ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ସିବିଆଇ ଓ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)ର ଏକାଧିକ ଟିମ ଖୋଜୁଥିବାବେଳେ ତାଙ୍କ ପତ୍ତା ମିଳୁନାହିଁ । ତାଙ୍କ ଫୋନ ମଧ୍ୟ ବନ୍ଦ ରହିଛି । ଶେଷଥର ପାଇଁ ତାଙ୍କୁ ସଂଧ୍ୟା ୫ଟାରେ ଦେଖାଯାଇଥିଲା । ତେବେ ସୁପ୍ରିମ କୋର୍ଟରୁ ସେ ନିରାଶ ହେବା ପରେ ତାଙ୍କର ପତ୍ତା ମିଳୁନାହିଁ ।
Sambad is now on WhatsApp
Join and get latest news updates delivered to you via WhatsApp
ଆଇଏନଏକ୍ସ ମିଡିଆ ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ନ ହେବାର ତାଙ୍କ ଗିରଫଦାରି ଅବଶ୍ୟମ୍ଭାବୀ ହୋଇପଡିଛି ।
ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ବେଳେ ବିଚାରପତି କହିଥିଲେ ଯେ ଉପଲବ୍ଧ ତଥ୍ୟପ୍ରମାଣରୁ ଜଣାଯାଉଛି ଯେ ଆଇନଏକ୍ସ ମିଡିଆ ଦୁର୍ନୀତିରେ ଚିଦାମ୍ବରମଙ୍କ ସଂପୃକ୍ତି ରହିଛି । ଏଣୁ ଏହି ମାମଲାର ଉପଯୁକ୍ତ ତଦନ୍ତ ପାଇଁ ତାଙ୍କୁ ହାଜତକୁ ନିଆଯିବାର ଆବଶ୍ୟକତା ରହିଛି । ୨୦୦୭ରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ ବିଦେଶୀ ନିବେଶ ପ୍ରେତ୍ସାହନ ବୋର୍ଡ ବେଆଇନ ଭାବେ ଅନୁମତି ଦେଇଥିଲା ।