ଜରିମାନାରୁ ବଞ୍ଚିବାର ହାଇଟେକ୍‌ ଉପାୟ: ହେଲ୍‌ମେଟ୍‌ ନ ଥିବାରୁ ଗାଡ଼ିକୁ ଗଡ଼ାଇ ଗଡ଼ାଇ ନେଲେ ଲୋକେ

ନୂଆଦିଲ୍ଲୀ : ସେପ୍ଟେମ୍ବର ପହିଲାରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେବା ପରେ ଏବେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଜରିମାନା ବଢ଼ିବା ସହ ଏଇ କିଛି ଦିନ ମଧ୍ୟରେ ଲୋକମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଛନ୍ତି ଟ୍ରାଫିକ ପୁଲିସ ଓ ପରିବହନ ବିଭାଗ । ନୂଆ ନିୟମ ଲାଗୁ ହେବାର ୪ଦିନ ମଧ୍ୟରେ ହିଁ ଲୋକଙ୍କଠାରୁ ହଜାର ହଜାର ଟଙ୍କା ଜରିମାନା ଆକାରରେ ନିଆଯାଇ ସାରିଛି । ତେବେ ଏ ମଧ୍ୟରେ ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ହେଲ୍‌ମେଟ୍‌ ପିନ୍ଧି ନ ଥିବା ଲୋକ ଗାଡ଼ି ଗଡ଼ାଇ ଗଡ଼ାଇ ଯାଉଥିବା ଦେଖାଯାଇଛି ।

ଭିଡିଓଟି ଆଇପିଏସ୍‌ ଅଫିସର ପଙ୍କଜ ନୈନ୍‌ ଟୁଇଟ୍‌ କରିବା ସହ ଭିଡିଓର ଟ୍ୟାଗ୍‌ଲାଇନ୍‌ ରହିଛି, ବିନା ହେଲ୍‌ମେଟରେ ଗାଡ଼ି ଚଳାଇବା ନିୟମ ବିରୁଦ୍ଧ କିନ୍ତୁ ଗାଡ଼ି ଗଡ଼ାଇ ଗଡ଼ାଇ ନେବା ନୁହେଁ । ତେବେ ଭାଇରାଲ ହୋଇଥିବା ଭିଡିଓରେ, କିଛି ଲୋକ ହେଲ୍‌ମେଟ୍‌ ପିନ୍ଧି ନଥିବାରୁ ଟ୍ରାଫିକ ପୋଷ୍ଟ ଦେଖି ଗାଡ଼ି ଗଡ଼ାଇ ଗଡ଼ାଇ ନେଉଥିବା ଦେଖାଯାଇଛି । ଟ୍ରାଫିକ ପୋଷ୍ଟ ଯିବା ପରେ ସେମାନେ ପୁଣି ଗାଡ଼ି ଚଳାଇ ଯାଉଥିବା ଭିଡିଓରେ ଦେଖାଯାଇଛି । ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ଟୁଇଟ୍‌ର ବ୍ୟବହାରକାରୀ ଏହାକୁ ଥଟ୍ଟା କରିବାରେ ଲାଗି ପଡ଼ିଛନ୍ତି । କିଛି ଲୋକ ଚାଲାଣ ନ କଟିବାର ଉପାୟ କହିବା ପାଇଁ ଆଇପିଏସ୍‌ ଅଫିସର ପଙ୍କଜ ନୈନ୍‌ଙ୍କୁ ଧନ୍ୟବାଦ ଜଣାଇବା ସହ କିଛି ଲୋକଙ୍କ ସୃଜନଶୀଳତାକୁ ଉଚ୍ଚକୋଟିର ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର