ରମଜାନ ହେଉ ବା ଅମରନାଥ ଯାତ୍ରା, କାଶ୍ମୀରରେ ଅପରେସନ ଚାଲିବ : ସେନା

ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରୁ ଆରମ୍ଭ ହେଉଥିବା ରମଜାନ ମାସ ଓ ଜୁନ ୨୬ରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରା ବେଳେ ଜାମ୍ମୁ ଓ କାଶ୍ମୀରରେ ସେନା ପକ୍ଷରୁ ଚାଲିଥିବା ଆତଙ୍କବାଦ ବିରୋଧୀ ଅଭିଯାନ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ସେନା ଏପରି କୌଣସି ଅସ୍ତ୍ରବିରତି ପାଇଁ ରାଜି ହେଉନାହିଁ । ସେ ରମଜାନ ମାସ ହେଉ ବା ଅମରନାଥ ଯାତ୍ରା ଆତଙ୍କବାଦୀ ସଂପୂର୍ଣ୍ଣ ନିପାତ ନ ହେବା ପର୍ଯ୍ୟନ୍ତ ଅପରେସନ ଚାଲୁ ରଖିବାକୁ ସେନା ଚାହୁଁଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅସ୍ତ୍ରବିରତି ସପକ୍ଷରେ ନାହାନ୍ତି ।
ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ଏହି ଅପରେସନ ଫଳରେ ଏବେ ଆତଙ୍କବାଦୀମାନେ ବେଶ ଚାପରେ ଅଛନ୍ତି । ସେମାନଙ୍କର ଅନେକ କମାଣ୍ଡର ନିପାତ ହୋଇଗଲେଣି । ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ସେନା ପ୍ରାୟ ୫୬ ଜଣ ଆତଙ୍କବାଦୀଙ୍କୁ ସଫା କରିଛି । ସ୍ଥିତି ଏପରି ହୋଇଛି ଯେ ସୀମା ସେପଟୁ ଲସ୍କର-ଇ-ତୋଇବା, ଜୈସ-ଇ-ମୁହମ୍ମଦ, ହିଜବୁଲ ଆଦି ଆତଙ୍କୀ ସଂଗଠନର ଆତଙ୍କବାଦୀମାନେ ଭାରତକୁ ଅନୁପ୍ରବେଶ କରିବାକୁ ଡରୁଛନ୍ତି । ଏଣୁ ଏବେ କାଶ୍ମୀର ଉପତ୍ୟାକାରେ ଥିବା ପ୍ରାୟ ୮୦ରୁ ୧୦୦ ଆତଙ୍କବାଦୀ ମୁଖ୍ୟତଃ ସ୍ଥାନୀୟ ଯୁବକ । ସେମାନେ ପ୍ରଶିକ୍ଷିତ ନୁହଁନ୍ତି । ଏଣୁ ସେମାନଙ୍କୁ ନିପାତ କରିବା ପାଇଁ ଆଉ ମାତ୍ର କିଛି ମାସ ସମୟ ଦରକାର । ଏପରିସ୍ଥିତିରେ ଅସ୍ତ୍ରବିରତି କଲେ ଆତଙ୍କବାଦୀମାନେ ପୁଣି ଥରେ ସଂଗଠିତ ହେବାକୁ ସମୟ ପାଇବେ । ସେମାନଙ୍କ ଉପରେ ଥିବା ଚାପକୁ ବଜାୟ ରଖିବାକୁ ଚାହୁଁଛି ଭାରତୀୟ ସେନା ।

ସମ୍ବନ୍ଧିତ ଖବର