ନିଷେଧ ହେବନି ବାଣ ବିକ୍ରି:ରାତି ୮ରୁ ୧୦ ଫୁଟିବ

କମ୍‌ ପ୍ରଦୂଷଣ କରୁଥିବା ବାଣ ବିକ୍ରି ହେବ O ଲାଇସେନ୍ସପ୍ରାପ୍ତ ବେପାରୀଙ୍କୁ ଅନୁମତି O ପୁଲିସ ଅଧିକାରୀ ରହିବେ ଉତ୍ତରଦାୟୀ

ନୂଆଦିଲ୍ଲୀ: ଆସନ୍ତା ମାସରେ ଆଲୋକର ପର୍ବ ଦୀପାବଳି। ଏହାକୁ ନେଇ ଏବେଠୁ ଲୋକେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ବି‌େଶଷକରି ବାଣ ବ୍ୟବସାୟୀମାନେ ଜୋରଦାର ପ୍ରସ୍ତୁତିରେ ଲାଗିଛନ୍ତି। ତେବେ ସୁରକ୍ଷିତ ଦୀପାବଳିକୁ ଆଖିରେ ରଖି ସୁପ୍ରିମ୍‌ କୋର୍ଟଙ୍କ ପକ୍ଷରୁ ମଙ୍ଗଳବାର କିଛି ନିର୍ଦ୍ଦେଶାବଳି ଜାରି କରାଯାଇଛି। ଦୀପାବଳିରେ ବାଣ ବିକ୍ରି ନିଷେଧ ହେବନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଯଦିଓ ସ୍ପଷ୍ଟ କରିଛନ୍ତି, ଏଥିପାଇଁ କିଛି କଟକଣା ଲାଗୁ କରିଛନ୍ତି। ଦୀପାବଳିରେ ଲୋକମାନେ ରାତି ୮ରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ ବୋଲି କୁହାଯାଇଛି।
ସୁପ୍ରିମ୍ କୋର୍ଟ ବିଚାରପତି ଏ କେ ସିକ୍ରି ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ବାୟୁ ମଣ୍ଡଳକୁ ଅଧିକ ଅଙ୍ଗାରକାମ୍ଳ ଛାଡୁଥିବା ବାଣ ବିକ୍ରି ଏବଂ ବ୍ୟବହାରକୁ ନିଷେଧ କରିଛନ୍ତି। ତେଣୁ ସ୍ବଳ୍ପ ଅଙ୍ଗାରକାମ୍ଳ ନିର୍ଗତ କରୁଥିବା ବାଣ ହିଁ ତିଆରି ଓ ବିକ୍ରି କରାଯାଇ ପାରିବ। ନିର୍ଦ୍ଧାରିତ ସୀମାରେ ଅଙ୍ଗାରକାମ୍ଳ ଛାଡ଼ୁଥିବା ଏବଂ ଶବ୍ଦ ସୃଷ୍ଟି କରୁଥିବା ବାଣକୁ ଅନୁମତି ଦିଆଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଖଣ୍ଡପୀଠ ଆହୁରି ଦର୍ଶାଇଛନ୍ତି ଯେ ପେଟ୍ରୋଲିୟମ୍‌ ଓ ବିସ୍ଫୋରକ ନିରାପତ୍ତା ସଂଗଠନ (ପିଇଏସ୍‌ଓ) ଦ୍ବାରା ଧାର୍ଯ୍ୟ ସୀମା ଅନୁସାରେ ବାଣ ବିକ୍ରି ଓ ତିଆରି କରାଯାଇ ପାରିବ।
ଖ୍ରୀଷ୍ଟମାସ ଓ ନୂଆବର୍ଷରେ ରାତି ୧୧ଟା ୫୫ରୁ ୧୨ଟା ୩୦ ପର୍ଯ୍ୟନ୍ତ ବାଣ ଫୁଟାଯାଇ ପାରିବ।

ଅନ୍ୟପକ୍ଷରେ ଦିଲ୍ଲୀରେ‌ କେବଳ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ବାଣକୁ ଅନୁମତି ମିଳିପାରିବ। ସପ୍ତାହକ ମଧ୍ୟରେ ସେହି ସ୍ଥାନଗୁଡ଼ିକ ଚିହ୍ନଟ କରାଯିବା ଦରକାର ବୋଲି ‌ସର୍ବୋଚ୍ଚ ଅଦାଲତ କହିଛନ୍ତି। ୨୦୦୫ ଜୁଲାଇ ରାୟରେ ଧାର୍ଯ୍ୟ ହୋଇଥିବା ଶବ୍ଦ ପ୍ରଦୂଷଣ ସୀମା ଅନୁସାରେ ବାଣକୁ ଅନୁମତି ଦିଆଯିବ। ‌କେବଳ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ ହିଁ ବାଣ ବିକ୍ରି କରିବାକୁ ସମର୍ଥ ହେବେ। ଅନ୍‌ଲାଇନ୍‌ରେ ବାଣ ବିକ୍ରି କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଯଦି ଇ-କମର୍ସ କମ୍ପାନି ବାଣ ବିକ୍ରି କରନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।
କୌଣସି ଅଞ୍ଚଳରେ ନିୟମ ଉଲ୍ଲଂଘନ କରାଗଲେ ଏଥିପାଇଁ ଉକ୍ତ ଅଞ୍ଚଳ ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ଉତ୍ତରଦାୟୀ ରହିବେ। ଉଲ୍ଲେଖଯୋଗ୍ୟ, ଗତବର୍ଷ ଦୀପାବଳି ପୂର୍ବରୁ ଅକ୍ଟୋବର ୯ରେ ସୁପ୍ରିମ୍‌ କୋର୍ଟ ବାଣ ବିକ୍ରି ସାମୟିକ ଭାବେ ନିଷେଧ କରିଥିଲେ। ବାଣର ପ୍ରଦୂଷଣ ସ୍ତର ଯାଞ୍ଚ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା।

ସମ୍ବନ୍ଧିତ ଖବର