ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ଆଜି, ‘ଫୋକସ୍’ ରାଜ୍ୟ ପ୍ରସଙ୍ଗ ଉଠାଇପାରନ୍ତି ନବୀନ

ସ୍ବତନ୍ତ୍ର ପାହ୍ୟା ନେଇ ଆନ୍ଧ୍ର, ବିହାର ଜୋର୍‌ଦାର୍‌ ଦାବି କରିବେ

ନୂଆଦିଲ୍ଲୀ : ତିନି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାକୁ ‘ସ୍ବତନ୍ତ୍ର ପାହ୍ୟା ମାନ୍ୟତା’ ପ୍ରଦାନ ପରି ଏକ ପୁରୁଣା ଦାବିକୁ ଭିନ୍ନ ଢଙ୍ଗରେ ଉଠାଇଥିଲେ। ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଏହାକୁ ‘ସ୍ବତନ୍ତ୍ର ଫୋକସ୍’ ରାଜ୍ୟର ମାନ୍ୟତା ଦେବାକୁ ଦୃଢ଼ ଦାବି କରିଥିଲେ। ଆ‌ସନ୍ତାକାଲି ନୂଆଦିଲ୍ଲୀରେ ହେବାକୁ ଥିବା ନୀତି ଆ‌ୟୋଗର ପଞ୍ଚମ ଗଭର୍ଣ୍ଣିଂ କାଉନ୍‌ସିଲ୍‌ ବୈଠକରେ ଏହି ଦାବିକୁ ମୁଖ୍ୟମନ୍ତ୍ରୀ ପୁଣି ଉପସ୍ଥାପନ କରିବାର ସମ୍ଭାବନା ରହିଛି। ଏହି ବୈଠକ ଏକ ଗୁରୁତ୍ବପୂର୍ଣ୍ଣ ଫୋରମ୍ ହୋଇଥିବାରୁ ଓଡ଼ିଶାର ଦାବିକୁ ଯଥାର୍ଥ ବୋଲି ଦେଖାଇବାର ସୁଯୋଗକୁ ନବୀନ ହାତ ଛଡ଼ା ନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ଆସନ୍ତା କାଲି ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ପଞ୍ଚମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ଅନୁଷ୍ଠିତ ହେବ। ଏଥିରେ ଶ୍ରୀ ପଟ୍ଟନାୟକ ରାଜ୍ୟର ଫନି କ୍ଷୟକ୍ଷତି ପାଇଁ ଆର୍ଥିକ ସହାୟତା ଦାବି ମଧ୍ୟ ଉପସ୍ଥାପନ କରିବାର ସମ୍ଭାବନା ରହିଛି।

ବୈଠକରେ ଗଭର୍ଣ୍ଣିଂ କାଉନସିଲ୍ ରେ ସଦସ୍ୟ ଥିବା ରାଜ୍ୟମାନଙ୍କ ମୁଖ୍ୟମନ୍ତ୍ରୀ, କିଛି କେନ୍ଦ୍ର ମନ୍ତ୍ରୀଙ୍କ ସମେତ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ। ଗଭର୍ଣ୍ଣିଂ କାଉନସିଲ୍ ରେ ମରୁଡ଼ି ଓ ରିଲିଫ୍, ବର୍ଷାଜଳ ସଂରକ୍ଷଣ, କୃଷି କ୍ଷେତ୍ରରେ ଢାଞ୍ଚାଗତ ପରିବର୍ତ୍ତନ ଓ କୃଷି ବଜାରର ସ୍ଥିତି, ଆକାଂକ୍ଷୀ ଜିଲ୍ଲାର ସ୍ଥିତି ତଥା ମାଓ ଉପଦ୍ରୁତ ଅଞ୍ଚଳର ସୁରକ୍ଷା ଭଳି ୫ଟି ପ୍ରସଙ୍ଗରେ ଆଲୋଚନା ହେବ।

ଯଦିଓ ସ୍ବତନ୍ତ୍ର ପାହ୍ୟ ରାଜ୍ୟ ମାନ୍ୟତା ପ୍ରସଙ୍ଗ ଏଜେଣ୍ଡାରେ ନାହିଁ, ତେବେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ବିହାର ସେମାନଙ୍କର ଦାବିକୁ ଜୋର୍‌ଦାର୍ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ଶାଣିତ କରାଯିବ ବୋଲି ସୂଚନା ମିଳିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ବୈଠକରେ ପ୍ରଥମ ଥର ପାଇଁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଜଗନ ମୋହନ ରେଡ୍ଡୀ ବୈଠକରେ ଯୋଗ ଦେବେ। ସେ ସ୍ପଷ୍ଟ କରିସାରିଛନ୍ତି ଯେ ବୈଠକରେ ସେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇବେ। ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦ୍ବାରା ଆନ୍ଧ୍ର ପ୍ରଦେଶକୁ କାହିଁକି ସ୍ବତନ୍ତ୍ର ପାହ୍ୟା ରାଜ୍ୟର ଆବଶ୍ୟକତା ରହିଛି ସେନେଇ ଏକ ବିସ୍ତୃତ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ଜଗନଙ୍କ ଵାଇଏସ୍ଆରସିପି ଦଳର ୫ ଜଣ ସାଂସଦ ଲୋକସଭାରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ନେଇ ଇସ୍ତଫା ଦେଇଥିଲେ। ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଜଗନ ତାଙ୍କର ଦାବି ସମ୍ପର୍କରେ ଦୋହରାଇଛନ୍ତି। ଏମିତିରେ କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ନଜର ରହିବା ସ୍ବାଭାବିକ। ଗୋଆ, ବିହାର ଭଳି ରାଜ୍ୟ ମାନଙ୍କ ଦ୍ବାରା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିବେ ବୋଲି ଜଣାପଡ଼ିଛି। ଆସନ୍ତା କାଲିର ବୈଠକରେ ରାଜ୍ୟମାନଙ୍କ ଦ୍ବାରା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ସମ୍ପର୍କରେ ଅଧିକ ସ୍ପଷ୍ଟୀକରଣ ଦେବା ପାଇଁ କେନ୍ଦ୍ର ଯୋଜନା ଓ କ୍ରିୟାନ୍ବୟନ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ରାଓ ଇନ୍ଦ୍ରଜୀତ୍ ସିଂହ ବୈଠକରେ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରୂପେ ଉପସ୍ଥିତ ରହିବେ। ଆଗକୁ ସଂସଦର ଅଧିବେଶନ ଥିବା ଯୋଗୁଁ ଏବଂ ଆଶାୟୀ ରାଜ୍ୟମାନଙ୍କ ଦ୍ବାରା ଏହି ପ୍ରସଙ୍ଗକୁ ସଂସଦରେ ଉଠାଇବାର ପ୍ରବଳ ସମ୍ଭାବନା ଥିବା ଯୋଗୁଁ ସରକାରଙ୍କ ତରଫରୁ ସେମାନଙ୍କର ଦାବି ସମ୍ପର୍କରେ କେନ୍ଦ୍ରର ଆଭିମୁଖ୍ୟ ଜଣାଇ ଦିଆଯାଇ ପାରେ ବୋଲି ଅନୁମାନ କାରଯାଉଛି।

ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ସବକା ସାଥ, ସବକା ବିକାଶ ଓ ସବକା ବିଶ୍ବାସ ନୀତିରେ ଦେଶର ବିକାଶ ସମ୍ପର୍କିତ ପ୍ରସଙ୍ଗ ଗୁଡ଼ିକ ଆଲୋଚନା କରାଯିବା ସହିତ ବୈଠକର ଆଡୁଆଳରେ ଲୋକସଭାର ଉପବାଚସ୍ପତି ପଦ ନେଇ ସରକାର ଆଲୋଚନା କରିବାର ମଧ୍ୟ ଚର୍ଚ୍ଚା ହେଉଛି। ମିଡିଆ ରିପୋର୍ଟ ଅନୁସାରେ ସରକାରଙ୍କ ଦ୍ବାରା ଏହି ପଦ ବିଜେଡି ନଚେତ୍ ଵାଇଏସଆରସିପି ଦଳକୁ ଦିଆଯିବା ପାଇଁ ଯୋଜନା ରହିଛି। ଯଦିବା ଏହି ପ୍ରସଙ୍ଗରେ ଗତ ୧୧ରେ ପ୍ରଧାନମନ୍ତ୍ରୀଙ୍କ ସହିତ କୌଣସି ଆଲୋଚନା ହୋଇନଥିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବା ବେଳେ ଏବେ ବି ଏହି ପ୍ରସଙ୍ଗ ଖୋଲା ରହିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଗଣମାଧ୍ୟମରେ ଵାଇଏସଆରସିପିକୁ ବିଜେପି ଲୋକସଭା ଉପବାଚସ୍ପତି ପଦ ଦେବା ପାଇଁ ମଧ୍ୟ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର