ଜଳ ପରିଚାଳନା କ୍ଷେତ୍ରରେ ନିତି ଆୟୋଗ ରିପୋର୍ଟ : ଚତୁର୍ଦ୍ଦଶ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ : ନିତି ଆୟୋଗ ଦ୍ବାରା ଜଳ ପରିଚାଳନା କ୍ଷେତ୍ରରେ କମ୍ପୋଜିଟ୍ ଵାଟର ମ୍ୟାନେଜମେଣ୍ଟ ଇଣ୍ଡେକ୍ସ (ମିଳିତ ଜଳ ପରିଚାଳନା ସୂଚକାଙ୍କ) ୨.୦ ରିପୋର୍ଟକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଵତ ଉନ୍ମୋଚନ କରିଛନ୍ତି। ରିପୋର୍ଟର ସୂଚକାଙ୍କ ଅନୁସାରେ ଓଡିଶାର ଜଳ ପରିଚାଳନା କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ରହିଛି। ଜଳ ପରିଚାଳନା କ୍ଷେତ୍ରରେ ଗୁଜରାଟ ପ୍ରଥମ ସ୍ଥାନରେ ଥିବାବେଳେ ଆନ୍ଧ୍ରପ୍ରଦେଶ ଦ୍ବିତୀୟ ଓ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଛି। ହେଲେ ଓଡ଼ିଶା ଚତୁର୍ଦ୍ଦଶ ସ୍ଥାନରେ ରହିଛି। ୨୦୧୫-୧୬ରେ ଓଡ଼ିଶା ଜଳ ପରିଚାଳନା କ୍ଷେତ୍ରରେ ୯ମ ସ୍ଥାନରେ ଥିବାବେଳେ ୨୦୧୬-୧୭ରେ ଏହା ୧୩ ସ୍ଥାନକୁ ଖସି ଆସିଥିଲା। ଆଜି ଉନ୍ମୋଚିତ ହୋଇଥିବା ରିପୋର୍ଟରେ ଓଡ଼ିଶା ୨୦୧୬-୧୭ ତୁଳନାରେ ପୁଣି ଗୋଟିଏ ସ୍ଥାନ ତଳକୁ ଖସିଆସିଛି। ନିତି ଆୟୋଗ ଦ୍ବାରା ଜଳ ପରିଚାଳନା କ୍ଷେତ୍ରରେ ଦେଶର ୨୫ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ତାଲିକା ପ୍ରସ୍ତୁତ କରାଯାଇଛି। ଗୋଟିଏ ବର୍ଷର ପ୍ରଗତି ହିସାବରେ ରାଜ୍ୟ ମାନଙ୍କର ରୢାଙ୍କିଂ ତାଲିକା ପ୍ରସ୍ତୁତ କରାଯାଇଛି। ରିପୋର୍ଟରେ ଓଡ଼ିଶା ୪୦ ପଏଣ୍ଟ୍‌ରୁ କମ୍ ସ୍କୋର କରିଛି। ଓଡ଼ିଶାର ସ୍କୋର ହେଉଛି ୩୯। ୨୦୧୫-୧୬ରେ ଓଡ଼ିଶାର ସ୍କୋର୍‌ ଥିଲା ୪୨.୨ ଓ ୨୦୧୬-୧୭ରେ ୪୧.୬ ଥିଲା। ଓଡ଼ିଶା ସମେତ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ନାଗାଲାଣ୍ଡ, ଓ ମେଘାଳୟ ୪୦ ପଏଣ୍ଟରୁ କମ୍ ସ୍କୋର କରିଛନ୍ତି। ଓଡ଼ିଶା ସମେତ ୧୬ଟି ରାଜ୍ୟରେ ୫୦ ପଏଣ୍ଟ୍‌ରୁ କମ୍ ସ୍କୋରିଂ ଉନ୍ନତି ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ନିତି ଆୟୋଗ ରିପୋର୍ଟରେ କୁହାଯାଇଛି। ନିତି ଆୟୋଗ ଦ୍ବାରା ଆଜି ଉନ୍ମୋଚିତ ହୋଇଥିବା ରିପୋର୍ଟରେ ରାଜ୍ୟ ମାନଙ୍କର ପାନୀୟ ଜଳ ଯୋଗାଣର ସ୍ଥିତି, ଜଳସେଚନ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଜଳର ବ୍ୟବହାରିତା ସମ୍ପର୍କିତ ୨୮ ଦିଗ ଓ ୯ଟି ଥିମ୍କୁ ନେଇ ନିତି ଆୟୋଗ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟରେ ଓଡ଼ିଶାର ଗ୍ରାମୀଣ ଜନସଂଖ୍ୟାକୁ ୯୦ ପ୍ରତିଶତ ପିଇବା ପାଇଁ ଯୋଗାଇବା, ୯୦ ପ୍ରତିଶତ ଵାଟର ହାର୍ଭେଷ୍ଟିଂ ଷ୍ଟ୍ରକଚର୍‌ ପ୍ରତିଷ୍ଠା କରାଯିବ ତଥା ୯୦ ପ୍ରତିଶତକୁ ଜିଓଟ୍ୟାକ କରାଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏତଦ୍‌ବ୍ୟତୀତ ଓଡ଼ିଶାରେ ଵାଟରସେଡ୍ ବିକାଶ ପ୍ରଦର୍ଶନ ଉପରେ ସନ୍ତୋଷବ୍ୟକ୍ତ କରାଯାଇଛି। ହେଲେ ରାଜ୍ୟ ଦ୍ବାରା ପାଵାର ଫିଡର୍ସକୁ ଅଲଗା କରାଯାଇ ନାହିଁ।

ସମ୍ବନ୍ଧିତ ଖବର