ନିତ୍ୟାନନ୍ଦଙ୍କ ପାସପୋର୍ଟକୁ ରଦ୍ଦ କରାଯାଇଛି : ବୈଦେଶିକ ମନ୍ତ୍ରାଳୟ

ତାକୁ ଆଶ୍ରୟ ଦିଆଯାଇଥିବା ଖବର ମିଥ୍ୟା : ଇକ୍ୱେଡର

ନୂଆଦିଲ୍ଲୀ : ବିବାଦୀୟ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ପାସପୋର୍ଟକୁ ରଦ୍ଦ କରାଯାଇଛି ଓ ଏକ ନୂଆ ପାସପୋର୍ଟ ଲାଗି ସେ କରିଥିବା ଆବେଦନକୁ ଖାରଜ କରାଯାଇଛି ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ନିତ୍ୟାନନ୍ଦ ସମ୍ପର୍କରେ ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସ ଓ ମିଶନକୁ ଅବଗତ କରାଯାଇଛି ।

ନିତ୍ୟାନନ୍ଦ ଏକ ଜାଲ ପାସପୋର୍ଟ ବ୍ୟବହାର କରି ଭାରତରୁ ପଳାୟନ କରିଥିବା ସଂଦେହ କରାଯାଉଛି । ଏଥିପାଇଁ କର୍ଣ୍ଣାଟକରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରାଯାଇଛି । କିଛିଦିନ ତଳେ ଖବର ଆସିଥିଲା ଯେ ସେ ଦକ୍ଷିଣ ଆମେରିକୀୟ ଦେଶ ଇକ୍ୱେଡର ନିକଟରେ ଏକ ଦ୍ୱୀପ କିଣି ତାହାକୁ କୈଳାସ ନାମରେ ନାମିତ କରିଛି । ଏହା ସହିତ ଇକ୍ୱେଡରକୁ ସେ ଆଶ୍ରୟ ମାଗିଥିବା କୁହାଯାଉଥିଲା । କିନ୍ତୁ ଇକ୍ୱେଡର ଦୂତାବାସ ପକ୍ଷରୁ ଏହି ଖବରକୁ ଖଣ୍ଡନ କରାଯାଇଛି । ଏକ ଦ୍ୱୀପ କିଣିବା ପାଇଁ ନିତ୍ୟାନନ୍ଦକୁ କୌଣସି ସହାୟତା କରାଯାଇନାହିଁ । ସେ ରାଜନୈତିକ ଶରଣ ପାଇଁ ଆବେଦନ କରିଥିଲା, କିନ୍ତୁ ତାହାକୁ ଖାରଜ କରାଯିବା ପରେ ସେ ହାଇତି ପଳେଇଯାଇଥିଲା ବୋଲି ଇକ୍ୱେଡର ଦୂତାବାସ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର