ଆଇସିଏଏନ୍‌କୁ ଶାନ୍ତି ପାଇଁ ନୋବେଲ୍‌

ଷ୍ଟକ୍‌ହୋମ : ପରମାଣୁ ଅସ୍ତ୍ର ବିଲୋପ ପାଇଁ ଅନ୍ତର୍ଜାତୀୟ ଅଭିଯାନ (ଆଇସିଏଏନ୍‌) ଏନ୍‌ଜିଓ ସମୂହକୁ ୨୦୧୭ ବର୍ଷ ନିମନ୍ତେ ଶାନ୍ତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଆଇଏସିଏଏନ୍‌ ସଂସ୍ଥା ବିଶ୍ୱର ୧୦୧ଟି ରାଷ୍ଟ୍ରରେ ପରମାଣୁ ଅସ୍ତ୍ର ବିଲୋପ ଅଭିଯାନ ପାଇଁ କାର୍ଯ୍ୟ କରୁଛି। ଆଇସିଏଏନ୍‌ର ୪୬୮ ଜଣ ସହଯୋଗୀ ଏ କ୍ଷେତ୍ରରେ ଅହରହ କାର୍ଯ୍ୟ କରୁଛନ୍ତି। ସମଗ୍ର ବିଶ୍ୱରେ ପରମାଣୁ ଅସ୍ତ୍ର ଉପରେ କଟକଣା ଲଗାଇବା ପାଇଁ ଚୁକ୍ତି କାର୍ଯ୍ୟକାରୀ କରିବାକୁ ଆଇଏସିଏନ୍‌ ଅଭିଯାନ ଜାରି ରଖିଛି।

ଜେନେଭା ସ୍ଥିତ ଏହି ସଂସ୍ଥା ମାନବ ଜାତିକୁ ପ୍ରଳୟଙ୍କରୀ ପରିଣାମରୁ ରକ୍ଷା କରିବା ପାଇଁ ନିଷ୍ଠାପର ଅଭିଯାନ ଚଳାଇଥିବାରୁ ଏହାକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି ନରେଓ୍ଵ ନୋବେଲ କମିଟି ପକ୍ଷରୁ କୁହାଯାଇଛି। ନାଗରିକ ସମାଜରୁ ପ୍ରତିନିଧି ନେଇ ଆଇସିଏଏନ୍‌ ତା’ର ପରମାଣୁ ଅସ୍ତ୍ର ବିଲୋପ ଅଭିଯାନକୁ ବିଗତ କିଛି ବର୍ଷ ମଧ୍ୟରେ ବ୍ୟାପକ କରିବାରେ ସକ୍ଷମ ହୋଇଛି। ବିଶ୍ୱକୁ ପରମାଣୁ ଅସ୍ତ୍ରରୁ ମୁକ୍ତ ରଖିବା ପାଇଁ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ରଗୁଡ଼ିକୁ ମନାଇବା ନିମନ୍ତେ ଏହାର ପ୍ରୟାସ ଅନନ୍ୟ ବୋଲି କୁହାଯାଇଛି । ଏବେ ବିଶ୍ୱରେ ପ୍ରାୟ ୧୫ ହଜାର ପରମାଣୁ ଅସ୍ତ୍ର ରହିଛି ଏବଂ ଏହି ଅସ୍ତ୍ରକୁ ପର୍ଯ୍ୟାୟକ୍ରମେ ବିଲୋପ କରିବା ପାଇଁ ଆଇସିଏଏନ୍‌ ଲଗାତାର ଆଲୋଚନା ଜାରି ରଖିଛି।

ଆଇସିଏଏନ୍‌ ୨୦୦୭ରେ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିଲା ଏବଂ ପର୍ଯ୍ୟାୟକ୍ରମେ ଏହା ଆଉ ଶହେଟି ରାଷ୍ଟ୍ରରେ ସକ୍ରିୟ ହୋଇଥିଲା। ନୋବେଲ ଶାନ୍ତି ପୁରସ୍କାର ଘୋଷଣା ପରେ ଏହାକୁ ସ୍ୱାଗତ କରି ଆଇସିଏଏନ୍‌ ନେତା ବେଟ୍ରିସ୍‌ ଫିନ୍‌ କହିଛନ୍ତି ଯେ ମାନବଜାତିକୁ ସୁରକ୍ଷା ବାହାନାରେ ଧ୍ୱଂସ କରିବା ପାଇଁ କେହି ଧମକ ଦେଇପାରିବେ ନାହିଁ। ପରମାଣୁ ଅସ୍ତ୍ର ମାନବ ଜାତିର ବିନାଶ ପାଇଁ ଉଦ୍ଦିଷ୍ଟ ଥିବାରୁ ଏହାର ବିଲୋପ ପାଇଁ ପ୍ରତ୍ୟେକ ସଭ୍ୟ ସଚେତନ ମଣିଷ ଆଗଭର ହେବା ଆବଶ୍ୟକ। ପ୍ରତ୍ୟେକ ରାଷ୍ଟ୍ର ବିଶ୍ୱ କଲ୍ୟାଣ ପାଇଁ ପରମାଣୁ ଅସ୍ତ୍ରକୁ ନିଷିଦ୍ଧ କରିବା ନିମନ୍ତେ ସଂକଳ୍ପବଦ୍ଧ ହେବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ରମାନେ ସେମାନଙ୍କ ଦାୟିତ୍ୱ ସଂପର୍କରେ ସଚେତନ ହୋଇଗଲେ ଏହାର ସଂପୂର୍ଣ୍ଣ ବିଲୋପ ସଂମ୍ଭବ ବୋଲି ସେ କହିଛନ୍ତି ।

ଆଇସିଏଏନ୍‌ ପ୍ରବକ୍ତା ଡାନିଏଲ ଭାରାନୋ କହିଛନ୍ତି ନୋବେଲ ପୁରସ୍କାର ପାଇବା ଆମ ପାଇଁ ଏକ ବିରାଟ ସ୍ୱୀକୃତି। ଶାନ୍ତି ପାଇଁ ଅହରହ କାମ କରୁଥିବା ପ୍ରତ୍ୟେକ ମଣିଷଙ୍କ ନିମନ୍ତେ ଏହା ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି। ୧୯୦୧ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ୯୭ଟି ପୁରସ୍କାର ୧୩୦ ଜଣଙ୍କୁ ୨୦୧୬ ସୁଦ୍ଧା ପ୍ରଦାନ କରାଯାଇଛି । ଏଥିରେ ୧୬ ଜଣ ମହିଳା ଅଛନ୍ତି।

ସମ୍ବନ୍ଧିତ ଖବର