କୌଣସି ପ୍ରକାର ସାମାଜିକ, ଧାର୍ମିକ ସମାବେଶ ଓ ଶୋଭାଯାତ୍ରାକୁ ଅନୁମତି ନ ଦେବାକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

 ଲକଡାଉନକୁ କଡ଼ାକଡ଼ି ପାଳନ ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏପ୍ରିଲ ୨୦୨୦ ମାସରେ ବିଭିନ୍ନ ପ୍ରକାରର ପର୍ବପର୍ବାଣି ପଡ଼ୁଥିବାକୁ ଆଖି ଆଗରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପାଇଁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି । କୋଭିଡ-୧୯ ମୁକାବିଲା ନିମନ୍ତେ ଲକଡାଉନକୁ କଡ଼ାକଡ଼ି ପାଳନ କରିବା ସହିତ କୌଣସି ପ୍ରକାରର ସାମାଜିକ କିମ୍ବା ଧାର୍ମିକ ସମାବେଶ ଓ ଶୋଭାଯାତ୍ରା ଆୟୋଜନକୁ ଅନୁମତି ନଦେବା ଲାଗି ଏହି ନିର୍ଦ୍ଦେଶରେ କୁହାଯାଇଛି ।

ଏହି ନିର୍ଦ୍ଦେଶରେ ଆହୁରି କୁହାଯାଇଛି ଯେ ଲକଡାଉନ ପଦକ୍ଷେପକୁ ନିର୍ଦ୍ଦିଷ୍ଟ ଭାବେ ଲାଗୁ କରିବା ନିମନ୍ତେ ଜିଲ୍ଲା କର୍ତ୍ତୃପକ୍ଷ ଓ କ୍ଷେତ୍ରୀୟ ସଂସ୍ଥାଗୁଡ଼ିକୁ ସୂଚିତ କରାଯାଉ, ଯଦ୍ଵାରା ସେମାନେ ଆଇନଶୃଙ୍ଖଳା, ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ସମସ୍ତ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବେ । ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ବିଷୟବସ୍ତୁ, ବାର୍ତ୍ତା ଉପରେ ଅଙ୍କୁଶ ଲଗାଇବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମଧ୍ୟ କୁହାଯାଇଛି ।

ନିର୍ଦ୍ଧାରିତ ଗାଇଡଲାଇନର ବ୍ୟବସ୍ଥା ସମ୍ପର୍କରେ ସାର୍ବଜନୀନ କର୍ତ୍ତୃପକ୍ଷ, ସାମାଜିକ ଓ ଧାର୍ମିକ ସଂଗଠନ ଏବଂ ନାଗରିକମାନଙ୍କୁ ଅବଗତ କରାଇବା ନିମନ୍ତେ ବ୍ୟାପକ ପ୍ରଚାର କରିବା ନିମନ୍ତେ କୁହାଯାଇଛି । ଲକଡାଉନ ପଦକ୍ଷେପର ଉଲ୍ଲଙ୍ଘନ କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଏବଂ ଭାରତୀୟ ଦଣ୍ଡବିଧି ସଂହିତାର ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମଧ୍ୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ।

ଦେଶରେ କୋଭିଡ-୧୯ ମହାମାରୀକୁ ପ୍ରତିହତ କରିବା ଲାଗି ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର ଏବଂ ପ୍ରାଧିକରଣ ଦ୍ଵାରା ଲକଡାଉନ କାର୍ଯ୍ୟକାରୀ କରିବା ନିମନ୍ତେ ଗୃହମନ୍ତ୍ରଣାଳୟ ପକ୍ଷରୁ ୨୪ ମାର୍ଚ୍ଚ ୨୦୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତିରେ ୨୫, ୨୭ ମାର୍ଚ୍ଚ ଓ ୨ ଏପ୍ରିଲରେ ସଂଶୋଧନ କରାଯାଇଥିଲା । ଏହି ଦିଶାନିର୍ଦ୍ଦେଶର ଅନୁଚ୍ଛେଦ ୯ ଏବଂ ୧୦ରେ କୁହାଯାଇଛି ଯେ କୌଣସି ଛାଡ଼ ଦିଆ ନଯାଇ ଧାର୍ମିକ ସଭାର ଆୟୋଜନ ଲାଗି ଅନୁମତି ଦିଆଯିବ ନାହିଁ । ସାମାଜିକ/ସାଂସ୍କୃତିକ/ଧାର୍ମିକ ସମାରୋହ/ଶୋଭାଯାତ୍ରା ଉପରେ କଟକଣା ଓ ପ୍ରତିବନ୍ଧକ ଲାଗୁ ହେବ ।

ସମ୍ବନ୍ଧିତ ଖବର