ଭାରତୀୟ ସେନାର ଭୟ, କାଶ୍ମୀରରେ ଜୈସ-ଇ-ମହମ୍ମଦର ନେତୃତ୍ୱ ନେବାକୁ କେହି ରାଜି ହେଉନାହାନ୍ତି

ଶ୍ରୀନଗର : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦକୁ ନିର୍ମୂଳ କରିବାକୁ ଭାରତୀୟ ସେନା ପଣ କରିଛି । ଏହି କ୍ରମରେ ପାକିସ୍ତାନର ବାଲାକୋଟରେ ଥିବା ଜୈସର ଏକ ତାଲିମ ଶିବିର ଉପରେ ଭାରତୀୟ ବାୟୁସେନା ବୋମାମାଡ କରି ସେଥିରେ ରହୁଥିବା ଆତଙ୍କବାଦୀଙ୍କୁ ନିପାତ କରିଥିଲା । ସୀମା ଏପରେ କାଶ୍ମୀର ଘାଟୀରେ ମଧ୍ୟ ଭାରତୀୟ ସେନା ଅପରେସନ ଚଳାଇ ଭାରତରେ ଥିବା ଜୈସର ସବୁ ପ୍ରମୁଖ କମାଣ୍ଡରମାନଙ୍କୁ ହତ୍ୟା କରାଯାଇଛି । ଭାରତୀୟ ସେନାକୁ ନେଇ ଜୈସ ଆତଙ୍କବାଦୀମାନେ ଏତେ ଛାନିଆ ହୋଇଯାଇଛନ୍ତି ଯେ ଭାରତରେ ଏହି ସଂଗଠନର ପ୍ରମୁଖ ହେବାକୁ କେହି ରାଜି ହେଉନାହାନ୍ତି ।

ଏ ସଂପର୍କରେ ଭାରତୀୟେ ସେନା ପକ୍ଷରୁ ୧୫ କପସର ଜିଓସି କେଜେଏସ ଧୀଲୋନ କହିଛନ୍ତି ଯେ ଜୈସର କମାଣ୍ଡରମାନଙ୍କୁ ଖୋଜି ଖୋଜି ନିପାତ କରାଯାଇଥିଲା । ପରିସ୍ଥିତି ଏପରି ହୋଇଛି ଯେ ପାକିସ୍ତାନର ଉଦ୍ୟମ ସତ୍ତ୍ୱେ ଏହି ସଂଗଠନର ମୁଖିଆ ହେବାକୁ କେହି ରାଜି ହେଉନାହାନ୍ତି । କିନ୍ତୁ ଭାରତୀୟ ସେନା ଜୈସକୁ ଚପାଇବାକୁ ନିଜର ଅଭିଯାନ ଅବ୍ୟାହତ ରଖିବ ବୋଲି ସେ କହିଛନ୍ତି ।

୨୦୧୮ରେ କାଶ୍ମୀରରେ ଭାରତୀୟ ସେନା ଓ ଅନ୍ୟ ସୁରକ୍ଷା ବାହିନୀ ପକ୍ଷରୁ ମୋଟ ୨୭୨ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା । ଚଳିତ ବର୍ଷ ଏପର୍ଯ୍ୟନ୍ତ ମୋଟ ୬୯ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ଓ ୧୨ ଜଣଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧିତ ଖବର