ପ୍ରମାଣ ନଥିଲେ ସଂପର୍କୀୟଙ୍କ ବିରୋଧରେ ଏତଲା ହେବନାହିଁ

 ଯୌତୁକ ହତ୍ୟା ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ବିବାହ ସଂପର୍କିତ ବିବାଦ ଏବଂ ଯୌତୁକ ହତ୍ୟା ଘଟଣାରେ ଆଜି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କହିଛନ୍ତି, ଯୌତୁକଜନିତ ହତ୍ୟା ଘଟଣାରେ ସଂପୃକ୍ତି ନେଇ ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ସଂପର୍କୀୟଙ୍କ ବିରୋଧରେ ଏତଲା ହୋଇପାରିବ ନାହିଁ। ବିଚାରପତି ଏସ୍‌ ଏ ବୋବ୍‌ଡେ ଏବଂ ଏଲ୍‌ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ କହିଛନ୍ତି, ଏଭଳି ଘଟଣାରେ ହତ୍ୟାର ଶିକାର ହେଉଥିବା ମହିଳାଙ୍କ ସ୍ୱାମୀଙ୍କ ଦୂର ସଂପର୍କୀୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ। ଘଟଣାରେ ସେମାନଙ୍କ ସଂପୃକ୍ତିକୁ ସ୍ପଷ୍ଟ କରାଯିବା ପରେ ହିଁ ଏତଲା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ। ଜଣେ ବ୍ୟକ୍ତିଙ୍କ ମାମୁମାନଙ୍କ ଦ୍ୱାରା ହୋଇଥିବା ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏଭଳି ରାୟ ଦେଇଛନ୍ତି। ଏକ ଯୌତୁକ ହତ୍ୟା ଘଟଣାରେ ଏମାନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଚାଲେଞ୍ଜ୍‌ କରି ସେମାନେ ୨୦୧୬ରେ ହାଇଦ୍ରାବାଦ ହାଇକୋର୍ଟରେ ଆବେଦନ କରିଥିଲେ। ସେମାନେ ଦର୍ଶାଇଥିଲେ ଯେ ଘଟଣାରେ ସେମାନେ ସଂପୃକ୍ତ ନଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଅନୁଚିତ। କିନ୍ତୁ ହାଇକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଫଳରେ ସେମାନେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌କୋର୍ଟରେ ଚାଲେଞ୍ଜ୍‌ କରିଥିଲେ।

ସମ୍ବନ୍ଧିତ ଖବର