ଉତ୍ତରପ୍ରଦେଶ : ନାଗରିକତା ଆଇନ ବିରୋଧୀ ହିଂସାରେ ପୁଲିସ ଗୁଳିରେ କେହି ପ୍ରାଣ ହରାଇନାହାନ୍ତି : ଯୋଗୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାରଦିନ କହିଛନ୍ତି ଯେ ରାଜ୍ୟରେ ହୋଇଥିବା ନାଗରିକତା ଆଇନ (ସିଏଏ) ବିରୋଧୀ ହିଂସାରେ କୌଣସି ବ୍ୟକ୍ତି ପୁଲିସ ଗୁଳିରେ ପ୍ରାଣ ହରାଇନାହାନ୍ତି । ଆନ୍ଦୋଳନକାରୀଙ୍କ ଦ୍ୱାରା ଗୁଳି ଚଳାଯିବାରୁ କିଛି ଲୋକ ମୃତ୍ୟୁବରଣ କରିଥିଲେ ।

ରାଜ୍ୟ ବିଧାନସଭାରେ ସେ କହିଛନ୍ତି ଯେ କୌଣସି ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିବାର ଅଧିକାର ସମସ୍ତଙ୍କର ରହିଛି, କିନ୍ତୁ ତାହା ସମ୍ବିଧାନ ପରିସରରେ ହେବା ଆବଶ୍ୟକ । ଜାତୀୟ ପତାକାକୁ ଆଗରେ ରଖି କୌଣସି ଗୋଷ୍ଠୀ ଶାନ୍ତିଭଙ୍ଗ କଲେ ଓ ହିଂସାକାଣ୍ଡ କଲେ କାହାରିକୁ ଛଡ଼ାଯିବ ନାହିଁ । ବିରୋଧୀ ଦଳମାନେ ମଧ୍ୟ ମହିଳା ସୁରକ୍ଷା, କୃଷକର ସମସ୍ୟା ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ବଦଳରେ ଏହି ହିଂସାକାଣ୍ଡକାରୀଙ୍କୁ ସମର୍ଥନ କରୁଛନ୍ତି । ଯେଉଁମାନେ ରାମଭକ୍ତଙ୍କ ଉପରେ ଗୁଳିଚଳାଇଥିଲେ ସେମାନେ ଏବେ ହିଂସାକାଣ୍ଡକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରୁଛନ୍ତି ।

ପୂର୍ବରୁ ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାର ଏସପି ସ୍ୱୀକାର କରିଥିଲେ ଯେ ପୁଲିସ ଗୁଳିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛି । ବେସରକାରୀଭାବେ ପୁଲିସ ଗୁଳିରେ ମୃତ୍ୟୁ ସଂଖ୍ୟା ୨୦ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ ନାଗରିକତା ଆଇନ ପ୍ରତିବାଦରେ ଗତ ଡିସେମ୍ବର ମାସରେ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ବ୍ୟାପକ ହିଂସା ଦେଖାଦେଇଥିଲା । ହିଂସାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସକୁ ଗୁଳି ଚଳାଇବାକୁ ପଡ଼ିଥିଲା ।

ସମ୍ବନ୍ଧିତ ଖବର