ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ସେବନ ଦ୍ୱାରା କରୋନା ଉପଶମ ହେବାର ପ୍ରମାଣ ନାହିଁ : ଗବେଷଣା

ନୂଆଦିଲ୍ଲୀ : କରୋନା ସଂକ୍ରମଣର ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନଥିବାବେଳେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ସେବନ ଦ୍ୱାରା କେତେକାଂଶରେ ଉପଶମ ମିଳୁଥିବା କୁହାଯାଉଛି । ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ଏହି ଔଷଧ ଉପଯୋଗୀ ହେଉଛି ବୋଲି କହିଛନ୍ତି । ଏହା ଫଳରେ ଭାରତରୁ ଏହି ଔଷଧର ରପ୍ତାନି ବଢିଯାଇଛି ।

କିନ୍ତୁ ଗବେଷଣାରୁ ଜଣାପଡ଼ିଛି ଯେ ହାଇଡ୍ରୋକ୍ସି କ୍ଲୋରେକ୍ୱିନ ଦ୍ୱାରା କରୋନା ଚିକିତ୍ସାରେ ସେପରି କୌଣସି ଉପକାର ମିଳେନାହିଁ । ଦି ଲାନସେଟରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁସାରେ ପ୍ରାୟ ୧୫୦୦୦ କରୋନା ରୋଗୀଙ୍କ ଉପରେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ପ୍ରଦାନ କରି ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା । ଏହି ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ଏହି ଔଷଧ ଦ୍ୱାରା ସେମାନଙ୍କର ସେପରି କୌଣସି ଉପକାର ହୋଇନଥିଲା ବରଂ ସେମାନଙ୍କ ହୃଦଗତିରେ ଅସ୍ୱାଭାବିକତା ଦେଖାଦେଇଥିଲା । ଏଣୁ ଏହି ଔଷଧର ମାନବ ଶରୀର ଉପରେ ପାଶ୍ୱର୍ପ୍ରତିକ୍ରିୟା ଥିବାରୁ ଏହାକୁ ଡାକ୍ତରଙ୍କ ବିନା ପରାମର୍ଶରେ ନେବା ବିପଦଜନକ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏପରିକି ଏହି ଔଷଧ ଦ୍ୱାରା ରୋଗୀଙ୍କଠାରେ ଗୁରୁତର ହୃଦୟ ସମସ୍ୟା ଓ ଏପରିକି ମୃତ୍ୟୁ ମଧ୍ୟ ହୋଇପାରେ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି ।

ଗତ ସପ୍ତାହରେ ଭାରତ ସରକାର କହିଥିଲେ ଯେ ଗତ ଦୁଇ ମାସରେ ବିଶ୍ୱର ୧୨୦ଟି ଦେଶକୁ ପାରାସିଟାମୋଲ ଓ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଯୋଗାଇଦିଆଯାଇଛି । କରୋନାର ଚିକିତ୍ସା ପାଇଁ ଏସବୁ ଔଷଧ ଗୁଡ଼ିକ ଉପଯୋଗୀ ହେଉଥିବାରୁ ଏସବୁ ଔଷଧର ଚାହିଦା ସାରା ବିଶ୍ୱରେ ବଢିଯାଇଛି । ଏଥିପାଇଁ ବିଭିନ୍ନ ଦେଶ ଭାରତକୁ ଏଗୁଡ଼ିକର ଯୋଗାଣ ପାଇଁ ଅନୁରୋଧ କରିଥିଲେ ।

ସମ୍ବନ୍ଧିତ ଖବର