ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ; ସଂସଦରେ ଅଲୋଚନା ପାଇଁ କେଉଁ ଦଳକୁ ମିଳିଛି କେତେ ସମୟ?

ନୂଆଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତାକାଲି (ଶୁକ୍ରବାର) ସଂସଦର ଲୋକସଭାରେ ଆଲୋଚନା ପାଇଁ ବାଚସ୍ପତି ସୁମିତ୍ରା ମହାଜନ ଦିନ ଧାର୍ଯ୍ୟ କରିଛନ୍ତି। ତେବେ, ନିଜର ସଂଖ୍ୟା ଦୃଷ୍ଟିରୁ ଏହି ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଯିବ ବୋଲି ସରକାରୀ ଦଳ ବେଶ୍‌ ନିଶ୍ଚିତ ଅଛି। ତେବେ, ଏବେ ସମସ୍ତଙ୍କ ନଜର ରହିଛି ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ହେବାକୁ ଥିବା ଆଲୋଚନାକୁ ନେଇ। କାରଣ, ଏଇ ସୁଯୋଗକୁ ହାତଛଡ଼ା ନକରି କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ନରେନ୍ଦ୍ର ମୋଦି ସରକାରର ସମସ୍ତ ବିଫଳତା ଓ ଦୁର୍ବଳତାକୁ ପଦାକୁ ଆଣିବାକୁ ଯୋଜନା ରଖିଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ଥିବା ସହଯୋଗୀ ଦଳଗୁଡ଼ିକ ମଧ୍ୟ ସରକାରର ସଫଳତାର ଇସ୍ତାହାର ଗାଇବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ତେଣୁ, ଏହି ଅବସରରେ ସଂସଦର ଲୋକସଭାରେ ଆସନ୍ତାକାଲି ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଅଭିଯୋଗ ଓ ପ୍ରତିଅଭିଯୋଗର ଏକ ଲମ୍ବା ତାଲିକାକୁ ଶୁଣିବାକୁ ସଚେତନ ଦେଶବାସୀ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି।

ତେବେ, ଆସନ୍ତୁ ଜାଣିବା ଆସନ୍ତାକାଲି ସଂସଦର ଲୋକସଭାରେ ଆଗତ ହେବାକୁ ଅନାସ୍ଥା ଉପରେ ଅଂଶଗ୍ରହଣ କରି ଏହାର ସପକ୍ଷରେ ବା ବିପକ୍ଷରେ ନିଜର ମତ ରଖିବା ପାଇଁ କେଉଁ ରାଜନୈତିକ ଦଳକୁ କେତେ ସମୟ ପ୍ରଦାନ କରିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ। ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ ରଖିବା ପାଇଁ ସବୁଠାରୁ ଅଧିକ ସମୟ ମିଳିଛି ବିଜେପିକୁ ୩ ଘଣ୍ଟା ୩୩ ମିନିଟ। ଏହା ପଛକୁ କଂଗ୍ରେସକୁ ୩୮ ମିନିଟ, ଏଆଇଏଡିଏମ୍‌କେକୁ ୨୯ ମିନିଟ, ଟିଏମ୍‌ସିକୁ ୨୭ ମିନିଟ, ବିଜେଡିକୁ ୧୫ ମିନିଟ, ଶିବସେନାକୁ ୧୪ ମିନିଟ, ଟିଡିପିକୁ ୧୩ ମିନିଟ ଓ ଟିଆରଏସ୍‌କୁ ୯ ମିନିଟ ମିଳିଛି। ସେହିପରି ସିପିଆଏମ୍‌କୁ ୭ ମିନିଟ, ସମାଜବାଦୀ ପାର୍ଟିକୁ ୬ ମିନିଟ, ଏନ୍‌ସିପିକୁ ୬ ମିନିଟ, ଏଲଜେଏସ୍‌ପିକୁ ୫ ମିନଟ ସମୟ ପ୍ରଦାନ କରା ଯାଇଥିବା ଜାଣିବା ପାଇଁ ମିଳିଛି।

ସମ୍ବନ୍ଧିତ ଖବର