କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ଆୟରେ ୫ ବର୍ଷ ମଧ୍ୟରେ ବୃଦ୍ଧି ଘଟିଛି ୧୪୦%; ବିଚାରାଧୀନ ଅବସ୍ଥାରେ ଅଛି ୩ ଅପରାଧିକ ମାମଲା

ଜାଣନ୍ତୁ ନିଜ ସତ୍ୟପାଠରେ କ’ଣ ସବୁ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ନୂଆଦିଲ୍ଲୀ: ବିଜେପିର ଅନ୍ୟତମ ଟାଣୁଆ ନେତା ତଥା କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କର ଆୟରେ ଗତ ୫ ବର୍ଷ ମଧ୍ୟରେ ୧୪୦ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରାର୍ଥୀପତ୍ରରେ ନିଜର ଆୟ ଓ ସଂପତ୍ତି ବାବଦରେ ସେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ସେଥିରୁ ଏହି ତଥ୍ୟ ସାମନାକୁ ଆସିଛି।

ନିଜର ଆୟ ଓ ସଂପତ୍ତି ସଂପର୍କରେ ଶ୍ରୀ ଗଡ଼କରୀ ସତ୍ୟପାଠରେ ଦର୍ଶାଇଛନ୍ତି ଯେ ୨୦୧୭- ୧୮ ଆର୍ଥିକ ବର୍ଷରେ ତାଙ୍କର ଆୟ ଥିଲା ୬.୪ ଲକ୍ଷ। ଉଲ୍ଲେଖଯୋଗ୍ୟ, ଗତ ୨୦୧୪ ନିର୍ବାଚନ ସମୟରେ ଶ୍ରୀ ଗଡ଼କରୀ ଦାଖଲ କରିଥିବା ସତ୍ୟପାଠରେ ତାଙ୍କର ମୋଟ ବାର୍ଷିକ ଆୟ ୨.୭ ଲକ୍ଷ ଥିବା ଦର୍ଶାଇଥିଲେ। ତେବେ ୨୦୧୪- ୧୫ ଠାରୁ ତାଙ୍କର ବାର୍ଷିକ ଆୟ ୬ ଲକ୍ଷକୁ ବୃଦ୍ଧି ପାଇଥିବା ସେ ଦର୍ଶାଇଛନ୍ତି। ତେବେ, ଏହି ସମୟ ମଧ୍ୟରେ ତାଙ୍କ ପତ୍ନୀ କାଞ୍ଚନଙ୍କ ଆୟରେ ଆଖି ଦୃୃଶିଆ ଅଭିବୃଦ୍ଧି ଘଟିଛି। ୨୦୧୩-୧୪ରେ କାଞ୍ଚନଙ୍କ ବାର୍ଷିକ ଆୟ ୪.୬ ଲକ୍ଷ ଥିବାବେଳେ ୨୦୧୭-୧୮ରେ ତାହା ୪୦ ଲକ୍ଷକୁ ବୃଦ୍ଧି ପାଇଛି।

Photo courtesy: India.Com

ସେହିପରି ଶ୍ରୀ ଗଡ଼କରୀଙ୍କ ମୋଟ ସଂପତ୍ତିର ମୂଲ୍ୟ ହେଉଛି ୬.୯ କୋଟି। ସଂପତ୍ତି କ୍ଷେତ୍ରରେ ଅଭିବୃଦ୍ଧିର ହାର ୧୦ ପ୍ରତିଶତ ରହିଛି। ବଜାର ମୂଲ୍ୟରେ ବୃଦ୍ଧି ଘଟିବା ଫଳରେ ଏହି ଅଭିବୃଦ୍ଧି ଘଟିଥିବା ସେ ଦର୍ଶାଇଛନ୍ତି। ସଂପତ୍ତି ଭିତରେ ତାଙ୍କର ମୁମ୍ବାଇର ଓ୍ଵରଲିରେ କେବଳ ମାତ୍ର ଗୋଟିଏ ଫ୍ଲାଟ ଅଛି। ତେବେ, ତାଙ୍କ ପତ୍ନୀ କାଞ୍ଚନଙ୍କ ସଂପତ୍ତିର ପରିମାଣ ହେଉଛି ୭.୩ କୋଟି ଯେଉଁଥିରେ କି ଅଭିବୃଦ୍ଧି ଘଟିଛି ୧୨୭ ପ୍ରତିଶତ। ଏତଦ୍‌ବ୍ୟତୀତ ଶ୍ରୀ ଗଡ଼କରୀଙ୍କର ୧୦ ହଜାର ଟଙ୍କା ମୂଲ୍ୟର ଗୋଟିଏ ଆମ୍ବାସାଡାର କାର ଥିବା ବେଳେ ୨୦ ଲକ୍ଷ ଟଙ୍କା ମୂଲ୍ୟର ଅନ୍ୟ ଗୋଟିଏ ହୋଣ୍ଡା ଗାଡ଼ି ରହିଛି।

ଏସବୁ ବାଦ ତାଙ୍କ ବିରୋଧରେ ତିନିଟି ଅପରାଧିକ ମାମଲା ଏବେ ବିଚାରାଧୀନ ରହିଥିବା ଆଗତ ସତ୍ୟପାଠରେ ଦର୍ଶାଇଛନ୍ତି ବିଜେପି ନେତା ଶ୍ରୀ ଗଡ଼କରୀ। ସେହିପରି ପରିବାରରେ ତିନି ଜଣ ତାଙ୍କ ଉପରେ ନିର୍ଭରଶୀଳ ଥିବା ବେଳେ ଶ୍ରୀ ଗଡ଼କରୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ବାଣିଜ୍ୟରେ ସ୍ନାତକ ସହ ଆଇନ୍‌ରେ ଏଲ୍‌ଏଲ୍‌ବି ବୋଲି ଏହି ସତ୍ୟପାଠରୁ ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର