ଆପ୍‌ ବିଧାୟକଙ୍କ ସଦସ୍ୟତା ରଦ୍ଦ ମାମଲା, ସ୍ଥଗିତାଦେଶ ଦେଲେନାହିଁ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଅଫିସ ଅଫ ପ୍ରଫିଟ୍‌ ମାମଲାରେ ୨୦ ଜଣ ଆମ ଆଦମୀ ପାର୍ଟି (ଆପ୍‌) ବିଧାୟକଙ୍କ ସଦସ୍ୟପଦ ରଦ୍ଦ କରିବା ଲାଗି ନିର୍ବାଚନ ଆୟୋଗ ରାଷ୍ଟ୍ରପତିଙ୍କୁ ସୁପାରିଶ କରିବା ପରେ ଦଳ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଦିଲ୍ଲୀ ହାଇକୋର୍ଟ ମାମଲାକୁ ଗ୍ରହଣ କରିବା ସହ ଏ ନେଇ ମତ ରଖିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ୨୦ ଜଣ ବିଧାୟକଙ୍କ ସଦସ୍ୟପଦ ରଦ୍ଦ ପାଇଁ ରାଷ୍ଟ୍ରପତିଙ୍କୁ କୌଣସି ସୁପାରିଶ କରାଯାଇଛି କି ନା ସେ ସଂପର୍କରେ ଜଣାଇବାକୁ ହାଇକୋର୍ଟ ନିର୍ବାଚନ ଆୟୋଗର ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍‌ ରେଖା ପାଲ୍ଲି ନିର୍ଦ୍ଦେଶ ଜାରି କରିଛନ୍ତି । ଆୟୋଗର ମତାମତ ମିଳିବା ପରେ ମାମଲାର ପରବର୍ତ୍ତି ଶୁଣାଣୀ ଆସନ୍ତା ସୋମବାରଦିନ ହେବ ।

ନିର୍ବାଚନ ଆୟୋଗ ଦ୍ୱାରା ଆପର ୨୦ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଲାଗି ରାଷ୍ଟ୍ରପତିଙ୍କୁ ସୁପାରିଶ କରାଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିଦଙ୍କୁ କରିଥିବା ନିଜର ସୁପାରିଶରେ ଆୟୋଗ କହିଥିଲା ଯେ ଏହି ୨୦ ଜଣ ବିଧାୟକ ଥାଇ ସଂସଦୀୟ ସଚିବ ପଦ ରଖିଛନ୍ତି । ଯାହାକି ଏକ ଲାଭକାରୀ ପଦବୀ । ଏଣୁ ସେମାନଙ୍କ ସଦସ୍ୟ ପଦ ରଦ୍ଦ ହେବା ଉଚିତ । ଆୟୋଗର ଏହି ନିଷ୍ପତ୍ତି ବିରୋଧରେ ଆପ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।

ସମ୍ବନ୍ଧିତ ଖବର