୭୫ ବର୍ଷରୁ ଅଧିକ ବୟସର ନେତାଙ୍କୁ ଲଢ଼ିବା ମନା!

ନୂଆଦିଲ୍ଲୀ: ଏଥର ଲୋକସଭା ନିର୍ବାଚନରେ ୭୫ ବର୍ଷରୁ ଅଧିକ ବୟସର ନେତାଙ୍କୁ ବିଜେପି ନିର୍ବାଚନ ନ ଲଢ଼ାଇବାକୁ ନିଷ୍ପତ୍ତି ନେଇଛି। ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଏଥର ପ୍ରାର୍ଥୀ କରାଯାଇନାହିଁ ଏବଂ ତାଙ୍କର ଗାନ୍ଧୀନଗର ଆସନରୁ ବିଜେପି ଅଧ୍ୟକ୍ଷ ଅମିତ ଶାହ ପ୍ରାର୍ଥୀ ହୋଇଛନ୍ତି। ଏହାସହିତ କାନପୁର ଆସନରୁ ମୁରଲୀ ମନୋହର ଯୋଶୀଙ୍କୁ ମଧ୍ୟ ପ୍ରାର୍ଥୀ କରାଯିବ ନାହିଁ ବୋଲି ଜଣାପଡ଼ିଛି। ଏହି ସହିଦ ଦଳର ବରିଷ୍ଠ ନେତା ଭଗତ ସିଂହ କୋଶାୟରି, ବି.ସି. ଖଣ୍ଡୁରି, ଶାନ୍ତା କୁମାର ମଧ୍ୟ ପ୍ରାର୍ଥୀ ହେଉନଥିବା ଜଣାପଡ଼ିଛି । ଚଳିତ ବର୍ଷ ସୁମିତ୍ରା ମହାଜନ ୭୬ ବର୍ଷରେ ପଦାର୍ପଣ କରୁଥିବାରୁ ତାଙ୍କୁ ଇନ୍ଦୋର ଆସନରୁ ପ୍ରାର୍ଥୀ କରାଯିବ କି ନାହିଁ ସେ ନେଇ ମନ୍ଥନ ଚାଲିଛି। ମଧ୍ୟପ୍ରଦେଶର ବରିଷ୍ଠ ନେତା ସତ୍ୟନାରାୟରଣ (୭୯) କହିଛନ୍ତି ଯେ ଯଦି ସୁମିତ୍ରାଙ୍କୁ ପ୍ରାର୍ଥୀ କରାଯିବ ତା’ହେଲେ ସେ ମଧ୍ୟ ପ୍ରାର୍ଥୀ ହେବେ। ଏହାକୁ ନେଇ ଦଳରେ ବିବାଦୀୟ ସ୍ଥିତି ଉପୁଜିଛି। ଝାଡ଼ଖଣ୍ଡରେ ଦଳର ବରିଷ୍ଠ ନେତା କାରିଆ ମୁଣ୍ଡା, ବିହାରର ହୁକୁମ ନାରାୟଣ ଯାଦବ ଏବଂ ଉତ୍ତର ପ୍ରଦେଶର କଲରାଜ ମିଶ୍ର ମଧ୍ୟ ପ୍ରାର୍ଥୀ ହେବେନାହିଁ ବୋଲି ଜଣାପଡ଼ିଛି। ମୋଦୀ ସରକାରରେ ଥିବା ଦୁଇ ବରିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀ ସୁଷମା ସ୍ବରାଜ ଏବଂ ଉମା ଭାରତୀ ଏଥର ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର