ବିବାଦରେ ଗଡ଼କରୀ : ଠିକାଦାରଙ୍କ ଉପରେ ବୁଲଡୋଜର ଚଢ଼ାଇବାକୁ ଧମକ

ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏକ ଜନସଭାରେ ଉଦ୍‌ବୋଧନ ଦେଇ ଗଡ଼କରୀ କହିଛନ୍ତି ଯେ ଠିକାଦାରମାନେ ଯଦି ରାସ୍ତା ନିର୍ମାଣରେ ଦୁର୍ନୀତି କରିବେ ତା’ହେଲେ ସେମାନଙ୍କ ଉପରେ ବୁଲଡୋଜର ଚଢ଼ାଇ ଦେବି। ରାସ୍ତା ନିର୍ମାଣରେ ହେଉଥିବା ଦୁର୍ନୀତି ସଂପର୍କରେ ଉଲ୍ଲେଖ କରି ମଧ୍ୟପ୍ରଦେଶର ବୈତୁଲରେ ଗଡ଼କରୀ ଏହି ଧମକପୂର୍ଣ୍ଣ ବୟାନ ଦେଇଛନ୍ତି। ରାସ୍ତା ନିର୍ମାଣରେ ଦୁର୍ନୀତି କରି ଦେଶର ଭବିଷ୍ୟତ ସହ ଖେଳିଲେ ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଦୁର୍ନୀତିଗ୍ରସ୍ତ ଠିକାଦାରଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ଗଡ଼କରୀ ଚେତାବନୀ ଦେଇଛନ୍ତି। ତେବେ ଗଡ଼କରୀ ଯେଭଳି ଢଙ୍ଗରେ ଠିକାଦାରଙ୍କ ବିରୋଧରେ ବୟାନବାଜୀ କରୁଛନ୍ତି ତାହା ତାଙ୍କ ଅହଙ୍କାରର ପରିପ୍ରକାଶ ବୋଲି ମହାରାଷ୍ଟ୍ରର କେତେକ ସଂଗଠନ କରିଛନ୍ତି। ଅନ୍ୟପକ୍ଷରେ ଚିନି କାରଖାନାଗୁଡ଼ିକୁ ମଧ୍ୟ ଗଡକରୀ ଟାର୍ଗେଟ୍‌ କରିଛନ୍ତି। ଦେଶରେ ଚିନି କାରଖାନାଗୁଡ଼ିକ ଅଯଥା ଆର୍ଥିକ କ୍ଷତି ପହଞ୍ଚାଉଛନ୍ତି ବୋଲି ସେ କହିଛନ୍ତି। ତେବେ ବିଭିନ୍ନ କାରଣରୁ ବୋଝ ହେବା ସତ୍ତ୍ୱେ ସେଗୁଡ଼ିକ ବନ୍ଦ ନହେବା ପଛରେ ରାଜନୈତିକ କାରଣ ରହିଛି ବୋଲି ଗଡ଼କରୀ କହିଛନ୍ତି।

ସମ୍ବନ୍ଧିତ ଖବର