ଅନାହାର ମୃତ୍ୟୁକୁ ପରବାୟ ନାହିଁ!ନଷ୍ଟ ହେଉଛି ଭାରତର ଅଧା ଫଳ, ପରିବା

ନୂଆଦିଲ୍ଲୀ : ଦେଶର ବିଭିନ୍ନ କୋଣରେ ଅନାହାର ମୃତ୍ୟୁ ଜାରି ରହିଥିବା ବେଳେ ଏହାକୁ ରୋକିବା ଦିଗରେ ସରକାର ନାନା ପଦକ୍ଷେପ ନେଉଛନ୍ତି। ତେବେ ଖାଦ୍ୟ ସାମଗ୍ରୀ ପ୍ରତି ଦେଶବାସୀଙ୍କର ଦେଖାଦେଉଥିବା ଯତ୍ନହୀନତା ଅନାହାରରେ ସଢ଼ୁଥିବା ଲୋକମାନଙ୍କ ପ୍ରତି ଉପହାସ ସଦୃଶ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ଦେଶରେ ଉତ୍ପାଦିତ ହେଉଥିବା କ୍ଷୀର, ଫଳ ଏବଂ ପରିବା ପରିମାଣର ପ୍ରାୟ ଅଧା ଭାଗ ବିନିଯୋଗ ହୋଇନପାରି ଅଯଥାରେ ନଷ୍ଟ ହେଉଛି।
ଭାରତ ହେଉଛି ବିଶ୍ୱର ସର୍ବାଧିକ କ୍ଷୀର ଉତ୍ପାଦନକାରୀ ରାଷ୍ଟ୍ର। ସେହିପରି ଫଳ ଏବଂ ପରିବା ଉତ୍ପାଦନରେ ମଧ୍ୟ ଭାରତର ସ୍ଥାନ ବିଶ୍ୱରେ ଦ୍ୱିତୀୟ। ମାତ୍ର ପରିତାପର ବିଷୟ, ସଂରକ୍ଷଣ ଅଭାବରୁ ଏହି ଉତ୍ପାଦନର ପ୍ରାୟ ଚାଳିଶରୁ ପଚାଶ ପ୍ରତିଶତ ବିନିଯୋଗ ହୋଇନପାରୁନାହିଁ। ଏଥିଯୋଗୁଁ ଦେଶରେ ବର୍ଷକୁ ପାଖାପାଖି ୪୪ ହଜାର କୋଟି ଡଲାର ମୂଲ୍ୟର ଫଳ, ପରିବା ଏବଂ କ୍ଷୀର ନଷ୍ଟ ହେଉଥିବା ଏହି ରିପୋର୍ଟରୁ ଜଣାଯାଇଛି। ଭାରତରେ ପାଖାପାଖି ୬,୩୦୦ ଶୀତଳ ଭଣ୍ଡାର ରହିଛି। ସେଥିରେ ୩ କୋଟିରୁ ଅଧିକ ଟନ୍‌ ଓଜନର ଖାଦ୍ୟ ସାମଗ୍ରୀ ସଂରକ୍ଷଣ କରାଯାଇପାରିବ।

ତେବେ ଦେଶରେ ସଂରକ୍ଷଣ ଆବଶ୍ୟକ କରୁଥିବା ମୋଟ ଖାଦ୍ୟ ସାମଗ୍ରୀର ମାତ୍ର ୧୧ ପ୍ରତିଶତ ହିଁ ଏଥିରେ ରହିପାରୁଛି। ତେଣୁ ବାକି ଫଳ, ପରିବା ଓ କ୍ଷୀର ତଟକା ରହିନପାରି ପଚିଶଢ଼ି ନଷ୍ଟ ହେଉଛି। ସେଥିରୁ ପ୍ରାୟ ୬୦ ପ୍ରତିଶତ ଉତ୍ତରପ୍ରଦେଶ, ପଶ୍ଚିବଙ୍ଗ , ଗୁଜରାଟ ଏବଂ ପଞ୍ଜାବ ପରି ପ୍ରମୁଖ ରାଜ୍ୟମାନଙ୍କରେ ରହିଛି। ତେବେ ଏ ସଂକ୍ରାନ୍ତ ସ୍ଥିତି ଦକ୍ଷିଣ ଭାରତରେ ଆହୁରି ସଂକଟଜନକ ବୋଲି କୁହାଯାଉଛି। ସେଠାରେ ଜଳବାୟୁ ଅପେକ୍ଷାକୃତ ଅଧିକ ଉଷ୍ଣ ଏବଂ ଆର୍ଦ୍ରତା ପରିମାଣ ମଧ୍ୟ ଅଧିକ ରହିବା ସାଙ୍ଗକୁ ଆବଶ୍ୟକ ପରିମାଣର ଶୀତଳ ଭଣ୍ଡାର ଅଭାବରୁ ହିଁ ଏଭଳି ସ୍ଥିତି ଉପୁଜିଛି।
ଏହି ରିପୋର୍ଟ ଅନୁଯାୟୀ, ଗତ କିଛି ବର୍ଷ ଭିତରେ ଭାରତରେ ଶୀତଳୀକୃତ ଖାଦ୍ୟବଜାରର ଚାହିଦା ବଢ଼ିବାରେ ଲାଗିଛି। ୨୦୧୬ ମସିହାରେ ଏହାର ପରିମାଣ ୧୬,୭୨୪ କୋଟି ଡଲାର ଥିଲା ବେଳେ ୨୦୨୦ ମସିହା ବେଳକୁ ତାହା ୨୩,୪୪୯ କୋଟି ଡଲାର ଛୁଇଁବ ବୋଲି ଆକଳନ କରାଯାଇଛି। ସେହିପରି ୨୦୧୨ ମସିହାରେ ୫ ହଜାର କୋଟି ଡଲାର ମୂଲ୍ୟର ତେଜରାତି ବଜାର ରହିଥିବା ବେଳେ ୨୦୨୦ ମସିହା ବେଳକୁ ତାହା ୮୪,୭୯୦ କୋଟି ଡଲାର ହେବ ବୋଲି ଅନୁମାନ ଲଗାଯାଇଛି।
ତେବେ ଏପରି ବଜାର ଚାଲୁ ରଖିବା ପାଇଁ ଆବଶ୍ୟକ ଭିତ୍ତିଭୂମି ବାବଦରେ ବ୍ୟାପକ ଖର୍ଚ୍ଚ କରିବାକୁ ପଡ଼ିବ। ସମ୍ପ୍ରତି ଭିତ୍ତିଭୂମିର ଅଭାବ, ପ୍ରଶିକ୍ଷିତ ବ୍ୟକ୍ତି, ପୁରୁଣା ତଥା ଅନୁପଯୋଗୀ ଜ୍ଞାନକୌଶଳ ଏବଂ ନିରନ୍ତ ବିଦ୍ୟୁତ୍‌ ଯୋଗାଣରେ ବ୍ୟାଘାତ ହିଁ ଏପରି ଶୀତଳୀକୃତ ଖାଦ୍ୟ ବଜାର ବୃଦ୍ଧି ଦିଗରେ ଅନ୍ତରାୟ ହେଉଛି। ତେବେ ଏଥିରେ ସୁଧାର ଆଣିବା ପାଇଁ ଖାଦ୍ୟ ପଦାର୍ଥ ସଂଗ୍ରହ, ସଂରକ୍ଷଣ ଏବଂ ପରିବହନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଆସୋଚାମ୍‌ ମହାସଚିବ ଡି ଏସ୍‌ ରାଓ୍ଵଚ କହିଛନ୍ତି। ଏହାଦ୍ୱାରା ଖାଉଟିମାନେ ଉପକୃତ ହୋଇପାରିବା ସହ ଖାଦ୍ୟପଦାର୍ଥ ପଚିଶଢ଼ିବାରୁ କିଛି ମାତ୍ରାରେ ବର୍ତ୍ତିପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର