୬୦୦ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି

ନୂଆଦିଲ୍ଲୀ: ‘ଓଖି’ ବାତ୍ୟାରେ କେରଳ ଓ ତାମିଲନାଡ଼ୁର ନିଖୋଜ ହୋଇଥିବା ୬ଶହରୁ ଉର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି। ଏବେବି ଉଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ଭେ ଜାରି ରହିଛି। ଏହି ସଂଖ୍ୟାରେ ବୃଦ୍ଧି ହେବା ନେଇ ମଧ୍ୟ ଆଶଙ୍କା ରହିଛି ବୋଲି ଗୁରୁବାର ଗୃହ ମନ୍ତ୍ରାଳୟ ଦେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟ ମୁତାବକ ଏହି ନିଖୋଜ ମତ୍ସ୍ୟଜୀବୀଙ୍କ ମଧ୍ୟରେ ୪୩୩ ଜଣ ତାମିଲନାଡ଼ୁର ହୋଇଥିବା ବେଳେ ୧୮୬ଜଣ କେରଳର ବୋଲି ଜଣାପଡ଼ିଛି। ବାତ୍ୟାଜନିତ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୬୩ ଜଣ କେରଳର ହୋଇଥିବା ବେଳେ ୧୪ ଜଣ ହେଉଛନ୍ତି ତାମିଲନାଡ଼ୁର। ଅନ୍ୟପକ୍ଷରେ ନିଖୋଜମାନଙ୍କୁ ଖୋଜିବା କାର୍ଯ୍ୟରେ ଭାରତୀୟ ନୌସେନାକୁ ନିୟୋଜିତ କରାଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ମଧ୍ୟ ସାଟେଲାଇଟ ମାଧ୍ୟମରେ ଅନୁସନ୍ଧାନ ଜାରି ରଖିଥିବା ଜଣାପଡ଼ିଛି। ବୁଧବାର କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଗଣମାଧ୍ୟମକୁ କହିଥିଲେ ଯେ, ମୃତାହତ ମତ୍ସ୍ୟଜୀବୀଙ୍କ ପରିବାରକୁ ସହାୟତା ଯୋଗାଇ ଦିଆଯିବ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ମତ୍ସ୍ୟଜୀବୀଙ୍କ ପରିବାର ଲୋକଙ୍କୁ ଭେଟି ଗୁରୁବାର ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର