ବିବାଦରେ ନିର୍ମଳାଙ୍କ କର୍ଣ୍ଣାଟକ ଗସ୍ତ

ବେଙ୍ଗାଲୁରୁ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କର୍ଣ୍ଣାଟକ ଗସ୍ତକୁ ନେଇ ବିବାଦ ବଢ଼ିଛି। ରାଜ୍ୟ ସରକାର ଓ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟରେ ଏ ନେଇ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି, କୋଡାଗୁରେ ବନ୍ୟା ବିତ୍ପାତ ଦେଖାଦେବା ପରେ ସେଠାରେ ଆମ ଅଧିକାରୀ ଅନେକ ଦିନ ଧରି କାର୍ଯ୍ୟ କରୁଛନ୍ତି। ସେମାନଙ୍କ ବିରୋଧରେ କୌଣସି ଟିପ୍ପଣୀକୁ ବରଦାସ୍ତ କରାଯିବ ନାହିଁ। ତା’ଛଡ଼ା କେନ୍ଦ୍ର ତୁଳନାରେ ଆମକୁ ଛୋଟ ବୋଲି ବିବେଚନା କରାଯିବା ଅନୁଚିତ। ଆମେ ସମ୍ବିଧାନ ଅନୁସାରେ କାର୍ଯ୍ୟ କରୁଛୁ। ସମ୍ବିଧାନ ଆଖିରେ କେନ୍ଦ୍ର ଓ ରାଜ୍ୟ ହେଉଛନ୍ତି ସହଯୋଗୀ। ତେଣୁ ରାଜ୍ୟର ଅଧିକାରୀଙ୍କୁ ଏଭଳି ଅସମ୍ମାନ କରିବା ଅଧିକାର କେନ୍ଦ୍ରର ନାହିଁ। ଉଲ୍ଲେଖଯୋଗ୍ୟ, ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ କର୍ଣ୍ଣାଟକର ବନ୍ୟା ପ୍ରପୀଡ଼ିତ କୋଡାଗୁ ଗସ୍ତ କରିଥିଲେ। ସୀତାରମଣ ନିଜ ଗସ୍ତ ବେଳେ ବନ୍ୟା ପ୍ରଭାବିତ ଲୋକଙ୍କ ସହିତ କଥା ହେଉଥିଲେ। ଏହି ସମୟରେ କର୍ଣ୍ଣାଟକର ମନ୍ତ୍ରୀ ଏସ୍‌ ଆର୍‌ ମହେଶ ତାଙ୍କୁ କଥାବାର୍ତା ବନ୍ଦ କରି ସମୀକ୍ଷା ବୈଠକରେ ଯୋଗଦେବାକୁ କହିଥିଲେ। ରାଜ୍ୟ ଅଧିକାରୀଙ୍କୁ ପ୍ରଥମେ ଉଦ୍‌ବୋଧନ ଦେବାକୁ ସେ କହିଥିଲେ। ଯଦିଓ ଏଥିରେ ସୀତାରମଣ ରାଜି ହୋଇଥିଲେ, କିନ୍ତୁ ପରମୁହୂର୍ତ୍ତରେ ସେ ସମାଲୋଚନା କରି କହିଥିଲେ, କେନ୍ଦ୍ର ମନ୍ତ୍ରୀ ହେବା ସତ୍ତ୍ୱେ ତାଙ୍କୁ ଜଣେ ରାଜ୍ୟ ମନ୍ତ୍ରୀଙ୍କ କଥାରେ କାର୍ଯ୍ୟ କରିବାକୁ ପଡୁଛି।

ସମ୍ବନ୍ଧିତ ଖବର