ନିତି ଆୟୋଗର ରିପୋର୍ଟ: ଦେଶରେ ଭୟଙ୍କର ଜଳସଙ୍କଟ

ନୂଆଦିଲ୍ଲୀ: ଇତିହାସର ସବୁଠୁ ଭୟଙ୍କର ଜଳ ସଙ୍କଟ ଦେଇ ଦେଶ ଗତି କରୁଛି। ୬୦ କୋଟି ଲୋକ ପାଣି ପାଇଁ ହାହାକାର ହେଉଥିବା ବେଳେ ବର୍ଷକୁ ୨ ଲକ୍ଷ ଲୋକ ଦୂଷିତ ପାନୀୟ ଜଳ ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି। ଜଳ ପରିଚାଳନା ସୁଚକାଙ୍କ ରିପୋର୍ଟ ଆଧାରରେ ନିତି ଆୟୋଗ ଆଜି ଏହି ତଥ୍ୟ ପ୍ରଦାନ କରିଛନ୍ତି। ଏବେ ଦେଶର ୭୫ ପ୍ରତିଶତ ଲୋକଙ୍କୁ ଆବଶ୍ୟକ ମୁତାବକ ପାଣି ମିଳିପାରୁନଥିବା ବେଳେ ୮୪ ପ୍ରତିଶତ ଘରକୁ ପାଇପ ପାଣିର ସଂଯୋଗ ହୋଇପାରିନାହିଁ। ଅପରପକ୍ଷେ, ଦେଶର ମୋଟ ଜଳଉତ୍ସର ୭୦ ପ୍ରତିଶତ ପାଣି ପାନୀୟ ଜଳ ଉପଯୋଗୀ ମଧ୍ୟ ନୁହେଁ।
୨୦୩୦ ସୁଦ୍ଧା ଦେଶରେ ଜଳ ସଙ୍କଟ ନିୟନ୍ତ୍ରଣ ବାହାରକୁ ଚାଲିଯିବ। ବର୍ତ୍ତମାନ ସାରା ଦେଶରେ ଯେତିକି ଜଳ ବ୍ୟବହାର ପାଇଁ ଆବଶ୍ୟକ ହେଉଛି ଆଉ ୧୦-୧୨ ବର୍ଷ ମଧ୍ୟରେ ଏହି ଆବଶ୍ୟକତା ୨ ଗୁଣ ବଢିଯିବ ଏବଂ କୋଟି କୋଟି ଲୋକ ପାଣି ପାଇଁ ହଟହଟା ହେବେ। ଏହି କାରଣରୁ ଦେଶର ଜିଡିପି ମଧ୍ୟ ୬ ପ୍ରତିଶତ ହ୍ରାସ ପାଇବ ବୋଲି ନିତି ଆୟୋଗ ଆଶଙ୍କା କରିଛନ୍ତି। ନିତି ଆୟୋଗ ଉପ ସଭାପତି ରାଜୀବ କୁମାର କହିଛନ୍ତି ଭବିଷ୍ୟତରେ ଏହି ସମସ୍ୟା ଏତେ ଉଦ୍‌୍‌ବେଗଜନକ ରହିବ, ଯାହାକି ଏବେ କଳ୍ପନା ବାହାରେ। ଦେଶର ୭ଟି ଗୁରୁତ୍ୱପୂର୍ଣ୍ଣ ନଦୀ ଜଳ ବିବାଦ ମାମଲାର ସ୍ଥାୟୀ ସମାଧାନ ହେଲେ ଜଳ ସଙ୍କଟରେ କିଛି ସୁଧାର ଆସିବ ବୋଲି ନିତି ଆୟୋଗ କହିଛନ୍ତି।

ଜଳ ସଙ୍କଟର ଦୂରୀକରଣ ପାଇଁ ଜଳସମ୍ପଦ ପରିଚାଳନାର ଆବଶ୍ୟକତା ରହିଛି। ୨୦୧୬-୧୭ ରିପୋର୍ଟ ମୁତାବକ, ଏହି ଜଳସମ୍ପଦ ପରିଚାଳନାରେ ଗୁଜରାଟ ଦେଶର ଅଗ୍ରଣୀ ରାଜ୍ୟ ହୋଇଥିବା ବେଳେ ମଧ୍ୟପ୍ରଦେଶ,ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ମଧ୍ୟ ଜଳର ସୁବିନିଯୋଗ ହୋଇପାରୁଥିବା ଆୟୋଗ କହିଛନ୍ତି। ଅପରପକ୍ଷେ,ଝାଡଖଣ୍ଡ, ହରିୟାଣା, ୟୁପି ଓ ବିହାରରେ ଜଳର ପରିଚାଳନା ଠିକ୍‌ରେ ହୋଇପାରୁନଥିବା ବେଳେ ଏଠାରେ ଜଳ ସମସ୍ୟା ମଧ୍ୟ ଭୟଙ୍କର ରୂପ ନେଇଛି। ଉତ୍ତରପୂର୍ବ ଓ ହିମାଳୟ ଉପତ୍ୟକା ଅଞ୍ଚଳରେ ଜଳ ପରିଚାଳନାରେ ତ୍ରିପୁରା ସବୁଠୁ ଆଗରେ ରହିଛି। ୨୦୧୫-୧୬ରେ ଓଡ଼ିଶା ଏହି ସୂଚକାଙ୍କର ନବମ ସ୍ଥାନରେ ରହିଥିବା ବେଳେ ୨୦୧୬ ୧୭ ବେଳକୁ ୪ ସ୍ଥାନ ତଳକୁ ଖସି ୧୩କୁ ଆସିଛି।

ସମ୍ବନ୍ଧିତ ଖବର