ଅନ୍ୟ ଉପାୟ ନଥିଲା

ବିଚାରପତିଙ୍କ ସାମ୍ବାଦିକ ସମ୍ମିଳନୀ

0 80

ନୂଆଦିଲ୍ଲୀ: ସ୍ୱାଧୀନ ଭାରତର ନ୍ୟାୟିକ ଇତିହାସରେ ପ୍ରଥମ ଥର ପାଇଁ ସୁପ୍ରିମ୍‌ କୋର୍ଟର ୪ ଜଣ ବରିଷ୍ଠ ବିଚାରପତି ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରଧାନ ବିଚାରପତିଙ୍କ ପ୍ରଶାସନିକ କାର୍ଯ୍ୟଶୈଳୀକୁ ଜୋର୍‌ଦାର ବିରୋଧ କରିବା ଘଟଣା ଆଇନ ବିଶେଷଜ୍ଞ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ୪ ଅସନ୍ତୁଷ୍ଟ ବିଚାରପତିଙ୍କ ଏଭଳି ପଦକ୍ଷେପକୁ ‘ଅଭୂତପୂର୍ବ‘ ଏବଂ ‘ଚକିତକାରୀ’ ବୋଲି ବିଶେଷଜ୍ଞମାନେ ଦର୍ଶାଇବା ସହ ସେମାନଙ୍କ ପାଖରେ ଅନ୍ୟ ବିକଳ୍ପ ନଥିଲା ବୋଲି କହିଛନ୍ତି। ଅଧିକାଂଶ ବିଶେଷଜ୍ଞ କହିଛନ୍ତି ଯେ ଏଭଳି ପଦକ୍ଷେପ ପଛରେ କିଛି ବହୁତ ବଡ଼ ଏବଂ ବାଧ୍ୟତାମୂଳକ କାରଣ ରହିଥିବ। ଅନେକ ବରିଷ୍ଠ ଆଇନ ବିଶାରଦ ଆଜିର ଘଟଣାକ୍ରମକୁ ନ୍ୟୟିକ ବ୍ୟବସ୍ଥା ଏବଂ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲାଭଳି ପଦକ୍ଷେପ ବୋଲି କହିଛନ୍ତି।।
ସୁପ୍ରିମ୍‌ କୋର୍ଟର ପୂର୍ବ ବିଚାରପତି ଆର୍‌.ଏସ୍‌. ସୋଢ଼ି, ପଂଜାବ ଏବଂ ହରିୟାଣା ହାଇକୋର୍ଟର ପୂର୍ବ ମୁଖ୍ୟ ବିଚାରପତି ମୁକୁଲ ମୁଦ୍‌୍‌ଗଲ, ବରିଷ୍ଠ ଆଇନଜୀବୀ କେଟିଏସ୍‌ ତୁଲସୀ, ପୂର୍ବ କେନ୍ଦ୍ର ଆଇନ ମନ୍ତ୍ରୀ ସଲମାନ ଖୁର୍ସିଦ ଏବଂ ଅଶ୍ୱିନୀ କୁମାର ବିଚାରପତିଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀକୁ ଅଭୂତପୂର୍ବ ଘଟଣା ବୋଲି କହି ଚିନ୍ତା ପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଚାରି ଜଣ ବିଚାରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବତନ ସଲିସିଟର ଜେନେରାଲ ଏନ୍‌ ସନ୍ତୋଷ ହେଗେଡ଼େ କହିଛନ୍ତି ଚାରି ବିଚାରପତି ନିଶ୍ଚିତ ଭାବେ ବିଭିନ୍ନ କାରଣରୁ ଆଘାତ ପାଇଛନ୍ତି, କିନ୍ତୁ ସେମାନେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ନ୍ୟାୟପାଳିକାର ଘୋର କ୍ଷତି ଘଟାଇଛି। ପୂର୍ବତନ ସୁପ୍ରିମ୍‌ କୋର୍ଟ ବିଚାରପତି ପି.ବି ସାଓ୍ଵନ୍ତ କହିଛନ୍ତି ଯେ ଏହି ଘଟଣା ସୁପ୍ରିମ୍‌ କୋର୍ଟରେ ଚାଲିଥିବା ବଡ଼ ଧରଣର ବିବାଦକୁ ପଦାକୁ ଆଣିଛି। ପୂର୍ବ ବିଚାରପତି ସୋଢ଼ି ଗଣମାଧ୍ୟମ ଜରିଆରେ ମତ ରଖିବା ପାଇଁ ବିଚାରପତିଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି। ସୁପ୍ରିମ୍‌ କୋର୍ଟ ବିଚାରପତି ଏଭଳି ସାମ୍ବାଦିକ ସମ୍ମଳିନୀ କିଭଳି କରିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେମାନଙ୍କ ପଦକ୍ଷେପ ନିରାଶ କଲା ଭଳି ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୁପ୍ରିମ୍‌ କୋର୍ଟର କାମ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ଏଭଳି ପଦକ୍ଷେପ ଜନମତ ସଂଗ୍ରହ ପାଇଁ ଉଦ୍ଦିଷ୍ଟ ଏବଂ ଏହା ଦ୍ୱାରା ସେମାନେ ଲୋକଙ୍କୁ ପଚାରୁଛନ୍ତି କ’ଣ ଠିକ୍‌୍‌ ଏବଂ କ’ଣ ଭୁଲ୍‌। ୪ ବିଚାରପତିଙ୍କ ଏଭଳି ପଦକ୍ଷେପ ନ୍ୟାୟିକ ବ୍ୟବସ୍ଥାକୁ ବଡ଼ ଆଘାତ ପହଞ୍ଚାଇଛି। ଏଭଳି ପଦକ୍ଷେପ ନ୍ୟାୟ ପାଳିକାକୁ ଯେଉଁ କ୍ଷତି ପହଞ୍ଚାଇଛି ତାହାର ଭରଣା ଏତେ ସହଜ ନୁହେଁ ବୋଲି ସେ କହିଛନ୍ତି।

ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟନ ସ୍ୱାମୀ କହିଛନ୍ତି ଯେ ବିଚାରପତିଙ୍କ ସାମ୍ବାଦିକ ସମ୍ମିଳନୀ ଠିକ୍‌ କି ନୁହେଁ ତାହା ତର୍ଜମା କରିବା ବଦଳରେ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିବା ଆବଶ୍ୟକ। ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଜରୁରୀ ବୋଲି ସେ କହିଛନ୍ତି। ପ୍ରଧାନ ବିଚାରପତି ଓ ତାଙ୍କୁ ବିରୋଧ କରୁଥିବା ୪ ଜଣ ବିଚାରପତିଙ୍କ ସହ ସରକାର ଯୋଗାଯୋଗ କରି ଏହି ସଙ୍କଟର ସମାଧାନ ହେବା ଉଚିତ ବୋଲି ସେ କହିଛନ୍ତି।

ବିଚାରପତିଙ୍କ ପଦକ୍ଷେପକୁ ସ୍ୱାଗତ କରି ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ୪ ଜଣ ବିଚାରପତିଙ୍କୁ ସେମାନଙ୍କ ସାହସିକ ପଦକ୍ଷେପ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଦେଶକୁ ନ୍ୟାୟପାଳିକାର ସଙ୍କଟ ସଂପର୍କରେ ସେମାନେ ଅବଗତ କରାଇଛନ୍ତି ଏବଂ ଭୁଲ୍‌ ସୁଧାରିବା ପାଇଁ ଏକ ସୁଯୋଗ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ଆଇନଜୀବୀ ପ୍ରଶାନ୍ତ ଭୂଷଣ ଆଜିର ଘଟଣାକ୍ରମକୁ ଅଭୂତପୂର୍ବ କହିଛନ୍ତି। ସେ କହିଛନ୍ତି ଯେ ବିଚାରପତିମାନେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଥିବାରୁ ସାମ୍ବାଦିକ ସମ୍ମିଳନୀକୁ ଶେଷ ବିକଳ୍ପ ଭାବେ ଗ୍ରହଣ କରିଛନ୍ତି। ସମସ୍ତ ୪ ବିଚାରପତି ଅତ୍ୟନ୍ତ ଦାୟିତ୍ୱସଂପନ୍ନ। ସେମାନେ ଏଭଳି ପଦକ୍ଷେପ ନେଇଥିବାରୁ ପରିସ୍ଥିତି ନିଶ୍ଚିତ ଭାବେ ଉଦ୍‌ବେଗଜନକ ବୋଲି ସେ କହିଛନ୍ତି। ବରିଷ୍ଠ ଆଇନଜୀବୀ କେଟିଏସ୍‌ ତୁଲସୀ କହିଛନ୍ତି ଯେ ନ୍ୟାୟପାଳିକା ସଙ୍କଟ ନେଇ ୪ ବିଚାରପତିଙ୍କୁ କେବେ ସାମ୍ବାଦିକ ସମ୍ମଳନୀ କରିବାକୁ ପଡ଼ିବ ବୋଲି କେହି ଚିନ୍ତା କରିନଥିଲେ। ସେମାନେ ବାଧ୍ୟ ହୋଇ ଗଣମାଧ୍ୟମର ଆଶ୍ରୟ ନେଇଛନ୍ତି ବୋଲି ସେ କହିଛନ୍ତି। ପୂର୍ବ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ ଆଜିର ଘଟଣାକ୍ରମକୁ ଚିନ୍ତାଜନକ ବୋଲି କହିଛନ୍ତି। ପୂର୍ବ ଆଇନମନ୍ତ୍ରୀ ଅଶ୍ୱିନୀ କୁମାର କହିଛନ୍ତି ଗଣତନ୍ତ୍ର ପାଇଁ ଆଜି ଏକ ଦୁଃଖଦ ଦିନ।

୪ ବିଚାରପତିଙ୍କ ସମ୍ପର୍କରେ
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ସୁପ୍ରିମ୍‌ କୋର୍ଟର ୪ ଜଣ ବିଚାରପତି ଗଣମାଧ୍ୟମ ସମ୍ମୁଖକୁ ଆସି ପ୍ରଧାନ ବିଚାରପତିଙ୍କ ପ୍ରଶାସନିକ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଛନ୍ତି। ଏହି ୪ ଜଣ ବିଚାରପତି ସୁପ୍ରିମ୍‌ କୋର୍ଟରେ ବରିଷ୍ଠତା ମାମଲାରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ପରେ ଦ୍ୱିତୀୟରୁ ପଂଚମ ସ୍ଥାନରେ ରହିଛନ୍ତି। ସେମାନେ ହେଲେ ବରିଷ୍ଠ ବିଚାରପତି ଜେ. ଚେଲମେଶ୍ୱର, ବିଚାରପତି ରଂଜନ ଗୋଗୋଇ, ବିଚାରପତି ମଦନ ବି ଲୋକୁର ଏବଂ ବିଚାରପତି କୁରିଏନ ଜୋସେଫ୍‌। ପ୍ରଧାନ ବିଚାରପତି ଦୀପକ ମିଶ୍ର ଗତ ବର୍ଷ ତାଙ୍କ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ସେ ୨ ଅକ୍ଟୋବର ୨୦୧୮ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଦାୟିତ୍ୱରେ ରହିବେ। ପ୍ରଧାନ ବିଚାରପତିଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ୪ ବରିଷ୍ଠ ବରିଷ୍ଠ ବିଚାରପତିଙ୍କ ସଂକ୍ଷିପ୍ତ ପରିଚୟ-
ବିଚାରପତି ଚେଲମେଶ୍ୱର
ବିଚାରପତି ଚେଲମେଶ୍ୱର ୨୩ ଜୁନ୍‌ ୧୯୫୩ରେ ଆନ୍ଧ୍ର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୭ରେ ସେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ବିଚାରପତି ନିଯୁକ୍ତ ହୋଇଥିଲେ। ୨୦୦୭ରେ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହାପରେ ୨୦୧୦ରେ ସେ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ ଏବଂ ୨୦୧୧ରେ ତାଙ୍କୁ ସୁପ୍ରିମ୍‌ କୋର୍ଟର ବିଚାରପତି ନିଯୁକ୍ତି ଦିଆଯାଇଥିଲା।
ବିଚାରପତି ରଂଜନ ଗୋଗୋଇ
୧୮ ନଭେମ୍ବର ୧୯୫୪ରେ ଜନ୍ମ ଗ୍ରହଣ କରିଥିବା ବିଚାରପତି ଗୋଗୋଇ ଗୌହାଟି ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ୨୦୦୧ରେ ତାଙ୍କୁ ଗୌହାଟି ହାଇକୋର୍ଟରେ ସ୍ଥାୟୀ ବିଚାରପତି ନିଯୁକ୍ତି ଦିଆଯାଇଥିଲା। ଏହାପରେ ବିଚାରପତି ଗୋଗୋଇଙ୍କ ବଦଳି ୨୦୧୦ରେ ପଂଜାବ ଏବଂ ହରିୟାଣା ହାଇକୋର୍ଟକୁ ହୋଇଥିଲା। ୨୩ ଏପ୍ରିଲ ୨୦୧୨ରେ ବିଚାରପତି ଗୋଗୋଇଙ୍କୁ ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।
ବିଚାରପତି ମଦନ ଭୀମରାଓ ଲୋକୁର
୧୯୭୪ରେ ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍‌ସ କଲେଜରେ ଇତିହାସରେ ସ୍ନାତକ କରିଥିବା ବିଚାରପତି ମଦନ ଭୀମରାଓ ଲୋକୁର ଗୌହାଟି ଏବଂ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ମୁଖ୍ୟ ବିଚାରପତି ରହିଥିଲେ। ୪ ଜୁନ୍‌ ୨୦୧୨ରେ ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା।
ବିଚାରପତି କୁରିଏନ୍‌ ଜୋସେଫ୍‌
୩୦ ନଭେମ୍ବର ୧୯୫୩ରେ ଜନ୍ମିତ ବିଚାରପତି କୁରିଏନ୍‌ ଜୋସେଫ୍‌ ଦୁଇ ଥର କେରଳ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରହିଥିଲେ। ତାଙ୍କୁ ୨୦୧୩ରେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ଦିଆଯାଇଥିଲା। ୮ ମାର୍ଚ୍ଚ ୨୦୧୩ରେ ତାଙ୍କୁ ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.