ଭାଷଣରେ ସୀମିତ ରହିଯାଇଛି ସ୍ୱାସ୍ଥ୍ୟସେବା, ଡାକ୍ତରଖାନା ବାରଣ୍ଡାରେ ବିନା ଡାକ୍ତରରେ ପ୍ରସବ କଲେ ପ୍ରସୂତି

ଗୋଣ୍ଡା (ଉତ୍ତରପ୍ରଦେଶ): ଦେଶବାସୀଙ୍କୁ ଉପଯୁକ୍ତ ଏବଂ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ଦୃଢ଼ ପରିକର ବୋଲି ବାରମ୍ବାର ଘୋଷଣା କରୁଥିଲେ ସୁଦ୍ଧା ଆଜି ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ରୋଗୀମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ବିଭାଗୀୟ ଡାକ୍ତର ଓ ଅଧିକାରୀମାନେ ଯେ କେତେ ଉଦାସୀନ ତାହାର ଏକ ନଗ୍ନ ନମୁନା ଦେଖିବା ପାଇଁ ମିଳିଛି ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ସକାଳେ ଜଣେ ପ୍ରସୂତି ଗର୍ଭଯନ୍ତ୍ରଣା ଅନୁଭବ କରିବାରୁ ପ୍ରସବ ପାଇଁ ଗୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ତେବେ, ସେହି ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ। ଅନ୍ୟପକ୍ଷରେ ଡାକ୍ତରଖାନାର ଅନ୍ୟ କର୍ମଚାରୀମାନେ ମଧ୍ୟ ପ୍ରସୂତିଙ୍କ ପ୍ରତି ଦୃଷ୍ଟି ଦେଇ ନଥିଲେ। ଏଣେ, ପ୍ରସୂତି ଜଣକ ପ୍ରବଳ ଗର୍ଭ ଯନ୍ତ୍ରଣାରେ ସ୍ପଷ୍ଟ ଦିବାଲୋକରେ ସ୍ୱାସ୍ଥ୍ୟକେନ୍ଦ୍ରର ବରଣ୍ଡାରେ ଚିତ୍କାର କରି ଗଡ଼ୁଥିଲେ। ପ୍ରସୂତି ଜଣଙ୍କର ଏଦୁର୍ଦ୍ଦଶା ଦେଖିବା ପରେ ସେଠାରେ ଉପସ୍ଥିତ ଥିବା କିଛି ମହିଳା ତାଙ୍କ ନିକଟକୁ ଆସିବା ସହ ତାଙ୍କ ଚାରିପଟେ ଶାଢ଼ି ଓ ଚଦର ଘେରାଇ ଧରି ତାଙ୍କର ପ୍ରସବ କରାଇଥିଲେ।

ତେବେ, ଏ ଘଟଣାର ଫଟୋ ଏବେ ଭାଇରାଲ ହେବା ପରେ ଉତ୍ତରପ୍ରଦେଶର ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରତନ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ ଏ ପୂରା ଘଟଣାର ଏକ ତଦନ୍ତ କରାଯିବ ଏବଂ ଯିଏ ଦୋଷୀ ସାବ୍ୟସ୍ତ ହେବ ତା’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର