ଉତ୍ତରାଖଣ୍ଡରେ ଦୁଃସାହସିକ କ୍ରୀଡ଼ା ଓ ଜଳକ୍ରୀଡ଼ା ଉପରେ ନିଷେଧାଦେଶ ଜାରି କଲେ ହାଇକୋର୍ଟ

ଡେରାଡୁନ୍‌ (ଉତ୍ତରାଖଣ୍ଡ): ହିମାଳୟର ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଉତ୍ତରାଖଣ୍ଡରେ ସମସ୍ତ ପ୍ରକାରର ଦୁଃସାହସିକ କ୍ରୀଡ଼ା ଓ ଜଳକ୍ରୀଡ଼ା ପ୍ରକଳ୍ପ ଉପରେ ଆଜି (ଶୁକ୍ରବାର) ନିଷେଧାଦେଶ ଜାରି କରିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ। ପରିବେଶ ଓ ସୁରକ୍ଷାଗତ କାରଣରୁ ଉତ୍ତରାଖଣ୍ଡ ହାଇକୋର୍ଟ ଏହି ନିଷେଧାଦେଶ ଜାରି କରିଥିବା କହିଛନ୍ତି। ଏଥିସହ ରାଜ୍ୟରେ ପରିବେଶ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କୁ ଯଥାଶୀଘ୍ର ଦୁଃସାହସିକ କ୍ରୀଡ଼ା ଓ ଜଳକ୍ରୀଡ଼ା ଉପରେ ଏକ ସ୍ୱତନ୍ତ୍ର ଆଇନ୍‌ ପ୍ରଣୟନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଦୁଃସାହସିକ କ୍ରୀଡ଼ା ଓ ଜଳକ୍ରୀଡ଼ା ଉପରେ ଏପ୍ରକାରର ନିଷେଧାଦେଶ ରାଜ୍ୟ ସରକାରଙ୍କ ପାଇଁ ଏକ ବିରାଟ ଧକ୍କା ସଦୃଶ ହୋଇଛି।

ଉତ୍ତରାଖଣ୍ଡ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ରାଜୀବ ଶର୍ମା ଓ ଜଷ୍ଟିସ୍‌ ଲୋକପାଲ ସିଂହଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏସଂକ୍ରାନ୍ତରେ ଆଗତ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା (ପିଆଇଏଲ୍‌)ର ଶୁଣାଣି କରିବା ଅବସରରେ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ଦୁଃସାହସିକ କ୍ରୀଡ଼ା ଓ ଜଳକ୍ରୀଡ଼ା ଉପରେ ଏକ ସ୍ୱତନ୍ତ୍ର ଆଇନ୍‌ ପ୍ରଣୟନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ନୂତନ ଆଇନ୍‌କୁ ପର୍ଯ୍ୟାଲୋଚନା କଲାପରେ ଏସଂକ୍ରାନ୍ତରେ ହାଇକୋର୍ଟ ପରବର୍ତ୍ତୀ ସମୟରେ ଯାହା କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ତେବେ, ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟରେ ଦୁଃସାହସିକ କ୍ରୀଡ଼ା ଓ ଜଳକ୍ରୀଡ଼ା ଉପରେ ନିଷେଧାଦେଶ ବଳବତ୍ତର ରହିବ।

ସମ୍ବନ୍ଧିତ ଖବର