ରହିବନି ଲିଙ୍ଗଗତ ବୈଷମ୍ୟ:ପୋକ୍ସୋ ଆଇନରେ ସଂଶୋଧନ ପାଇଁ କେନ୍ଦ୍ରର ପ୍ରସ୍ତାବ

ନୂଆଦିଲ୍ଲୀ: ଯୌନ ଅପରାଧ କ୍ଷେତ୍ରରେ ଲିଙ୍ଗଗତ ବୈଷ୍ୟମ୍ୟକୁ ନେଇ ସାଧାରଣରେ ଅସନ୍ତାଷ ସୃଷ୍ଟି ହୋଇଥିବାରୁ କେନ୍ଦ୍ର ସରକାର ପୁଣିଥରେ ପୋକ୍ସୋ ଆଇନରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ର ସରକାର ଲିଙ୍ଗଗତ ବୈଷମ୍ୟ ଦୂର କରିବା ସହ ଅତ୍ୟାଚାରର ଶିକାର ହେଉଥିବା ସମସ୍ତ ନାବାଳକ ଓ ନାବାଳିକାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ କହିଛି। ନିକଟରେ ଶିଶୁ ଯୌନ ଅପରାଧ ସୁରକ୍ଷା(ପୋକ୍ସୋ) ଆଇନରେ ସଂଶୋଧନ ହୋଇଥିବା ବେଳେ ଏଥିରେ କେବଳ ୧୨ ବର୍ଷରୁ କମ ବୟସର ନାବାଳିକାଙ୍କୁ ଦୁଷ୍କର୍ମ କରୁଥିବା ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶର ବ୍ୟବସ୍ଥା ହୋଇଛି।

କିନ୍ତୁ ୨୦୦୭ ମସିହାରେ ଶେଷଥର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା କରାଯାଇଥିବା ସର୍ଭେ ରିପୋର୍ଟ ମୁତାବକ, ଦେଶର ଯୌନ ଅତ୍ୟାଚାରର ଶିକାର ହେଉଥିବା ପିଲାଙ୍କ ମଧ୍ୟରେ ୫୨.୯ ପ୍ରତିଶତ କେବଳ ନାବାଳକ ରହିଛନ୍ତି। ଯୌନ ଅତ୍ୟାଚାରର ଶିକାର ହେଉଥିବା ନାବାଳକମାନଙ୍କୁ ଗୁରୁତ୍ୱ ଦିଆାଯାଉନଥିବା ଅଭିଯୋଗ କରି ଅନେକ ଏନ୍‌ଜିଓ ଏବଂ ବୁଦ୍ଧିଜୀବୀ ଉଦ୍‌୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ କହିଛନ୍ତି ଯେ ଏ କ୍ଷେତ୍ରରେ ଆଉ ଲିଙ୍ଗଗତ ବିଭେଦ ନ ରଖିବାକୁ ସରକାର ପଦକ୍ଷେପ ଗ୍ରହଣ କରିବେ। ଏହି ପ୍ରସଙ୍ଗରେ ରିପୋର୍ଟ ଦେବାକୁ ଗତବର୍ଷ ଜାତୀୟ ଶିଶୁ ଅଧିକାର କମିସନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ମେନକା କହିଛନ୍ତି।

ସମ୍ବନ୍ଧିତ ଖବର