ନିଠାରି ହତ୍ୟାକାଣ୍ଡ, ସୁରିନ୍ଦର୍‌କୁ ପୁଣି ଫାଶୀଦଣ୍ଡ

ଗାଜିଆବାଦ: ନିଠାରି ସିରିଏଲ୍‌ ହତ୍ୟା ମାମଲାର ଅଭିଯୁକ୍ତ ସୁରିନ୍ଦର୍‌ କୋଲିକୁ ସିବିଆଇ କୋର୍ଟ ପୁଣି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ସିବିଆଇ ଓକିଲ ଜେପି ଶର୍ମାଙ୍କ ସୂଚନା ଅନୁଯାୟୀ ଶନିବାର କୋର୍ଟ ଏହି ରାୟ ଶୁଣାଇଛନ୍ତି। ତେବେ ପ୍ରମାଣ ଅଭାବରୁ ଅନ୍ୟତମ ଅଭିଯୁକ୍ତ ତଥା ସୁରିନ୍ଦର୍‌ର ମାଲିକ ମନିନ୍ଦର ସିଂହ ପନ୍‌ଧେରଙ୍କୁ ଦୋଷମୁକ୍ତ କରାଯାଇଛି I ଏହାକୁ ମିଶାଇ ୧୧ଟି ମାମଲାରେ ‌େକାଲିକୁ ଫାଶୀ ଦଣ୍ଡାଦେଶ ମିଳିଲାଣି। ସୂଚନାଯୋଗ୍ୟ ଯେ ୨୦୦୫ ଜୁନ ୨୧ରେ ଦିଲ୍ଲୀ ନୋଇଡାର ନିଠାରିରେ ପନ୍‌ଧେରଙ୍କ ଡି-୫ଘରକୁ ଜଣେ ୧୦ବର୍ଷୀୟ ନାବାଳିକା ଯାଇ ଆଉ ଫେରିନଥିଲା। ଏହାର ଦୁଇ ଦିନ ପରେ ଅର୍ଥାତ ଜୁନ ୨୩ରେ ତାଙ୍କ ଅଭିଭାବକ ଥାନାରେ ମାମଲା ରୁଜୁ କରିଥିଲେ। ୨୦୦୬ ଡିସେମ୍ବର ୨୬ରେ ନୋଇଡା ପୋଲିସ ପନ୍‌ଧେରଙ୍କ ଘର ପଛପଟୁ ଏକ ଖପୁରି ଉଦ୍ଧାର କରିଥିଲା। ଉଦ୍ଧାର ହୋଇଥିବା ଖପୁରିର ଡିଏନ୍‌ଏ ପରୀକ୍ଷା ପରେ ତାହା ନିଖୋଜ ଥିବା ୧୦ବର୍ଷୀୟ ନାବାଳିକାର ବୋଲି ଜଣାପଡିଥିଲା। ଏହି ମାମଲାରେ ପୋଲିସ କୋଲି ଓ ପରେ ପନଦେରଙ୍କୁ ଗିରଫ କରିଥିଲା। ମାମଲାର ବିଚାର କରି ସ୍ୱତନ୍ତ୍ର ଜଜ୍‌ ଅମିତ ବୀର ସିଂହ କୋହଲିକୁ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାର ତଦନ୍ତ କରିଥିବା ସିବିଆଇକୁ ଅନେକ ବିସ୍ଫୋରକ ତଥ୍ୟ ମିଳିଥିଲା। କୋଲି ଅନେକ ନାବାଳିକା ଓ ମହିଳାଙ୍କୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ପରେ ହତ୍ୟା କରୁଥିଲା। ସେମାନଙ୍କ ଶବକୁ ସେ ନିକଟବର୍ତୀ ଡ୍ରେନ ଓ ଖାଲି ସ୍ଥାନରେ ପୋତି ଦେଉଥିଲା। ଏମିତି ୧୯ ଜଣଙ୍କୁ ସେ ଦୁଷ୍କର୍ମ କରି ମାରିଥିଲା। ତେବେ ସେ ୬ ନାବାଳିକା ଓ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ସ୍ବୀକାର କରିଥିଲା।ସିବିଆଇ ତା ବିରୋଧରେ ୧୬ଟି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। ଏଥିମଧ୍ୟରୁ ଗତକାଲିକୁ ମିଶାଇ କୋଲିକୁ କୋର୍ଟ ୧୧ଟି ମାମଲାରେ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଅନ୍ୟ ୫ଟି ମାମଲା ଏବେ ବି ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର