୨୦ ପର୍ଯ୍ୟନ୍ତ ସମୁଦାୟ ୨୪୪୬.୮୧ ଲକ୍ଷ ଟଙ୍କା ରାଜ୍ୟରେ ଖର୍ଚ୍ଚ କରାଯାଇଥିବା ବେଳେ କେନ୍ଦ୍ର ଆଇନ ମନ୍ତ୍ରାଳୟ ଦ୍ବାରା ୨୦୧୯-୨୦ରେ ମଞ୍ଜୁର କରାଯାଇଥିବା ୫.୪୦ ଲକ୍ଷ ଟଙ୍କାରୁ କିଛି ମଧ୍ୟ ଖର୍ଚ୍ଚ କରାଯାଇପାରିନି।

ସମ୍ବନ୍ଧିତ ଖବର