ରୁପାନିଙ୍କ ସହ କଥା ହେଲେ ନୀତୀଶ

ଅହମ୍ମଦାବାଦ: ଗୁଜରାଟରେ ଉତ୍ତର ଭାରତୀୟଙ୍କୁ ତଡ଼ିଦିଆଯିବାକୁ କେନ୍ଦ୍ରକରି ମାମଲା ସଙ୍ଗିନ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କୁ ଫୋନ୍ କରି କଥା ହୋଇଛନ୍ତି। ଘଟଣା ସଂପର୍କରେ ପଚାରି ବୁଝିବା ସହିତ ରାଜ୍ୟରେ ବିହାରୀ ଏବଂ ଅନ୍ୟ ଉତ୍ତର ଭାରତୀୟଙ୍କୁ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ରୁପାନି ମଧ୍ୟ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ ଏକ ବିବୃତିରେ ନୀତୀଶ କହିଛନ୍ତି, ଯେଉଁ ଲୋକ ଦୋଷ କରିଛି ତାକୁ ଦଣ୍ଡ ଦିଆଯାଉ। କିନ୍ତୁ ଜଣକ ପାଇଁ ସମସ୍ତଙ୍କୁ ଦଣ୍ଡିତ କରାଯିବା ଅନୁଚିତ। ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରୁପାନିଙ୍କ ସହ କଥା ହୋଇଛନ୍ତି।
ଘଟଣାରେ ଗୁଜରାଟ ସରକାରଙ୍କ ପକ୍ଷ ରଖି ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପ ଜାଡ଼େଜା କହିଛନ୍ତି, ଗତ ନିର୍ବାଚନରେ ଜିତିପାରିନଥିବା କିଛି ଲୋକ ରାଜ୍ୟରେ ଏଭଳି ହିଂସାକାଣ୍ଡ ଘଟାଉଛନ୍ତି। ସେମାନେ ଜାଣିଶୁଣି ହିଂସାକୁ ଇନ୍ଧନ ଯୋଗାଉଛନ୍ତି। ରାଜ୍ୟରେ ବିହାରୀମାନଙ୍କୁ ସୁରକ୍ଷା ଯୋଗାଇବାକୁ ରୁପାନି ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର