ନିଜାମ ମ୍ୟୁଜିୟମ୍ରୁ ଚୋରି ହୋଇ ଯାଇଥିବା ହୀରା, ଲୀଳା ଖଚିତ ସୁନାରେ ନିର୍ମିତ ଟିଫିନ୍ କ୍ୟାରିୟର ଓ ଚାହା କପ୍କୁ ଉଦ୍ଧାର କରିବା ସହ ୨ ଚୋରଙ୍କୁ ଗିରଫ କଲା ହାଇଦ୍ରାବାଦ ପୁଲିସ୍
ହାଇଦ୍ରାବାଦ: ହାଇଦ୍ରାବାଦ ସ୍ଥିତ ନିଜାମ୍ ମ୍ୟୁଜିୟମରୁ ଚୋରି ହୋଇଯାଇଥିବା ସପ୍ତମ ନିଜାମ୍ଙ୍କ ଦ୍ୱାରା ବ୍ୟବହୃତ ହୀରା, ଲୀଳା ଖଚିତ ସୁନାରେ ନିର୍ମିତ ବହୁ କୋଟି ଟଙ୍କା ମୂଲ୍ୟର ଏକ ତିନି ଥାକିଆ ଟିଫିନ୍ କ୍ୟାରିୟର ଓ ଚାହା କପ୍କୁ ହାଇଦ୍ରାବାଦ ପୁଲିସ୍ ଆଜି ମୁମ୍ବାଇରୁ ଉଦ୍ଧାର କରିବା ସହ ଏହି ଚୋରି ଘଟଣାରେ ସଂପୃକ୍ତ ଥିବା ଦୁଇ ଚୋରଙ୍କୁ ଗିରଫ କରିଛି। ଗରଫ ହୋଇଥିବା ଦୁଇ ଚୋର ହେଲେ ମହମ୍ମଦ ଗୌସି ପାଶା ଓରଫ ଖୁନୀ ଗୌସି (୨୩) ଓ ମହମ୍ମଦ ମୁବିନ୍ (୨୪)। ଗୌସି ଜଣେ ସେଣ୍ଟ୍ରିଂ ମିସ୍ତ୍ରୀ ହୋଇଥିବା ବେଳେ ମୁବିନ୍ ହେଉଛି ଜଣେ େଓ୍ଵଲଡିଂ ମିସ୍ତ୍ରୀ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଚାଞ୍ଚଲ୍ୟକର ଚୋରି ସଂପର୍କରେ ଆଜି ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ହାଇଦ୍ରାବାଦ ପୁଲିସ୍ କମିଶନର ଅଞ୍ଜନି କୁମାର କହିଛନ୍ତି ଯେ ଉଭୟ ଗୌସି ଓ ମୁବିନ୍ ହେଉଛନ୍ତି ସଂପର୍କୀୟ ଏବଂ ପେଶାଦାର ଚୋର। ସେମାନଙ୍କ ନାମରେ ଅନେକ ଚୋରି ମାମଲା ହାଇଦ୍ରାବାଦର ବିଭିନ୍ନ ଥାନାରେ ରହିଛି। ତେବେ, ନିଜାମ ମ୍ୟୁଜିୟମ୍ରୁ ଚୋରି କରିବା ପାଇଁ ସବୁ ଯୋଜନା ମୁବିନ୍ ଦ୍ୱାରା ହିଁ ହେଉଥିଲା।
ପ୍ରାୟ ୪୫ ଦିନ ତଳୁ ସେ ନିୟମିତ ଦର୍ଶକ ଭାବେ ନିଜାମ ମ୍ୟୁଜିୟମକୁ ଯାଇ ସେଠାର ସୁରକ୍ଷା ବ୍ୟବସ୍ଥା ସମେତ ସବୁକିଛି ତନ୍ନ ତନ୍ନ କରି ଯାଞ୍ଚ କରିବା ସହ କେଉଁ ବାଟଦେଇ ମ୍ୟୁଜିୟମ ଭିତରକୁ ପଶିବେ ତା’ର ଯୋଜନା ମଧ୍ୟ ପ୍ରସ୍ତୁତି କରିଥିଲା। ସବୁ ଯୋଜନା ଓ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଯିବା ପରେ ଉଭୟେ ଅତି ଚତୁରତାର ସହ ମ୍ୟୁଜିୟମ ମଧ୍ୟରୁ ନିଜାମଙ୍କର ବହୁମୂଲ୍ୟ ସାମଗ୍ରୀ ସବୁକୁ ଚୋରାଇ ନେବାରେ ସମର୍ଥ ହୋଇଥିଲେ। ମ୍ୟୁଜିୟମ୍ରୁ ଚୋରି ହୋଇଯାଇଥିବା ଏହି ବହୁମୂଲ୍ୟ ସାମଗ୍ରୀଗୁଡ଼ିକର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କାରୁ ଅଧିକ ଥିଲା। ଏହି ଚୋରି ଘଟଣା ସଂପର୍କରେ ଜାଣିବା ପରେ ହାଇଦ୍ରାବାଦ ପୁଲିସ୍ର ହୋସ୍ ଉଡ଼ି ଯାଇଥିବା ବେଳେ ଏହି ଦୁଇ ଚୋର କିନ୍ତୁ ସାଙ୍ଗରେ ସେମାନଙ୍କର ଚୋରିମାଲ୍କୁ ଧରି ଗରାଖ ସଂଗ୍ରହ କରିବା ପାଇଁ ମୁମ୍ବାଇ ଚାଲି ଯାଇଥିଲେ।
ମ୍ୟୁଜିୟମରୁ ଚୋରି ସାମଗ୍ରୀକୁ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତ ଚୋରଙ୍କୁ ଧରିବା ପାଇଁ ହାଇଦ୍ରାବାଦ ପୁଲିସ୍ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗଠନ କରି ରାତିଦିନ ଏକ କରି ଦେଇଥିବା ବେଳେ ଗତକାଲି ଏହି ଦୁଇ ଚୋରଙ୍କୁ ମୁମ୍ବାଇରୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଚୋରି ମାଲକୁ ମଧ୍ୟ ଉଦ୍ଧାର କରିଥିଲେ।