ନୀତିଶଙ୍କ କାର୍ଯ୍ୟାନୁଷ୍ଠାନ: ବିଦା ହେବେ ୮୦ ହଜାର ସ୍ୱାସ୍ଥ୍ୟ କର୍ମଚାରୀ, ନିର୍ଦ୍ଦେଶ ଜାରି

ସରକାର କହିଲେ ଠିକା ନିଯୁକ୍ତିର ଉଲଂଘନ କରିଛନ୍ତି କର୍ମଚାରୀ

ପାଟନା: ଠିକା ମାଧ୍ୟମରେ ନିଯୁକ୍ତ ପାଇଥିବା ୮୦,୦୦୦ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଚାକରିରୁ ବାହାର କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବୁଧବାର ବଡ଼ ପଦକ୍ଷେପ ନେଇଛନ୍ତି। ବିଗତ ୩ ଦିନ ହେବ ସ୍ୱାସ୍ଥ୍ୟ ସେବା ଛାଡ଼ି ଆନ୍ଦୋଳନରେ ବସିଥିବା କର୍ମଚାରୀଙ୍କୁ ଯଥା ଶୀଘ୍ର ବାହାର କରିବା ପାଇଁ ନୀତିଶ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବଙ୍କୁ ଆଦେଶ ଦେଇଛନ୍ତି। ଆଦେଶରେ ସେ କହିଛନ୍ତି ଏମାନଙ୍କୁ ତୁରନ୍ତ ଚାକିରିରୁ ବାହାର କରାଯାଉ।

ସରକାରଙ୍କ ନିଷ୍ପତ୍ତି ପରେ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ଆର.କେ. ମହାଜନ ସମସ୍ତ ଜିଲ୍ଲାଧିକାରୀ ଓ ସିଭିଲ ସର୍ଜନଙ୍କୁ ଚିଠି ଜାରି କରିଛନ୍ତି। ଚିଠିରେ କୁହାଯାଇଛି ଯେ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସେବା ତୁରନ୍ତ ଶେଷ କରି ଦିଆଯାଇ ତାଙ୍କ ସ୍ଥାନରେ ନୂତନ କର୍ମଚାରୀଙ୍କୁ ଭର୍ତ୍ତି କରାଯାଉ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୪ରୁ ପ୍ରାୟ ୮୦ ହଜାର ସ୍ୱାସ୍ଥ୍ୟ କର୍ମଚାରୀମାନେ ଅନିଶ୍ଚିତକାଳ ପାଇଁ ଧାରଣାରେ ବସିଛନ୍ତି। ଆନ୍ଦୋଳନରତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦାବି ଯେ, ସେମାନଙ୍କ ଚାକିରିକୁ ନୀୟମିତ କରାଯାଇ ସମାନ କାମକୁ ସମାନ ଦରମା ଦିଆଯାଉ। ଧାରଣାରେ ସ୍ୱାସ୍ଥ୍ୟ ପରିଚାଳକ, ଫାମାଷ୍ଟିଷ୍ଟ, ଓଟି ଆସିଷ୍ଟାଣ୍ଟ, ଟେକନିସିଆନ୍‌, ଡାଟା ଅପରେଟର ଆଦି ସାମିଲ ଅଛନ୍ତି। ଆନ୍ଦୋଳନ ଯୋଗୁଁ ପୂରା ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିଗିଡ଼ି ଯାଇଛି।

ସ୍ୱାସ୍ଥ୍ୟ ବିଭାଗର ପ୍ରଧାନ ସଚିବ ଆରକେ ମହାଜନ କହିଛନ୍ତି, ଜିଲ୍ଲାଧିକାରୀ ଓ ସିଭିଲ ସର୍ଜନଙ୍କୁ ଚିଠି ଲେଖାଯାଇଛି। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଠିକାରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ସେବା ସର୍ତ୍ତର ଉଲଂଘନ କରିଛନ୍ତି ଓ ଏହି ଅନୁଶାସନହୀନତା ଯୋଗୁଁ ତାଙ୍କ ଚାକିରି କାଳ ଶେଷ କରାଯାଉ।

ସରକାରଙ୍କ ନିର୍ଦ୍ଦେଶ ଜାରି ହେବା ପରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଯାଇଛି। ସେମାନେ କହିଛନ୍ତି ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ରୂପ ନେବ। ଏଥି ସହିତ ସେମାନେ ଆହୁରି କହିଛନ୍ତି, ସରକାର ଯଦି ଦାବି ନଶୁଣନ୍ତି, ସେମାନେ ଆତ୍ମହତ୍ୟା କରିବେ।

ସମ୍ବନ୍ଧିତ ଖବର