ଭାରତରେ ଜିନ୍ନାଙ୍କ ଜୟଗାନ କରାଯିବାର ପ୍ରଶ୍ନ ଉଠୁନାହିଁ : ଯୋଗୀ

ଲକ୍ଷ୍ନୌ : ଭାରତରେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଜୟଗାନ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ କରିଦେଇଛନ୍ତି । ସେ ମଧ୍ୟ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରୁ ଜିନ୍ନାଙ୍କ ଫଟୋ ହଟାଯିବାକୁ ସମର୍ଥନ କରିଛନ୍ତି । ଅନ୍ୟପକ୍ଷରେ ବିଶିଷ୍ଟ ଲେଖକ ଜାଭେଦ ଅଖତର କହିଛନ୍ତି ଯେ ଜିନ୍ନା ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ନା ଛାତ୍ର ଥିଲେ ନା ସେଠାରେ ଶିକ୍ଷକତା କରୁଥିଲେ । ଏଣୁ ସେଠାରେ ତାଙ୍କ ଫଟୋ ଲଗାଯିବା ବେଶ ଲଜ୍ଜାକର ବିଷୟ । ତେବେ ତାଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକମାନେ ଭାରତରେ ଗଡସେଙ୍କ ମନ୍ଦିର ବିରୋଧରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଏହି ଫଟୋ ହଟାଯିବା ଓ ଆରଏସଏସ କର୍ମୀଙ୍କ ଅନୁପ୍ରବେଶକୁ ନେଇ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଅବ୍ୟାହତ ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ସେଠାରେ ସିଆରପିଏଫ ଓ ଆରଏଏଫ ବାହିନୀକୁ ମୃତୟନ କରିଛନ୍ତି ।

ବୁଧବାରଦିନ କେତେକ ହିନ୍ଦୁବାଦୀ ସଂଗଠନ ହିନ୍ଦୁ ଯୁବାବାହିନୀ ଓ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମୀ ଏହାକୁ ନେଇ ବିଶ୍ୱବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଭିତରକୁ ପଶିବାକୁ ଉଦ୍ୟମ କରିବା ପରେ ଛାତ୍ରଛାତ୍ରୀମାନେ ତାହାର ବିରୋଧ କରିଥିଲେ । ଏହାର ବିରୋଧରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାଦ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ପରିସ୍ଥିତି ଖରାପ ହେବାରୁ ପୁଲିସକୁ ବାଧ୍ୟ ହୋଇ ଲାଠିଚାର୍ଜ କରିବାକୁ ପଡିଥିଲା ।

ବିଶ୍ୱ ବିଦ୍ୟାଳୟରେ ଏହି ଫଟୋ ଚିତ୍ରଟି ଗତ ୧୯୩୮ ମସିହାରୁ ଲାଗିଛି । ବିଶ୍ୱ ବିଦ୍ୟାଳୟ ଛାତ୍ର ସଂଗଠନର ନିୟମ ଅନୁସାରେ ଅବିଭକ୍ତ ଭାରତର ବିଶିଷ୍ଟ ନେତା ଯେଉଁମାନେ ଏହି ବିଶ୍ୱବିଦ୍ୟାଳୟ ଗ୍ରସ୍ତରେ ଆସିଛନ୍ତି ସେମାନଙ୍କ ଫଟୋ ଲଗାଯାଇଥାଏ । ଏଣୁ ଏହି ଫଟୋ ହଟା ଯିବ ନାହିଁ ବୋଲି ଛାତ୍ର ସଂସଦ ସଭାପତି ମସକୁର ଅହମଦ ଉସମାନୀ କହିଛନ୍ତି ।

ସମ୍ବନ୍ଧିତ ଖବର