ରାଜ୍ୟ-ରାଜ୍ୟ ମଧ୍ୟରେ ଗାଡ଼ି ପଂଜିକରଣ, ଡ୍ରାଇଭିଂ ଲାଇସେନ୍ସ ଟ୍ରାନ୍ସଫର କଲେ ଟିକସ ଦେବାକୁ ପଡିବ ନାହିଁ , ମନ୍ତ୍ରୀ କମିିଟିର ସୁପାରିଶ

ନୂଆଦିଲ୍ଲୀ : ଦେଶରେ ଆରଟିଓ ଅଫିସ ଗୁଡ଼ିକରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସୁଥିବାରୁ ସରକାର ଏ କ୍ଷେତ୍ରରେ କେତେକ ସଂସ୍କାର ଆଣିବାକୁ ଯୋଜନା କରୁଛନ୍ତି । ଏକ ନୂଆ ପ୍ରସ୍ତାବ ଅନୁସାରେ ଏଣିକି ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟର ରେଜିଷ୍ଟ୍ରେସନକୁ ଟ୍ରାନ୍ସଫର କଲେ କୌଣସି ଟିକସ ଦେବାକୁ ପଡିବ ନାହିଁ । ଏ ନେଇ ରାଜ୍ୟ ପରିବହନ ମନ୍ତ୍ରୀମାନଙ୍କ ଏକ କମିଟି ରାଜ୍ୟ ସରକାର ମାନଙ୍କୁ ସୁପାରିଶ କରିଛି । କମିଟିର ସୁପାରିଶ ଅନୁସାରେ ଲୋକମାନେ ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ଗାଡ଼ି ଟ୍ରାନ୍ସଫର କରି ନୂଆ ରେଜିଷ୍ଟେରସନ ନମ୍ବର ନେଲେ କୌଣସି ସଡ଼କ ଟିକସ ଦେବାକୁ ପଡିବ ନାହିଁ । ତେବେ ଦୁଇଟି ରାଜ୍ୟମଧ୍ୟରେ ଟିକସ ହାର ମଧ୍ୟରେ ଥିବା ବ୍ୟବଧାନ ୨ ପ୍ରତିଶତରୁ କମ ରହିଲେ କୌଣସି ଟିକସ ଦେବାକୁ ପଡିବ ନାହିଁ । ଆହୁରି ମଧ୍ୟ ଗୋଟିଏ ରାଜ୍ୟର ଡ୍ରାଇଭିଂ ଲାଇସେନ୍ସ ଆଉ ଏକ ରାଜ୍ୟକୁ ଟ୍ରାନ୍ସଫର କଲେ ନୋ ଅବଜେକ୍ସନ ସାର୍ଟିଫିକେଟ୍‌ (ଏନଓସି)ର ଆବଶ୍ୟକତା ପଡିବ ନାହିଁ । ଏହି ଟ୍ରାନ୍ସଫର ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ହୋଇପାରିବ ।
ଏବେ ଥିବା ବ୍ୟବସ୍ଥା ଅନୁସାରେ ଜଣେ ଯଦି ନିଜ ଗାଡ଼ି ବା ଡ୍ରାଇଭିଂ ଲାଇସେନ୍ସକୁ ଆଉ ଏକ ରାଜ୍ୟକୁ ଟ୍ରାନ୍ସଫର କରେ ତେବେ ତାକୁ ମୂଳ ରାଜ୍ୟରେ ଏହାକୁ ଇସ୍ୟୁ କରିଥିବା ଆରଟିଓଙ୍କଠାରୁ ଏକ ଏନଓସି ଆଣିବାକୁ ହେବ । ଆହୁରି ମଧ୍ୟ ନୂଆ ରେଜିଷ୍ଟ୍ରେସନ ନମ୍ବର ପାଇଁ ଆବେଦନ କଲେ ସଡ଼କ ଟିକସ ଦେବାକୁ ପଡିବ ।
ପରିବହନ କ୍ଷେତ୍ରରେ ସୁଧାର ପାଇଁ ସରକାର ରାଜ୍ୟ ପରିବହନ ମନ୍ତ୍ରୀମାନଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । କିଛିଦିନ ତଳେ ଏହି କମିଟିର ଏକ ବୈଠକ ଗୁଆହାଟୀଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ହିଁ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଥିଲା ।

ସମ୍ବନ୍ଧିତ ଖବର