ତେଲ ଦରର ଦୈନିକ ସମୀକ୍ଷା ବ୍ୟବସ୍ଥା ଉଠିବ ନାହିଁ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ :  ତେଲଦରର ଦୈନିକ ଦର ସମୀକ୍ଷା ବ୍ୟବସ୍ଥାକୁ ଉଠାଯିବ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗୁଜୁରାଟର ଦହେଜଠାରେ ଋଷିଆରୁ ପ୍ରଥମ ଏଲଏନଜି କାର୍ଗୋ ପହଞ୍ଚିବା ଅବସରରେ ସେ କହିଛନ୍ତି ଯେ ତେଲଦର ବଢିଚାଲିଥିବାରୁ ସରକାର ବି ଚିନ୍ତିତ ଅଛନ୍ତି । ଏହି ସମସ୍ୟାର ଏକ ଦୀର୍ଘ ମିଆଦୀ ସମାଧାନ ବାହାର କରିବାକୁ ସରକାର ଯୋଜନା କରୁଛନ୍ତି । ସେ ମଧ୍ୟ ରାଜ୍ୟ ସରକାରମାନଙ୍କୁ ତେଲ ଉପରେ ଯୁକ୍ତି ସଂଗତ ଭାବେ ଟିକସ ବସାଇବାକୁ ଅନୁରୋଧ କରିଛନ୍ତି । ଋଷର ଗେଜପ୍ରାମ ମାର୍କେଟିଂ ଏଣ୍ଡ ଟ୍ରେଡିଂ ସିଙ୍ଗାପୁର (ଜିଏମଟିଏସ) ତଥା ଗେଲ୍‌ ମଧ୍ୟରେ ଦୀର୍ଘକାଳୀନ ଅବଧି ପାଇଁ ଚୁକ୍ତି ଅନୁଯାୟୀ ପ୍ରଥମ ଏଲଏନଜି କାର୍ଗୋ ସୋମବାର ଦିନ ଗୁଜରାଟର ଦାହେଜରେ ପେଟ୍ରାନେଟ ଏଲଏନଜି ଲିମିଟେଡ (ପିଏଲଏଲଏଲ)ର ଏଲଏନଜି ଟର୍ମିନାଲରେ ପହଞ୍ଚିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଋଷରୁ ଏଲଏନଜି ଆମଦାନୀ ଆରମ୍ଭ କରିବା ଦ୍ୱାରା ଭାରତ- ଋଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବିଶେଷ ଭାବେ ତୈଳ ଓ ଗ୍ୟାସ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡି ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଭୟ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଜୋର ଦେଇଥିଲେ । ଏହା ଆଜି ଏକ ସାକାର ରୂପ ନେଇଛି । ଉଲ୍ଲେଖନୀୟ  ବର୍ତ୍ତମାନ ଋଷ ବିଶ୍ୱର ସବୁଠାରୁ ବଡ ଅଶୋଧିତ ତୈଳ ଓ ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ ଗ୍ୟାସ ଉତ୍ପାଦକ ଦେଶ । ସେହିପରି ଭାରତ ବିଶ୍ୱର ତୃତୀୟ ସବୁଠାରୁ ବଡ ଶକ୍ତି ଉତ୍ପାଦକ ଓ ଏଲଏନଜିର ଚତୁର୍ଥ ବଡ ଆମଦାନୀ କରୁଥିବା ଦେଶ । ଆଗାମୀ ଦିନରେ ଭାରତର ହାଇଡ୍ରୋକାର୍ବନ କ୍ଷେତ୍ରରେ ଚାହିଦାକୁ ପୂରଣ କରିବା ପାଇଁ ଋଷ ଏକ ରପ୍ତାନୀକାରୀ ଦେଶ ହେବାର କ୍ଷମତା ରଖିଛି ।

ସମ୍ବନ୍ଧିତ ଖବର