ହାଇଡ୍ରୋକ୍ସି କ୍ଲୋ‌ରକୁଇନ୍‌ର ବିଶେଷ ପାର୍ଶ୍ବ ପ୍ରତିକ୍ରିୟା ନାହିଁ, ଡାକ୍ତରଙ୍କ ପରାମର୍ଶ ସହ ଗ୍ରହଣ କରିବାକୁ ଅନୁମତି ଦେଲା ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ: ପୂର୍ବରୁ ଆମେ ଜାଣିଛେ ଯେ କରୋନା ଭାଇରସ୍‌ ଚିକିତ୍ସାରେ ମେଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋ‌ରକୁଇନ୍‌ ବ୍ୟବହାର କରାଯାଉଛି। ନିକଟରେ ଏ ନେଇ ଏକ ସ୍ପଷ୍ଟ ସୂଚନା ଦେଇଛି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଫର୍‌ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌)। ଆଇସିଏମ୍‌ଆର ଡିଜି ବଳରାମ ଭାର୍ଗବ ମଙ୍ଗଳବାର ହାଇଡ୍ରୋକ୍ସି କ୍ଲୋ‌ରକୁଇନ୍ ଉପରେ ପରୀକ୍ଷଣ କରିବା ପରେ ଏଥିରେ ବିଶେଷ ପାର୍ଶ୍ବ ପ୍ରତିକ୍ରିୟା ପାଇନାହାନ୍ତି।

ତାଙ୍କ କହିବାନୁସାରେ ଏହାକୁ ସ୍ବାସ୍ଥ୍ୟକର୍ମୀମାନେ କୋଭିଡ୍‌-୧୯ର ଏକ ପ୍ରତିଷେଧକ ଭାବେ ଖାଦ୍ୟ ସହ ଗ୍ରହଣ କରିପାରିବେ। ଏହାର କେତୋଟି ସାଧାରଣ ପାର୍ଶ୍ବ ପ୍ରତିକ୍ରିୟା ହେଉଛି ବାନ୍ତି ଲାଗିବା, ବାନ୍ତି ହେବା ଓ ବିଚଳିତ ଲାଗିବା। ଏହାକୁ ଗ୍ରହଣ କରିବା ପୂର୍ବରୁ ଥରୁଟିଏ ଇସିଜି କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ଏହାକୁ ଖାଲି ପେଟରେ ଖାଇବାକୁ ସେ ଦୃଢ଼ ଭାବେ ମନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆରମ୍ଭ କରି ଆହୁରି ଅନେକ ଦେଶର ପ୍ରଭାବଶାଳୀ ନେତାମାନେ ଏହି ଔଷଧକୁ କିଣି କରୋନା ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଚିନ୍ତା କରିଥିଲେ। ମାତ୍ର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍‌ଲୁଏଚ୍‌ଓ) ସୁରକ୍ଷାକୁ ଦୃଷ୍ଟିରେ ରଖି ହାଇଡ୍ରୋକ୍ସି କ୍ଲୋ‌ରକୁଇନ୍‌ର ବ୍ୟବହାର ପାଇଁ ମନା କରି ଦେଇଥିଲା।

ସମ୍ବନ୍ଧିତ ଖବର