ନିର୍ଭୟାଙ୍କ ମା’ଙ୍କ ପ୍ରଶ୍ନ, କ୍ଷମାଦେବା ପାଇଁ କହିବାକୁ ଇନ୍ଦିରା ଜୟସିଂହ କିଏ?

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶୀ ପାଇଁ ନୂଆ ଡେଥ୍‌ ୱାରେଣ୍ଟ୍‌ ଜାରି ହୋଇଛି। ଫେବ୍ରୁଆରି ୧ ସକାଳ ୬ଟାରେ ନିର୍ଭୟା‌ ଦୋଷୀଙ୍କୁ ଫାଶୀ ମିଳିବ। ତେବେ ନ୍ୟାୟ ପାଇଁ ନିର୍ଭୟାଙ୍କ ମା’ ଅପେକ୍ଷା କରି ଏବେ ନିରାଶ ହୋଇପଡ଼ିଲେଣି। ଫାଶୀ ବାଟରେ ବାରମ୍ବାର କେଁ ପଶିବା ଯୋଗୁଁ ନିର୍ଭୟାଙ୍କ ମା’ ଭାଙ୍ଗି ପଡ଼ିଛନ୍ତି। ଏଭଳି ସ୍ଥିତିରେ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ଦୋଷୀମାନଙ୍କୁ କ୍ଷମା କରିଦେବାପାଇଁ ନିର୍ଭୟାଙ୍କ ମା’ ଆଶାଦେବୀଙ୍କୁ ପରାମର୍ଶ ଦେଇଛନ୍ତି। ଏଥିରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ନିର୍ଭୟାଙ୍କ ମା’ କହିଛନ୍ତି, ମତେ ଏଭଳି ପରାମର୍ଶ ଦେବାପାଇଁ ଇନ୍ଦିରା ଜୟସିଂହ କିଏ ? ସମଗ୍ର‌ ଦେଶ ଚାହୁଛି ଦୋଷୀମାନେ ଫାଶୀ ପାଆନ୍ତୁ। କିନ୍ତୁ ଏମିତି କିଛି ଲୋକଙ୍କ ପାଇଁ ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରୁନି ଏବଂ ଦେଶରେ ଦୁଷ୍କର୍ମ ମାମଲା ବଢ଼ି ଚାଲିଛି ବୋଲି ନିର୍ଭୟାଙ୍କ ମା’ କହିଛନ୍ତି। ‌

ଇନ୍ଦିରା ଜୟସିଂହ ଏଭଳି ପରାମର୍ଶ ଦେବାପାଇଁ ସାହସ କଲେ କେମିତି ବୋଲି ଆଶାଦେବୀ ପ୍ରଶ୍ନ କରିଛନ୍ତି। ଇନ୍ଦିରାଙ୍କୁ ମୁଁ ପୂର୍ବରୁ ସୁପ୍ରିମକୋର୍ଟରେ ଅନେକ ଥର ଭେଟିଛି। ସେ ମଧ୍ୟ ମୋର ମଙ୍ଗଳ କାମନା କରିଛନ୍ତି , କିନ୍ତୁ ଆଜି ସେ ଦୋଷୀମାନଙ୍କ ପାଇଁ କହୁଛନ୍ତି। ଏଭଳି ଲୋକ ଦୁଷ୍କର୍ମକାରୀଙ୍କୁ ସମର୍ଥନ କରି ଜୀବିକା ନିର୍ବାହ କରୁଥିବାରୁ ଦୁଷ୍କର୍ମ ଘଟଣା‌ ବନ୍ଦ ହେଉନି ଏବଂ ପୀଡ଼ିତାଙ୍କୁ ନ୍ୟାୟ ମିଳୁନାହିଁ। ଇନ୍ଦିରା ଜୟସିଂହ ମହିଳାଙ୍କ ପାଇଁ ଏକ ଅପମାନ ଏବଂ ତାଙ୍କ ପରାମର୍ଶ ମୋତେ ଲୋଡ଼ା ନାହିଁ ବୋଲି ଆଶା ଦେବୀ କହିଛନ୍ତି। ଭଗବାନ ଆସି ମତେ ଦୋଷୀଙ୍କୁ କ୍ଷମା ଦେବାପାଇଁ କହିଲେ ବି ମୁଁ କ୍ଷମା କରିବି ନାହିଁ ବୋଲି ଆଶାଦେବୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତକାଲି ଇନ୍ଦିରା ଜୟସିଂହ ଏକ ଟ୍ବିଟ୍‌ ମାଧ୍ୟମରେ ନିର୍ଭୟାଙ୍କ ମା’ଙ୍କୁ ଦୋଷୀମାନଙ୍କୁ କ୍ଷମା କରିଦେବାପାଇଁ ଅନୁରୋଧ କରିଥିଲେ। ଜୟସିଂହ ନିର୍ଭୟାଙ୍କ ମା’ଙ୍କୁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଉଦାହରଣ ଦେଇଥିଲେ। ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ହୋଇଥିବା ଜଣେ ଦୋଷୀ ନଳିନୀକୁ ସୋନିଆ କ୍ଷମା କରିଦେଇଥିଲେ।

ସମ୍ବନ୍ଧିତ ଖବର